ଜମ୍ମୁ- କଶ୍ମୀରର ଏସ୍‌ପିଓମାନେ ଫେସ୍‌ବୁକ୍‌ ଓ ହ୍ଵାଟସ୍‌ଆପ୍‌ରେ ଇସ୍ତଫା ଘୋଷଣା କରୁଛନ୍ତି ବୋଲି ଦାବି କଲା ଆତଙ୍କବାଦୀ ଗୋଷ୍ଠୀ; ପୁଲିସ୍‌ ପ୍ରଶାସନ କହିଲା ସତ୍ୟତା ନାହିଁ

ଶ୍ରୀନଗର (ଜମ୍ମୁ-କଶ୍ମୀର): ଜମ୍ମୁ- କଶ୍ମୀର ପୁଲିସ୍‌ ବାହିନୀରେ ସ୍ପେଶାଲ ପୁଲିସ୍‌ ଅଫିସର (ଏସ୍‌ପିଓ) ଭାବେ ନିଯୁକ୍ତି ପାଇ କାର୍ଯ୍ୟ କରୁଥିବା ପ୍ରାୟ ତିନି ଡର୍ଜନରୁ ଅଧିକ ଏସ୍‌ପିଓ ଗତ ଦୁଇଦିନ ମଧ୍ୟରେ ସେମାନଙ୍କ ନିଜ ନିଜ ପଦବୀରୁ ଇସ୍ତଫା ଦେଉଥିବା ଫେସ୍‌ବୁକ୍‌ ଓ ହ୍ଵାଟସ୍‌ଆପ୍‌ ପରି ସୋସିଆଲ ମିଡିଆରେ ଘୋଷଣା କରିବା ଘଟଣାକୁ ନେଇ ଏବେ ଆଲୋଡ଼ନ ସୃଷ୍ଟି ହୋଇଛି। ଅପରପକ୍ଷରେ ଆତଙ୍କବାଦୀ ଗୋଷ୍ଠୀ ଏସ୍‌ପିଓମାନଙ୍କର ଏପ୍ରକାରର ଘୋଷଣାକୁ ସେମାନଙ୍କ ସୋସିଆଲ ମିଡିଆ ଗ୍ରୁପ୍‌ମାନଙ୍କରେ ବହୁଳ ଭାବେ ପ୍ରଚାରିତ ଓ ପ୍ରସାରିତ କରୁଥିବା ମଧ୍ୟ ଦେଖିବା ପାଇଁ ମିଳିଛି।

ପ୍ରସଙ୍ଗକ୍ରମେ ଉଲ୍ଲେଖଯୋଗ୍ୟ, ଗତ ସେପ୍ଟେମ୍ବର ୨୧ ତାରିଖରେ ଆତଙ୍କବାଦୀମାନେ ଦକ୍ଷିଣ କଶ୍ମୀରର ସୋପିଆନ୍‌ ଅଞ୍ଚଳରୁ ଦୁଇଜଣ ଏସ୍‌ପିଓଙ୍କ ସମେତ ତିନି ଜଣ ପୁଲିସ୍‌ କର୍ମୀଙ୍କୁ ଅପହରଣ କରିନେଇ ହତ୍ୟା କରିଥିଲେ। ଏଥିସହ ଜମ୍ମୁ- କଶ୍ମୀର ପୁଲିସ୍‌ ପ୍ରଶାସନରେ କାର୍ଯ୍ୟ କରୁଥିବା ସମସ୍ତ ଏସ୍‌ପଙ୍କୁ ନିଜ ନିଜ ପଦବୀରୁ ଇସ୍ତଫା ଦେବା ପାଇଁ କହିବା ସହ ଇସ୍ତଫା ନଦେଲେ ହତ୍ୟା କରାଯିବ ବୋଲି ଧମକ ଦେଇଥିଲେ। ଆତଙ୍କବାଦୀଙ୍କର ଏପ୍ରକାର ଧମକରେ ଭୟଭୀତ ହୋଇ ଏସ୍‌ପିଓମାନେ ଏବେ ଏପ୍ରକାରର ପନ୍ଥା ଅବଲମ୍ବନ କରିଥିବା କୁହାଯାଉଛି। ତେବେ, ଏପ୍ରକାର ଘଟଣାରେ କୌଣସି ସତ୍ୟତା ନାହିଁ। ଏସ୍‌ପିଓମାନେ ଫେସ୍‌ବୁକ୍‌ ଓ ହ୍ଵାଟସ୍‌ଆପ୍‌ରେ ଇସ୍ତଫା ଘୋଷଣା କରୁଛନ୍ତି ବୋଲି ଆତଙ୍କବାଦୀ ଗୋଷ୍ଠୀ ପକ୍ଷରୁ ଯେଉଁ ପ୍ରଚାର ଚଳାଇଛନ୍ତି, ତାହା ସଂପୂର୍ଣ୍ଣ ଅମୂଳକ ଓ ବିଭ୍ରାନ୍ତିକର ବୋଲି କହିଛି ଜମ୍ମୁ- କଶ୍ମୀର ପୁଲିସ୍‌ ପ୍ରଶାସନ।

ସମ୍ବନ୍ଧିତ ଖବର