କୃଷି ଆଇନ: ଆଜି କେନ୍ଦ୍ର କ୍ୟାବିନେଟ୍‌ରେ ‘ଏମ୍‌ଏସ୍‌ପି’ରେ ପରିବର୍ତ୍ତନ ସଂକ୍ରାନ୍ତରେ ଆଲୋଚନା ହୋଇପାରେ

ନୂଆଦିଲ୍ଲୀ: ନୂଆ କୃଷି ଆଇନରେ କୃଷକମାନଙ୍କ ପାଇଁ ଥିବା ସର୍ବନିମ୍ନ ସହାୟକ ମୂଲ୍ୟରେ (ଏମ୍‌ଏସ୍‌ପି) ପରିବର୍ତ୍ତନ ସଂକ୍ରାନ୍ତରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କ୍ୟାବିନେଟ୍‌ରେ ଆଲୋଚାନା କରି ପାରନ୍ତି।

ବିଶେଷସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଏହି ନିଷ୍ପତ୍ତି ଗ୍ରହଣ କରିବା ପୂର୍ବରୁ ସରକାର ବିଭିନ୍ନ ଉପାୟ ସଂକ୍ରାନ୍ତରେ ଆଲୋଚନା କରୁଛନ୍ତି। ସେଥିରୁ ଗୋଟିଏ ଉପାୟ ହେଉଛି, ପଞ୍ଜାବ, ହରିୟାଣା ଏବଂ ଉତ୍ତର ପ୍ରଦେଶ ସମେତ ରାଜ୍ୟମାନଙ୍କୁ କୃଷି ବିଲ୍‌ରୁ ବାଦ ଦେଇ ସର୍ବନିମ୍ନ ସହାୟକ ମୂଲ୍ୟ ପ୍ରକ୍ରିୟା ଚାଲୁ ରଖିବା।

ଆଜିର କ୍ୟାବିନେଟ୍‌ ‘ଆଜେଣ୍ଡା’ରେ ଆନୁଷ୍ଠାନିକ ଭାବେ ‘ଏମ୍‌ଏସ୍‌ପି’ ପ୍ରସଙ୍ଗ ନ ଥିଲେ ମଧ୍ୟ ବରିଷ୍ଠ ସରକାରୀ ଅଧିକାରୀମାନେ ଏ ପ୍ରସଙ୍ଗକୁ ବାଦ ଦେଇନାହାନ୍ତି। କାରଣ ‘ଏମ୍‌ଏସ୍‌ପି’ ହିଁ କୃଷକମାନଙ୍କ ପ୍ରତିବାଦର ପ୍ରମୁଖ କାରଣ।

Image Courtesy of The Economic Times

ସେପ୍ଟେମ୍ବର ମାସରେ ଆଇନରେ ପରିଣତ ହୋଇଥିବା କୃଷି ବିଲ୍‌ରେ ସରକାର ଦେଇଥିବା କେତେକ ସଂଶୋଧନ ପ୍ରସ୍ତାବକୁ ମଧ୍ୟ କୃଷକମାନେ ଅଗ୍ରାହ୍ୟ କରି ଦେଇଛନ୍ତି। କେବଳ ‘ଏମ୍‌ଏସ୍‌ପି’ ଲାଗି ପ୍ରତିଶ୍ରୁତି ଦେଲେ ଚଳିବ ନାହିଁ, ଏହି ଆଇନକୁ ସମ୍ପୂର୍ଣ୍ଣ ଉଚ୍ଛେଦ କରାଯାଉ ବୋଲି ସେମାନେ ଦାବି କରୁଛନ୍ତି।

କୃଷି ଆଇନ ସଂକ୍ରାନ୍ତରେ କୃଷକ ସଙ୍ଗଠନ ଏବଂ ସରକାରଙ୍କ ମଧ୍ୟରେ ପାଞ୍ଚ ଥର ଆଲୋଚନା ଶେଷ ହେବା ପରେ ମଧ୍ୟ କୌଣସି ସୁଫଳ ମିଳିନାହିଁ।

ଏହାଛଡ଼ା, କୃଷକମାନଙ୍କ ପ୍ରତିବାଦ ବିରୋଧରେ ଦାଏର ହୋଇଥିବା କେତେକ ପିଟିସନ୍‌ର ଆଜି ସୁପ୍ରିମ୍‌ କୋର୍ଟ ଶୁଣାଣି କରିବେ। କରୋନାଭାଇରସ୍‌ ସଂକ୍ରମଣ ଦୃଷ୍ଟିରୁ ପ୍ରତିବାଦକାରୀ କୃଷକମାନଙ୍କୁ ଏକ ନିର୍ଦ୍ଦିଷ୍ଟ ସ୍ଥାନକୁ ସ୍ଥାନାନ୍ତରଣ କରାଯାଉ ବୋଲି ଗୋଟିଏ ପିଟିସନ୍‌ରେ ଉଲ୍ଲେଖ ରହିଛି। ଅନ୍ୟ ଏକ ପିଟିସନ୍‌ରେ ଉଲ୍ଲେଖ ଅଛି ଯେ, କୃଷକମାନଙ୍କ ଦାବି ବିଚାର କରିବାକୁ ଅଦାଲତ କେନ୍ଦ୍ର ସରକାରଙ୍କୁ ନିର୍ଦେଶ ଦିଅନ୍ତୁ।

ସମ୍ବନ୍ଧିତ ଖବର