ଚୀନକୁ ନୂଆ ସର୍ଚ୍ଚ ଇଂଜିନ୍‌ ଯୋଗାଇବା ମାମଲା: ଗୁଗଲ୍‌ ସିଇଓ ସୁନ୍ଦର  ପିଚାଇଙ୍କୁ ଘେରିଲେ ଆମେରିକୀୟ ରାଜନେତା

ନୂଆଦିଲ୍ଲୀ: ଇଣ୍ଟରନେଟ ବ୍ୟବହାର ଉପରେ ଚୀନ ପକ୍ଷରୁ ଅଙ୍କୁଶ  ଜାରି ହେବା ପରେ ଗୁଗଲ୍‌ ସେଠାକାର ବ୍ୟବହାରକାରୀଙ୍କ ଲାଗି ଏକ ନୂତନ ସୀମିତ ସୁବିଧା ଥିବା ସର୍ଚ୍ଚ ଇଂଜିନ୍‌ ଯୋଗାଇ ଦେବ ବୋଲି ଅନୌପଚାରିକ ଘୋଷଣା କରିଥିଲା। ଏହି ଘୋଷଣା ଆମେରିକାର ରାଜନୈତିକ ମହଲରେ ପ୍ରତିକ୍ରିୟା ସୃଷ୍ଟି କରିଛି।  ଏ ନେଇ ଆମେରିକାର ୬ ଜଣ ସିନେଟର  ଗୁଗଲ୍‌ ସିଇଓ ସୁନ୍ଦର  ପିଚାଇଙ୍କୁ ପତ୍ର ଲେଖି ଗୁଗଲ କେଉଁ କାରଣରୁ  ଚୀନର ବ୍ୟବହାରକାରୀଙ୍କୁ ଏକ କଷ୍ଟମାଇଜଡ୍‌ ସର୍ଚ୍ଚ ଇଂଜିନ୍‌ ଯୋଗାଇବ ତାହାର ସ୍ପଷ୍ଟୀକରଣ ଦାବି କରିଛନ୍ତି। ଚୀନରେ ମାନବିକ ଅଧିକାର ଉଲ୍ଲଂଘନ ହେଉଥିବା ବେଳେ ଗୁଗଲ ନୂତନ ସୀମିତ ସର୍ଚ୍ଚ ଇଂଜିନ୍‌ ଯୋଗାଇବା ଏକ ନୂଆ ସମସ୍ୟା ସୃଷ୍ଟି କରିପାରେ ବୋଲି ସିନେଟରମାନେ ଆଶଙ୍କା ପ୍ରକାଶ କରିଛନ୍ତି।

‘ପୂର୍ବରୁ ମଧ୍ୟ ୨୦୧୦ ମସିହାରେ ଚୀନ ଅଙ୍କୁଶ ଜାରି କରିଥିଲା। ସେତେବେଳେ ଗୁଗଲ୍‌ ଏହାକୁ ଗ୍ରହଣ କରି ନ ଥିଲା। ତେବେ ଏହି ଆଠ ବର୍ଷ ଭିତରେ ସେହି ଅଙ୍କୁଶରେ କ’ଣ ପରିବର୍ତ୍ତନ ହୋଇଛି’ ବୋଲି ସିନେଟରମାନେ ପ୍ରଶ୍ନ କରିଛନ୍ତି।

ରିପୋର୍ଟରୁ ଜାଣିବାକୁ ମିଳିଛି ଯେ ୨୦୧୦ ମସିହାରେ ଗୁଗୁଲ୍‌ ଚୀନ ସରକାରଙ୍କର  ଅଙ୍କୁଶ ଅବଶ୍ୟକତାକୁ ପାଳନ କରିବା ପାଇଁ ମନା କରି ଦେଇଥିଲା ଏବଂ ଏକ ଅଗ୍ରହଣୀୟ ଢଙ୍ଗରେ ଚୀନ ବଜାର ଛାଡ଼ି ଦେଇଥିଲା।

ମାତ୍ର ଗଣମାଧ୍ୟମ ରିପୋର୍ଟରୁ ଜାଣିବାକୁ ମିଳିଛି ଗୁଗୁଲ୍‌ର ଚାଇନିଜ୍‌ ଭର୍ସନ ଚୀନ ସରକାରୀ ଅଙ୍କୁଶ ଅନୁସାରେ ପ୍ରସ୍ତୁତ ହେଉଛି। ଏପରିକି କମ୍ପାନି ନ୍ୟୁଜ୍‌ ଆଗ୍ରିଗେସନ୍‌ (ଖବର ସମୀକ୍ଷକ) ନାମକ ଏକ ଆପ୍‌ ମଧ୍ୟ ଚୀନ ପାଇଁ ବାହାର କରିବ, ଯାହାକି ଅଙ୍କୁଶ ନିୟମକୁ ପାଳନ କରିବ।

ସିନେଟର୍‌ମାନେ ଆହୁରି ବି ଜାଣିବାକୁ ଚାହିଁଛନ୍ତି ଯେ ଗୁଗୁଲ୍‌ ‘କଷ୍ଟମ୍‌ ସର୍ଚ ଆପ୍‌’ ଜରିଆରେ କେଉଁ ଭଳି ଭାବେ ଚୀନ୍‌ ବଜାରରେ ଯୋଡ଼ି ହୋଇଛି। ଉଲ୍ଲେଖଯେଗ୍ୟ, ବିଶ୍ୱର ଅନ୍ୟ ସମସ୍ତ ଦେଶଗୁଡ଼ିକ ତୁଳନାରେ ଚୀନରେ ସର୍ବାଧିକା ଇଣ୍ଟର୍‌ନେଟ୍‌ ବ୍ୟବହାରକାରୀ ରହିଛନ୍ତି। ଚୀନରେ ଗୁଗୁଲ୍‌ର ଶହ ଶହ କର୍ମୀ କାର୍ଯ୍ୟ କରୁଥିବା ବେଳେ କମ୍ପାନି ସେଠାରେ  ଆର୍ଟିଫିସିଆଲ୍‌ ଇଣ୍ଟେଲିଜେନ୍ସ(ଏଆଇ) ଲ୍ୟାବ୍‌ ଲଞ୍ଚ୍‌ କରିଛି।

ସମ୍ବନ୍ଧିତ ଖବର