ପେଗାସସ୍ ସ୍ପାଏ ମାମଲା: ରାହୁଲ ଗାନ୍ଧୀଙ୍କ ଫୋନ କଲ ରେକର୍ଡକୁ ନେଇ ସରକାରଙ୍କୁ କଂଗ୍ରେସର ଭତ୍ସନା, ଗୃହମନ୍ତ୍ରୀଙ୍କ ଇସ୍ତଫା ଦାବି

ନୂଆଦିଲ୍ଲୀ: ପେଗାସସ୍ ସ୍ପାଏର ଫୋନ ହ୍ୟାକିଂ ମାମଲାକୁ ନେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍ କରିଛି କଂଗ୍ରେସ । କଂଗ୍ରେସ ପ୍ରବକ୍ତା ରଣଦୀପ ସୁରଜେୱାଲା କହିଛନ୍ତି କି ମୋଦୀ ସରକାର ରାହୁଲ ଗାନ୍ଧୀଙ୍କ ସହ ନିଜ ମନ୍ତ୍ରିମଣ୍ଡଳର ବିଭିନ୍ନ ମନ୍ତ୍ରୀଙ୍କ ଫୋନ କଲ ଟ୍ୟାପିଂ କରାଇଛନ୍ତି । ଦେଶର ନାଗରିକଙ୍କ ଉପରେ ଚାପ ପକାଉଥିବା ଅଭିଯୋଗ ଆଣି ସୁରଜେୱାଲା କହିଛନ୍ତି କି ମୋଦୀ ସରକାର ଦେଶର ସୁରକ୍ଷା ସହିତ ଖେଳିଛନ୍ତି ।

ସୁରଜେୱାଲା ଆହୁରି ଅଭିଯୋଗ କରିଛନ୍ତି କି ସରକାର ରାହୁଲ ଗାନ୍ଧୀଙ୍କ ସହ ଅନ୍ୟ ନେତା ଓ ସାମ୍ବାଦିକମାନଙ୍କର ଫୋନ ଟ୍ୟାପିଂ କରାଇ ଦେଶଦ୍ରୋହ କାମ କରିଛନ୍ତି । ଏଥିପାଇଁ ଭାରତୀୟ ଜନତା ପାର୍ଟିର ନାମ ବଦଳାଇ ଭାରତୀୟ ଜାସୁସୀ ପାର୍ଟି ରଖିବାକୁ ସେ ବିଜେପିକୁ ଉପଦେଶ ଦେଇଛନ୍ତି ।

ଏବେ ଦେଶର ଗଣମାଧ୍ୟମ ଓ ଅର୍ନ୍ତରାଷ୍ଟ୍ରୀୟ ଗଣମାଧ୍ୟମ ଜରିଆରେ ଏ ଖବର ସାମ୍ନାକୁ ଆସିଛି କି, ମୋଦୀ ସରକାର ଇସ୍ରାଏଲୀ ସ୍ପାଇ ସଫ୍ଟୱେର କମ୍ପାନି ପେଗାସସ ମାଧ୍ୟମରେ ଦେଶରେ ଜଜଙ୍କ ସହ ନେତା ଓ ଅନ୍ୟ ସମ୍ମାନିତ ଲୋକମାନଙ୍କ ଫୋନ ଟ୍ୟାପିଂ କରାଇ ସେମାନଙ୍କ ସାମ୍ବିଧାନିକ ଅଧିକାର କ୍ଷୂର୍ଣ୍ଣ କରିଛନ୍ତି ବୋଲି ସୁରଜୱାଲା ଗଣମାଧ୍ୟମ ଆଗରେ କହିଛନ୍ତି । ସେହିପରି କଂଗ୍ରେସ ସାଂସଦ ମଲ୍ଲିକାର୍ଜୁନ ଖଡଗେ ଓ ଅଧିର ରଞ୍ଜନ ଚୌଧୁରୀ ଏହି ମାମଲାକୁ ନେଇ ଗୃହମନ୍ତ୍ରୀ ଅମିତ ଶାହାଙ୍କ ଇସ୍ତଫା ଦାବି କରିଛନ୍ତି ।

ଅନ୍ୟପଟେ କଂଗ୍ରେସର ଏଭଳି ଅଭିଯୋଗକୁ ଖଣ୍ଡନ କରିଛନ୍ତି ପୂର୍ବ ଆଇଟି ମନ୍ତ୍ରୀ ରବିଶଂକର ପ୍ରସାଦ । ସେ କହିଛନ୍ତି କି ଗୁପ୍ତଚର କାମ କରିବା କଂଗ୍ରେସର ଇତିହାସ । ସେ କହିଛନ୍ତି କି ବାୟରର ଖବର ପ୍ରଥମରୁ ମିଥ୍ୟା ବୋଲି ପ୍ରମାଣିତ ହୋଇ ସାରିଛି । ଏପଟେ ଆମ୍ନେଷ୍ଟି ଇଣ୍ଟରନ୍ୟାସନାଲର ମନୋଭାବ ସବୁବେଳେ ଭାରତ ବିରୋଧୀ ବୋଲି ସେ କହିଛନ୍ତି । ଅନ୍ୟପଟେ ମୌସୁମୀ ଅଧିବେଶନ ପୂର୍ବରୁ ଏହି ମାମଲାକୁ ସାମ୍ନାକୁ ଆଣିବା ନେଇ ସେ ପ୍ରଶ୍ନ ଉଠାଇଛନ୍ତି ।

ସମ୍ବନ୍ଧିତ ଖବର