କୋଲକାତା: କୋଲକାତାର ଆରଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲ୍‌ରେ ୩୧ ବର୍ଷ ବୟସ୍କା ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲା ପୂରା ଗରମ ଥିବା ବେଳେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କର ଏକ ମନ୍ତବ୍ୟ ଏବେ ନିଆଁରେ ଘିଅ ଢାଳିବା ପରି ହୋଇଛି। ଟ୍ରେନି ଡାକ୍ତରଙ୍କୁ ନ୍ୟାୟ ପାଇଁ ଲଢ଼େଇ କରି ହଜାର ହଜାର ଲୋକ ପ୍ରତିଦିନ ରାଜରାସ୍ତାକୁ ଓହ୍ଲାଉଥିବା ବେଳେ ମମତା ନିକଟରେ ସେସବୁକୁ ଭୁଲି ଆସୁଥିବା ଦୂର୍ଗାପୂଜା ଉପରେ ଧ୍ୟାନ ଦେବାକୁ କହିଛନ୍ତି। ତାଙ୍କର ଏପରି ଏକ ମନ୍ତବ୍ୟ ଏବେ ଲୋକଙ୍କ ଭିତରେ ତୀବ୍ର ଅସନ୍ତୋଷ ସୃଷ୍ଟି କରିଛି।

Advertisment

ଗତକାଲି ଗଣମାଧ୍ୟମକୁ ସମ୍ବୋଧିତ କରି ତ୍ରୁଣମୂଳ କଂଗ୍ରେସର ମୁଖ୍ୟ ମମତା କହିଛନ୍ତି, " ଆପଣ ଏପରି ପ୍ରତ୍ୟେକ ରାତିରେ ରାସ୍ତାରେ ବିରୋଧ କରୁଛନ୍ତି, ଏଥିରେ ଅନେକ ବୃଦ୍ଧ ଲୋକ ହଇରାଣ ହେଉଛନ୍ତି। ସେମାନେ ରାତିରେ ଶୋଇ ପାରୁନାହାନ୍ତି। ରାତି ୧୦ଟା ପରେ ମାଇକ୍‌ ବ୍ୟବହାର ଉପରେ ପ୍ରତିବନ୍ଧକ ଥିବା ସତ୍ତ୍ବେ ଆପଣ ତାହାକୁ ବ୍ୟବହାର କରି ବୃଦ୍ଧ ଲୋକଙ୍କ ଶୋଇବାରେ ବାଧା ଉପୁଜାଉଛନ୍ତି। ଘଟଣାକୁ ଏକ ମାସ ବିତିଗଲାଣି (ଅଗଷ୍ଟ ୯ ତାରିଖରେ ଘଟିଥି‌ଲା)। ମୁଁ ଆପଣମାନଙ୍କୁ ନ‌ିବେଦନ କରୁଛି ଯେ ଏବେ ପୂଜାକୁ ଫେରନ୍ତୁ। ବର୍ତ୍ତମାନ ତଦନ୍ତ ସିବିଆଇ ହାତରେ ଅଛି। ପୀଡ଼ିତାଙ୍କୁ ନିଶ୍ଚୟ ନ୍ୟାୟ ମିଳିବ’’

ମମତାଙ୍କ ଏହି ମନ୍ତବ୍ୟ ଉପରେ ପୀଡିତାଙ୍କ ପିତାମାତାଙ୍କଠାରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ତାଙ୍କ ମାଆ କହିଛନ୍ତି,‘‘ଆମେ ଯେତେବେଳେ ଆମ ଝିଅକୁ ହରାଇଛୁ ଆମର ପର୍ବପର୍ବାଣୀ କ’ଣ ହେବ? ଆମେ ପର୍ବପର୍ବାଣୀ ଆମ ଝିଅ ସହ ପାଳନ କରୁ। ଆଗାମୀ କୌଣସି ବର୍ଷରେ ଆମ ପାଇଁ କିଛି ପର୍ବ ନାହିଁ। ତାଙ୍କ ମନ୍ତବ୍ୟ ଆଦୌ ବି ସମ୍ବେଦନଶୀଳ ନୁହେଁ।’’