ମାତୃତ୍ୱ ଦିବସରେ ଯାଁଆଳା ଶିଶୁ କନ୍ୟାଙ୍କ ମା’ ହେଲେ ମଣିପୁରର ‘ଆଇରନ୍‌ ଲେଡି’ ଇରମ୍‌ ଶର୍ମିଲା

ବେଙ୍ଗାଲୁରୁ: ମଣିପୁରର ‘ଆଇରନ୍‌ ଲେଡି’ ଭାବେ ସମଗ୍ର ବିଶ୍ୱରେ ପରିଚିତି ଲାଭ କରିଥିବା ସାମାଜିକ କର୍ମୀ ଇରମ୍‌ ଶର୍ମିଲା ୪୬ ବର୍ଷ ବୟସରେ ଗତ ରବିବାର ମାତୃତ୍ୱ ଦିବସ ଅବସରରେ ଏକ ଯାଁଆଳା ଶିଶୁ କନ୍ୟାଙ୍କୁ ଜନ୍ମ ଦେବା ସହ ସେମାନଙ୍କ ମା’ ସାଜିବାର ଗୌରବ ଅର୍ଜନ କରିଛନ୍ତି। ଦୀର୍ଘ ୩୫ ସପ୍ତାହର ଗର୍ଭଧାରଣ ପରେ ଇରମ ଶର୍ମିଲା ଗତ ରବିବାର ଦିନ ବେଙ୍ଗାଲୁରୁର ଏକ ଘରୋଇ ହସ୍ପିଟାଲରେ ଅସ୍ତ୍ରୋପଚାର ଜରିଆରେ ଏହି ଯାଁଆଳା ଶିଶୁ କନ୍ୟାଙ୍କୁ ଜନ୍ମ ଦେଇଥିବା ଜାଣିବାକୁ ମିଳିଛି।

ଉଲ୍ଲେଖଯୋଗ୍ୟ, ଆର୍ମଡ ଫୋସେ୍‌ର୍ସ୍‌ ସ୍ପେଶାଲ ପାଓ୍ଵାର ଆକ୍ଟକୁ ବିରୋଧ କରି ଦୀର୍ଘ ୧୬ ବର୍ଷ କାଳ ଆମରଣ ଅନଶନରେ ବସିଥିବା ମଣିପୁରର ଇରମ ଶର୍ମିଲା ସମଗ୍ର ବିଶ୍ୱରେ ଏକ ଚର୍ଚ୍ଚିତ ବ୍ୟକ୍ତିତ୍ୱ ପାଲଟି ଥିଲେ। ପରବର୍ତ୍ତୀ ସମୟରେ ଗୋଆରେ ଜନ୍ମିତ ବ୍ରିଟିସ୍‌ ନାଗରିକ ଡେସମଣ୍ଡ କଟିନୋଙ୍କୁ ଗତ ୨୦୧୭ରେ ବିବାହ କରିବା ସହ କୋଡ଼ାଇକେନାଲରେ ନିଜର ବୈବାହିକ ଜୀବନ ଆରମ୍ଭ କରିଥିଲେ।

ଗତ ରବିବାର ପୂର୍ବହ୍ନ ୯ଟା ୨୧ ମିନିଟ ସମୟରେ ବେଙ୍ଗାଲୁରର ଏକ ଘରୋଇ ହସ୍ପିଟାଲରେ ଇରମ ଶର୍ମିଲା ତାଙ୍କର ଏହି ଯାଁଆଳା ଶିଶୁକନ୍ୟାଙ୍କୁ ଜନ୍ମ ଦେଇଥିଲେ। ଯାଁଆଳା ଶିଶୁକନ୍ୟାଙ୍କ ମଧ୍ୟରୁ ଜନ୍ମ ସମୟରେ ଜଣଙ୍କର ଓଜନ ୨.୧୬ କିଲୋ ଥିବା ବେଳେ  ଅନ୍ୟ ଜଣଙ୍କର ଓଜନ ୨.୧୫ କିଲୋ ଥିଲା।। ଇତିମଧ୍ୟରେ ଏହି ନବଜାତ ଶିଶୁକନ୍ୟାଙ୍କ ମଧ୍ୟରୁ ଜଣଙ୍କର ନାଁ ନିକ୍ସ ସାକ୍ଷୀ ରଖା ଯାଇଥିବା ବେଳେ ଅନ୍ୟ ଜଣଙ୍କର ନାଁ ଅଟମନ୍‌ ତାରା ରଖା ଯାଇଥିବା ଜାଣିବାକୁ ମିଳିଛି।

ସମ୍ବନ୍ଧିତ ଖବର