ନୂଆଦିଲ୍ଲୀ: ବାପା, ଆପଣଙ୍କ ଆଖିରେ ଭାରତ ଲାଗି ଯେଉଁ ସ୍ବପ୍ନ ଥିଲା ତାହା ଏଇ ଅମୂଲ୍ୟ ସ୍ମୃତିରେ ଉଛୁଳି ପଡୁଛି ବୋଲି ଆଜି ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ଜନ୍ମଦିନରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ପୁତ୍ର ରାହୁଲ୍‌ ଗାନ୍ଧୀ କହିଛନ୍ତି।

Advertisment

ହିନ୍ଦୀ ଭାଷାରେ ‘ଏକ୍ସ୍‌’ କରି ରାହୁଲ୍‌ ଲେଖିଛନ୍ତି: ବାପା, ଆପଣଙ୍କ ଆଖିରେ ଭାରତ ଲାଗି ଯେଉଁ ସ୍ବପ୍ନ ସବୁ ଥିଲା ତାହା ଏହି ଅମୂଲ୍ୟ ସ୍ମୃତିରେ ଉଛୁଳି ପଡୁଛି। ଆପଣଙ୍କ ପଦାଙ୍କ ମ‌ୋର ପଥ ଅଟେ- ପ୍ରତି ଭାରତୀୟଙ୍କ ସଂଘର୍ଷ ଓ ଅଭିଳାଷକୁ ବୁଝି ପାରୁଛି, ଭାରତ ମାତାର ଆହ୍ବାନ ଶୁଣିପାରୁଛି।

ଏହି ‘ଏକ୍ସ୍‌’ ପୋଷ୍ଟ୍‌ରେ ଛୋଟ ଭିଡିଓଟିଏ ବି ସାମିଲ କରାଯାଇଛି। ଏଥିରେ ସାଧାରଣ ଜନତାର ଫଟୋ ଏବଂ ରାଜୀବ ଗାନ୍ଧୀଙ୍କ ବକ୍ତବ୍ୟର ଉଦ୍ଧୃତି ରହିଛି। ସେ ଉଦ୍ଧୃତି ସବୁରେ ରହିଛି ମାନବ ସେବା‌ ଲାଗି ବଳିଷ୍ଠ, ସ୍ବାଧୀନ, ଆତ୍ମନିର୍ଭର ଭାରତ ଲାଗି ତାଙ୍କର ପରିକଳ୍ପନା।

publive-image Image Courtesy of newstrack

ସୂଚନାଯୋଗ୍ୟ, ସମ୍ପ୍ରତି ଲଦାଖ ଗସ୍ତରେ ଥିବା ରାହୁଲ୍‌ ଗାନ୍ଧୀ ଆଜି ପୋଙ୍ଗାଙ୍ଗ୍‌ ହ୍ରଦ କୂଳରେ ବାପାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରି ପୂଜା କରିବେ।

ଏ ବିଷୟରେ ଜମ୍ମୁ ଓ କଶ୍ମୀର ପ୍ରଦେଶ କଂଗ୍ରେସ ସଭାପତି ୱିକାର୍‌ ରସୁଲ ୱାନି ଗଣମାଧ୍ୟମକୁ କହିଛନ୍ତି, ଆଜି ରାହୁଲ୍‌ ଗାନ୍ଧୀ ଏଠାରେ ରାଜୀବ ଗାନ୍ଧୀଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିବେ। ରାଜୀବ ଗାନ୍ଧୀ ଦେଶ ଲାଗି ଜୀବନ ଉତ୍ସର୍ଗ କରିଥିଲେ। ତାଙ୍କୁ ସ୍ମରଣ କରିବା ଲାଗି ଆମେ ଏଠାରେ ଏକତ୍ର ହୋଇଛୁ।

ଦିଲ୍ଲୀସ୍ଥିତ ବୀର ଭୂମିରେ ରାହୁଲ୍‌ଙ୍କ ଭଉଣୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଓ ମାଆ ସୋନିଆ ରାଜୀବ ଗାନ୍ଧୀଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।

କଂଗ୍ରେସ ପାର୍ଟି ମଧ୍ୟ ‘ଏକ୍ସ୍‌’ କରି ଲେଖିଛି: ଏକବିଂଶ ଶତାବ୍ଦୀ ଭାରତର ନିର୍ମାତା ରାଜୀବ ଗାନ୍ଧୀଙ୍କୁ ‘ସୂଚନା ପ୍ରଯୁକ୍ତିର ଜନକ’ କୁହାଯିବା ଯଥାର୍ଥ। ଜଣେ ଅସାଧାରଣ ନେତା ଭାବେ ତାଙ୍କ ଅନ୍ତର୍ଦୃଷ୍ଟି ଭାରତୀୟ ରାଜନୀତିରେ ଅଲିଭା ଦାଗ ଛାଡ଼ି ଯାଇଛି। ଚିରକାଳ ଲାଗି ଦେଶକୁ ପରିବର୍ତ୍ତନ କରିଥିବା ଭାରତର କନିଷ୍ଠତମ ପ୍ରଧାନମନ୍ତ୍ରୀଙ୍କ ପ୍ରତି ଆମର ଆନ୍ତରିକ ଶ୍ରଦ୍ଧାଞ୍ଜଳି।