ଅନଲକ୍ ୫.୦ : ସ୍କୁଲ ଓ ଶିକ୍ଷାନୁଷ୍ଠାନ ଖୋଲିବା ନିଷ୍ପତ୍ତି ରାଜ୍ୟ ସରକାରଙ୍କ ଉପରେ ଛାଡ଼ିଲା କେନ୍ଦ୍ର

ନୂଆଦିଲ୍ଲୀ : ଆଜି କେନ୍ଦ୍ର ସରକାର ଅନଲକ୍ ୫.୦ ଲାଗି ଗାଇଡଲାଇନ ଜାରି କରିଛନ୍ତି । ଏହା ଅକ୍ଟୋବର ୧ରୁ ଅକ୍ଟୋବର ୩୧ ପର୍ଯ୍ୟନ୍ତ ବଳବତ୍ତର ରହିବ । ଏହି ନୂଆ ଗାଇଡଲାଇନରେ ସ୍କୁଲ ଓ ଶିକ୍ଷାନୁଷ୍ଠାନ ଖୋଲିବା ସଂପର୍କରେ ନିଷ୍ପତ୍ତି ନେବାକୁ ରାଜ୍ୟ ସରକାରମାନଙ୍କୁ ଅନୁମତି ଦିଆଯାଇଛି ।

କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଜାରି ଗାଇଡଲାଇନରେ କୁହାଯାଇଛି ଯେ ଅକ୍ଟୋବର ୧୫ ପରେ ରାଜ୍ୟମାନେ ସ୍କୁଲ, କଲେଜ, କୋଚିଂ ସେଣ୍ଟର ଓ ଅନ୍ୟ ଶିକ୍ଷାନୁଷ୍ଠାନଗୁଡ଼ିକୁ ପର୍ଯ୍ୟାୟକ୍ରମେ ଖୋଲିବା ସଂପର୍କରେ ନିଷ୍ପତ୍ତି ନେଇପାରିବେ । ତେବେ ରାଜ୍ୟ ସରକାରମାନେ ସଂପୃକ୍ତ ଶିକ୍ଷାନୁଷ୍ଠାନର ପରିଚାଳନା କମିଟି ସହ ଆଲୋଚନା କରି ଓ ପରିସ୍ଥିତିକୁ ଦେଖି ଏ ସମ୍ପର୍କିତ ନିଷ୍ପତ୍ତି ନେଇପାରିବେ ।

ଅନ୍ୟପକ୍ଷରେ ଅନଲାଇନ ଶିକ୍ଷାଦାନ ଉପରେ ଗୁରୁତ୍ୱ ବଜାୟ ରଖିବାକୁ କେନ୍ଦ୍ର ସରକାର ପରାମର୍ଶ ଦେଇଛନ୍ତି । ଯେଉଁ ପିଲାମାନେ ସ୍କୁଲ ଯିବାକୁ ଚାହିଁବେ, ସେମାନେ ନିଜ ଅଭିଭାବକଙ୍କ ଲିଖିତ ଅନୁମତି ନେଇ ଯାଇପାରିବେ । କିନ୍ତୁ ସ୍କୁଲ ଓ ଶିକ୍ଷାନୁଷ୍ଠାନମାନେ ଛାତ୍ରଛାତ୍ରୀମାନଙ୍କ ଉପସ୍ଥାନକୁ ବାଧ୍ୟତାମୂଳକ କରିପାରିବେ ନାହିଁ । ଯେଉଁ ସ୍କୁଲମାନେ ଖୋଲିବାକୁ ଚାହିଁବେ ସେମାନେ ନିଜ ରାଜ୍ୟର ଶିକ୍ଷା ବିଭାଗ ଦ୍ୱାରା ଜାରି ଏସଓପି ପାଳନ କରିବାକୁ ବାଧ୍ୟ ହେବେ ।

ଅକ୍ଟୋବର ୧୫ ପରେ ପରିସ୍ଥିତିକୁ ଦେଖି  କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ ଗୃହ ମନ୍ତ୍ରାଳୟ ସହ ପରାମର୍ଶ କରି, ଉଚ୍ଚ ଶିକ୍ଷାନୁଷ୍ଠାନଗୁଡ଼ିକ ଖୋଲିବା ସମ୍ପର୍କରେ ନିଷ୍ପତ୍ତି ନେଇପାରିବ । ତେବେ ଅନଲାଇନ ଶିକ୍ଷାଦାନ ଉପରେ ଗୁରୁତ୍ୱ ବଜାୟ ରଖିବାକୁ କେନ୍ଦ୍ର ସରକାର ପରାମର୍ଶ ଦେଇଛନ୍ତି । ବିଜ୍ଞାନରେ ପିଏଚଡି କରୁଥିବା ଛାତ୍ରଛାତ୍ରୀ, ଯେଉଁମାନଙ୍କ ପାଇଁ ବିଜ୍ଞାନାଗାର ଗବେଷଣା ଜରୁରୀ ସେମାନଙ୍କୁ ୧୫ ତାରିଖ ପରେ ଅନୁମତି ଦିଆଯିବ ।

ସମ୍ବନ୍ଧିତ ଖବର