ପାକ-ଅଧିକୃତ କଶ୍ମୀରରେ ଆତଙ୍କବାଦୀ ସଂଗଠନ ଜୈସର ବଡ଼ ର‍୍ୟାଲି, ଭାରତ ବିରୋଧରେ ଲଢେଇ ପାଇଁ ଆହ୍ଵାନ

ମୁଜାଫରାବାଦ : ଭାରତ ସରକାର ଜମ୍ମୁ ଓ କଶ୍ମୀରରୁ ଧାରା ୩୭୦ ପ୍ରତ୍ୟାହାର କରିବା ପରେ ପାକିସ୍ତାନ ପାଇଁ ଏକ ବଡ଼ ଧକ୍କା ସଦୃଶ ହୋଇଛି । ପାକିସ୍ତାନ ସରକାରଙ୍କଠାରୁ ଆରମ୍ଭ କରି ଆତଙ୍କବାଦୀ ସଂଗଠନ ସମସ୍ତେ ଏହାକୁ ନେଇ ପ୍ରବଳ ପ୍ରତିକ୍ରିୟା ପ୍ରକାଶ କରୁଛନ୍ତି । ପାକିସ୍ତାନ ସରକାର ଏହି ପ୍ରସଙ୍ଗ ଜାତିସଂଘର ନିରାପତ୍ତା ପରିଷଦରେ ଉଠାଇଥିବାବେଳେ ଆତଙ୍କବାଦୀ ସଂଗଠନ ଜୈସ-ଇ-ମହମ୍ମଦ ଭାରତ ବିରୋଧରେ ଜିହାଦ ଧମକ ଦେଇଛି ।

ପାକ-ଅଧିକୃତ କଶ୍ମୀରର ମୁଜାଫରାବାଦଠାରେ ଭାରତ ବିରୋଧରେ ଏକ ବଡ଼ ର‍୍ୟାଲି ବାହାର କରିଛି ଜୈସ । ଏହି ସଂଗଠନ ପକ୍ଷରୁ କୁହାଯାଇଛି ଯେ ପାକିସ୍ତାନ ଯେପରି କଶ୍ମୀର ପ୍ରସଙ୍ଗକୁ ଏବେ ଅନ୍ତର୍ଜାତୀୟ ସ୍ତରରେ ଉଠାଉଛି, ପୂର୍ବରୁ ତାହା କରିବାର ଥିଲା । ଭାରତ ବିରୋଧରେ ଲଢେଇ କରିବାକୁ ଓ ସବୁପ୍ରକାରର ପରିସ୍ଥିତି ପ୍ରତି ପ୍ରସ୍ତୁତ ରହିବାକୁ ଏହି ସଂଗଠନ ଆହ୍ଵାନ ଜଣାଇଛି ।

ଭାରତ ସରକାର ଗତ ଅଗଷ୍ଟ ୫ ତାରିଖରେ ଜମ୍ମୁ ଓ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ଓ ରାଜ୍ୟକୁ ଦୁଇଟି କେନ୍ଦ୍ର ଶାସିତ ଅଞ୍ଚଳରେ ପରିଣତ କରିବା ଲାଗି ନିଷ୍ପତ୍ତି ନେଇଥିଲେ ।

ସମ୍ବନ୍ଧିତ ଖବର