ବିଜୟ ଦିବସର ୫୦ତମ ପୂର୍ତ୍ତି, ୯୩ ହଜାର ପାକ୍‌ ସୈନିକ ଭୂଇଁ ଚାଟିଥିଲେ

ନୂଆଦିଲ୍ଲୀ : ପ୍ରତିବର୍ଷ ଆଜିର ଦିବସକୁ ଦେଶରେ ବିଜୟ ଦିବସ ଭାବେ ପାଳନ କରାଯାଇଆସୁଛି। ଠିକ୍‌ ୫୦ ବର୍ଷ ତଳେ ବାଂଲାଦେଶ ସୃଷ୍ଟି ପାଇଁ ଉଦ୍ଦିଷ୍ଟ ୧୯୭୧ ଯୁଦ୍ଧ ବେଳେ ୯୩ ହଜାର ପାକିସ୍ତାନୀ ସୈନିକଙ୍କୁ ଭାରତୀୟ ଯବାନମାନେ ଯେଭଳି ଆତ୍ମସମର୍ପଣ କରିବା ପାଇଁ ବାଧ୍ୟ କରିଥିଲେ, ସେହି ମୁହୂର୍ତ୍ତକୁ ମନେ ପକାଇବା ଲାଗି ଏପରି ପାଳନ କରାଯାଇ ଆସୁଛି। ପାକିସ୍ତାନୀ ସେନାଧ୍ୟକ୍ଷ ଜେନେରାଲ ଆମିର ଅବଦୁଲ୍ଲା ଖାଁ ନିଆଜି ବିନା ସର୍ତ୍ତରେ ନିଜ ସୈନ୍ୟସାମନ୍ତଙ୍କ ସହ ଭାରତୀୟ ସେନା ପାଖରେ ଏହି ଦିନ ମୁଣ୍ଡ ନୁଆଁଇଥିଲେ। ସୂଚନା ଥାଉକି, ପୂର୍ବ ପାକିସ୍ତାନ(ବର୍ତ୍ତମାନର ବାଂଲାଦେଶ)ରେ ପାକିସ୍ତାନ ସେନା ଚଳାଇଥିବା ଉତ୍ପୀଡ଼ନରେ ୩ ଲକ୍ଷ ଲୋକଙ୍କର ମୃତ୍ୟୁ ଘଟିବା ସହ ୧୦ ଲକ୍ଷରୁ ଅଧିକ ଶରଣାର୍ଥୀ ଭାରତରେ ଆସି ଆଶ୍ରୟ ନେଇଥିଲେ। ତେବେ ଶେଷରେ ବଙ୍ଗାଳୀ ମୁସଲିମ୍‌ ଓ ହିନ୍ଦୁମାନଙ୍କୁ ସୁରକ୍ଷା ଦେବା ପାଇଁ ଭାରତ ସରକାର ୧୯୭୧ ଡିସେମ୍ବର ୩ ତାରିଖରେ ପାକିସ୍ତାନ ସହ ଯୁଦ୍ଧ ଆପଣେଇବାକୁ ପସନ୍ଦ କରିଥିଲେ। ଦୀର୍ଘ ୧୩ ଦିନର ଯୁଦ୍ଧ ଚାଲିବା ପରେ ପାକିସ୍ତାନ ସେନାଧ୍ୟକ୍ଷ ଜେନେରାଲ ନିଆଜି ଅନନ୍ୟୋପାୟ ହୋଇପଡ଼ିଥିଲେ।

ସେ ବାଧ୍ୟ ହୋଇ ବିନା ସର୍ତ୍ତରେ ଡିସେମ୍ବର ୧୬ ତାରିଖରେ ଭାରତ ପାଖରେ ଆତ୍ମସମର୍ପଣ ଚୁକ୍ତିରେ ସ୍ବାକ୍ଷର କରିଥିଲେ। ସେତେବେଳେ ଭାରତୀୟ ସ୍ଥଳବାହିନୀ ମୁଖ୍ୟ ଫିଲ୍‌ଡ ମାର୍ଶାଲ ସାମ୍‌ ମାନେକ୍ସା ପାକିସ୍ତାନକୁ ଦେଇଥିବା ଧମକ ଏବେ ବି କାନରେ ଗୁଞ୍ଜରିତ ହେଲେ ଭାରତୀୟଙ୍କର ମନ ଅଦମ୍ୟ ଆହ୍ଲାଦରେ ଶିହରିତ ହୋଇଯାଏ। ଡିସେମ୍ବର ୧୩ ତାରଖରେ ସେ କହିଥିଲେ, ‘ତୁମେ ଆତ୍ମସମର୍ପଣ କରିବ ନା ତୁମକୁ ମୂଳପୋଚ୍ଛ କରିଦେବୁ’। ତାଙ୍କର ଧମକ ଏବଂ ଭାରତୀୟ ଯବାନମାନଙ୍କ ଉଦ୍ଦାମ ବୀରତ୍ବ ପାଖରେ ପାକିସ୍ତାନ ହାର ମାନିବାକୁ ପଡ଼ିଥିଲା। ଏହି ଯୁଦ୍ଧର ପରିଣାମ ବାଂଲାଦେଶ ସୃଷ୍ଟି ସହ ପାକିସ୍ତାନ ବିରୋଧରେ ଭାରତୀୟ ସେନାର ସବୁଠୁ ବଡ଼ ବିଜୟ ଭାବେ ବିବେଚିତ। ଏପରିକି ବିଂଶ ଶତାବ୍ଦୀର ଏହା ଅନ୍ୟତମ ହିଂସ୍ର ଯୁଦ୍ଧର ମାନ୍ୟତା ମଧ୍ୟ ରଖିଛି। ପାକିସ୍ତାନ ସହ ଯୁଦ୍ଧରେ ପ୍ରାଣବଳି ଦେଇଥିବା ବୀର ଯବାନମାନଙ୍କୁ ଏହି ଅବସରରେ ବୁଧବାର ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି। ଚଳିତ ବର୍ଷକୁ ସ୍ବର୍ଣ୍ଣିମ ବିଜୟ ବର୍ଷ ଭାବେ ପାଳନ କରାଯିବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନୂଆଦିଲ୍ଲୀ ସ୍ଥିତ ଜାତୀୟ ଯୁଦ୍ଧ ସ୍ମାରକୀଠାରେ ସ୍ବର୍ଣିମ ବିଜୟ ମଶାଲକୁ ପ୍ରଜ୍ବଳିତ କରିଥିଲେ। ସେନାବାହିନୀର ତିନିଟି ବିଭାଗ ପାଇଁ ଉଦ୍ଦିଷ୍ଟ ଏହି ତିନିଟି ମଶାଲକୁ ଦେଶବ୍ୟାପୀ ଶୋଭାଯାତ୍ରାରେ ନିଆଯିବାର କାର୍ଯ୍ୟକ୍ରମ ରହିଛି। ଅସୀମ ବୀରତ୍ବ ପ୍ରଦର୍ଶନ କରିଥିବା ପରମ ବୀର ଚକ୍ର ଏବଂ ମହାବୀରଚକ୍ର ସମ୍ମାନଧାରୀଙ୍କ ଗ୍ରାମକୁ ଏହା ଛୁଇଁବ ବୋଲି ଜଣାଯାଇଛି।

ସମ୍ବନ୍ଧିତ ଖବର