ମୋଦୀ ସରକାରର ୯ ବର୍ଷ ପୂର୍ତ୍ତି ଅବସରରେ: କଂଗ୍ରେସର ୯ ପ୍ରଶ୍ନ, ବିଜେପିର ଜବାବ

ନୂଆଦିଲ୍ଲୀ : ମୋଦୀ ସରକାରକୁ ଆଜି ୯ ବର୍ଷ ପୂରିଛି। ଏହି ଅବସରରେ କଂଗ୍ରେସ ଆଜି ମୋଦୀ ସରକାରକୁ ୯ଟି ପ୍ରଶ୍ନ କରିଛି। ଦରବୃଦ୍ଧି, ବେକାରୀ ସମସ୍ୟା, କୃଷି ଓ କୃଷକ, ଦୁର୍ନୀତି, ଚୀନ୍‌ ଏବଂ ଜାତୀୟ ସୁରକ୍ଷା, ସାମାଜିକ ସଦ୍‌ଭାବନା, ସାମାଜିକ ନ୍ୟାୟ, ଗଣତନ୍ତ୍ର, କଲ୍ୟାଣକାରୀ ଯୋଜନା ଏବଂ କରୋନା ପରିଚାଳନା ସଂକ୍ରାନ୍ତରେ କଂଗ୍ରେସ ମୋଦୀ ସରକାରଙ୍କୁ ୯ଟି ପ୍ରଶ୍ନ କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ନିରବତା ଭାଙ୍ଗି ଏହି ସମସ୍ତ ୯ଟି ପ୍ରଶ୍ନର ଉତ୍ତର ଦେବା ଉଚିତ ବୋଲି କଂଗ୍ରେସ ଦାବି କରିଛି। କଂଗ୍ରେସ କହିଛି ବିଜେପି ଆଜିର ଦିନକୁ ‘ମାଫି ଦିବସ ’ଭାବେ ପାଳନ କରିବା ଉଚିତ। ତେବେ ବିଜେପି କଂଗ୍ରେସର ସମସ୍ତ ୯ଟି ଯାକ ପ୍ରଶ୍ନର ଉତ୍ତର ଦେଇଛି।

କଂଗ୍ରେସ ପ୍ରଶ୍ନର ଜବାବ ଦେଇଛନ୍ତି ବିଜେପି ନେତା ରବି ଶଙ୍କର ପ୍ରସାଦ। ରବି ଶଙ୍କର କହିଛନ୍ତି, ସମାଲୋଚନା ପାଇଁ କଂଗ୍ରେସ କୌଣସି ପ୍ରଶ୍ନ କରିନି ବରଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରତି କଂଗ୍ରେସର ଅତ୍ୟନ୍ତ ଘୃଣା ଓ ହତାଶାଭାବ ପାଇଁ କଂଗ୍ରେସ ଏହି ପ୍ରଶ୍ନ କରିଛି। କଂଗ୍ରେସର କୋଭିଡ୍‌ ପରିଚାଳନା ସଂକ୍ରାନ୍ତ ପ୍ରଶ୍ନର ଉତ୍ତର ରଖି ରବି ଶଙ୍କର କହିଛନ୍ତି, କଂଗ୍ରେସ କେବଳ ମିଛ କହୁନାହିଁ ବରଂ ଏହା ଲଜ୍ଜାହୀନତାକୁ ପଦାରେ ପକାଇ ଦେଇଛି। ସାରା ବିଶ୍ବ ଭାରତର କରୋନା ମୁକାବିଲାକୁ ପ୍ରଶଂସା କରୁଥିବା ବେଳେ କଂଗ୍ରେସ ଭାରତର କରୋନା ପରିଚାଳନାକୁ ନେଇ ପ୍ରଶ୍ନ ଉଠାଇଛି। ଭାରତର କୋଭିଡ୍‌ ପରିଚାଳନାକୁ ସମଗ୍ର ବିଶ୍ବ ଗ୍ରହଣ କରିଥିବା ସେ କହିଛନ୍ତି। ଭାରତର ଅର୍ଥନୀତି ସଂକ୍ରାନ୍ତରେ କଂଗ୍ରେସର ପ୍ରଶ୍ନ ସଂକ୍ରାନ୍ତରେ ଉତ୍ତର ରଖି ରବି ଶଙ୍କର କହିଛନ୍ତି, ଭାରତର ଅର୍ଥନୀତି ୨୦୧୪ରେ ୧ ଟ୍ରିଲିଅନ ଡଲାର ଥିଲା କିନ୍ତୁ ଏବେ ୩.୫ ଟ୍ରିଲିଅନ ଡଲାର ଅତିକ୍ରମ କରିଯାଇଛି।

ଦରବୃଦ୍ଧି ପ୍ରସଙ୍ଗରେ ପ୍ରସାଦ ବିଶ୍ବର ବିଭିନ୍ନ ରାଷ୍ଟ୍ର ସହ ଭାରତର ସ୍ଥିତିକୁ ତୁଳନା କରି ଉତ୍ତର ରଖିଛନ୍ତି। ପ୍ରସାଦ କହିଛନ୍ତି, ଭାରତରେ ବାର୍ଷିକ ମୁଦ୍ରାସ୍ଫୀତି ୨୦୨୩ ଏପ୍ରିଲରେ ୪.୭ ପ୍ରତିଶତ ଥିବାବେଳେ ଆମେରିକାରେ ମୁଦ୍ରାସ୍ଫୀତି ୮.୯ ପ୍ରତିଶତ, ଅଷ୍ଟ୍ରେଲିଆରେ ୮.୫ ପ୍ରତିଶତ, ଫ୍ରାନ୍ସରେ ୧୭.୫ ପ୍ରତିଶତ, ସ୍ବି‌ଡେନରେ ୨୧.୨ ପ୍ରତିଶତ ଏବଂ ଜର୍ମାନୀରେ ମୁଦ୍ରାସ୍ଫୀତି ୨୩.୫ ପ୍ରତିଶତ ରହିଛି। ସେହିପରି କୃଷକଙ୍କ ପ୍ରସଙ୍ଗରେ କଂଗ୍ରେସ ପ୍ରଶ୍ନର ଉତ୍ତର ଦେଇ ପ୍ରସାଦ କହିଛନ୍ତି, କଂଗ୍ରେସ ଏମ୍‌ଏସପି ପ୍ରସଙ୍ଗରେ ମିଛ କହୁଛି। ୨୦୧୪-୧୫ରେ ଚାଉଳ ପାଇଁ ଏମ୍‌ଏସପି ପ୍ରତି କ୍ବିଣ୍ଟାଲ ପିଛା ୧୩୬୦ ଟଙ୍କା ଥିବାବେଳେ ଏବେ ଏହା କ୍ବିଣ୍ଟାଲ ପିଲା ୨,୦୪୦ ଟଙ୍କାରେ ପହଞ୍ଚିଛି। କଂଗ୍ରେସ ଅଭିଯୋଗ କରିବା ପୂର୍ବରୁ ନିଜର ତଥ୍ୟକୁ ଠିକ୍‌ କରିନେବା ଉଚିତ ବୋଲି ପ୍ରସାଦ କହିଛନ୍ତି। ଦୁର୍ନୀତି ପ୍ରସଙ୍ଗରେ କଂଗ୍ରେସ କରିଥିବା ପ୍ରଶ୍ନର ଉତ୍ତର ଦେଇ କଂଗ୍ରେସ ଶାସନ ସମୟରେ ହୋଇଥିବା ବିଭିନ୍ନ ଦୁର୍ନୀତି ତଥା ୨ଜି ଦୁର୍ନୀତି, କମନୱେଲ୍‌ଥ ଗେମ୍‌ସ, ଆଦର୍ଶ ସ୍କାମ୍‌, ‌ବୋଫୋର୍ସ ଦୁର୍ନୀତି ପ୍ରସଙ୍ଗରେ ରବି ଶଙ୍କର ପ୍ରସାଦ ମନେ ପକାଇ ଦେଇଛନ୍ତି।

ସମ୍ବନ୍ଧିତ ଖବର