ନୂଆଦିଲ୍ଲୀ: ନେସନାଲ ହେରାଲ୍ଡ ମାମଲାରେ କଂଗ୍ରେସ ନେତା ରାହୁଲ ଗାନ୍ଧି ଲଗାତାର ତୃତୀୟ ଦିନରେ ଆଜି ଜେରା ପାଇଁ ଇଡି (ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ)ରେ ହାଜର ହୋଇଛନ୍ତି। ଜେଡ୍ ପ୍ଲସ୍ ସୁରକ୍ଷା ମଧ୍ୟରେ ରାହୁଲ ଆଜି ପୂର୍ବାହ୍ନ ପ୍ରାୟ ୧୧.୩୫ରେ କେନ୍ଦ୍ରୀୟ ଦିଲ୍ଲୀର ଅବଦୁଲ କଲାମ ରୋଡ୍ ସ୍ଥିତ ଇଡି ମୁଖ୍ୟାଳୟରେ ହାଜର ହୋଇଥିଲେ। ରାହୁଲଙ୍କ ସହ ତାଙ୍କ ଭଉଣୀ ତଥା କଂଗ୍ରେସ ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧି ମଧ୍ୟ ଇଡି ଅଫିସ୍ ଯାଇଥିଲେ। ୩ ଘଣ୍ଟା ଜେରା ପରେ ରାହୁଲ ଆଜି ଲଞ୍ଚ୍ ବ୍ରେକ୍ ପାଇଁ କିଛି ସମୟ ଇଡି ଅଫିସ୍ ଛାଡ଼ିଥିଲେ ଏବଂ ପୁଣିଥରେ ଅପରାହ୍ନ ୪ଟାରେ ଆସି ହାଜର ହୋଇଥିଲେ। ରାହୁଲଙ୍କୁ ତିନି ଦିନରେ ପ୍ରାୟ ୩୦ ଘଣ୍ଟା ଜେରା ହୋଇଛି। ଆସନ୍ତା ଶୁକ୍ରବାର ଦିନ ପୁଣି ଜେରା ହେବ। ୟଙ୍ଗ୍ ଇଣ୍ଡିଆନ୍ କମ୍ପାନି, ନେସନାଲ ହେରାଲ୍ଡ ଖବରକାଗଜର କାର୍ଯ୍ୟ ଏବଂ କଂଗ୍ରେସ ଦ୍ବାରା ଏଜେଏଲ୍ (ଆସୋସିଏଟେଡ୍ ଜର୍ଣ୍ଣାଲ୍ସ ଲିମିଟେଡ୍)କୁ ଦିଆଯାଇଥିବା ଋଣ ସଂକ୍ରାନ୍ତରେ ପ୍ରାୟ ୧୫-୧୬ଟି ପ୍ରଶ୍ନ ରାହୁଲଙ୍କୁ କରାଯାଇଥିବା ଏକ ବିଶେଷ ସୂତ୍ରରୁ ଜଣାପଡ଼ିଛି। ତେବେ ରାହୁଲ ଗାନ୍ଧି ୟଙ୍ଗ୍ ଇଣ୍ଡିଆନ୍ରୁ ଗୋଟିଏ ପଇସା ବି ନେଇନାହାନ୍ତି ବୋଲି ଆଜି ଇଡି ଜେରା ସମୟରେ କହିଛନ୍ତି। ରାହୁଲଙ୍କୁ ଜେରା ଜାରି ରହିଥିବାବେଳେ ଆଜି ଇଡି ଅଫିସ ଏବଂ କଂଗ୍ରେସ ମୁଖ୍ୟାଳୟ ବାହାରେ ଆନ୍ଦୋଳନ ହୋଇଛି। ଦିଲ୍ଲୀ ପୁଲିସ ଦ୍ବାରା ଆଜି ମଧ୍ୟ ୧୫୦ରୁ ଅଧିକ ଲୋକଙ୍କୁ ଅଟକ ରଖାଯାଇଛି। ଉଲ୍ଲେଖଯୋଗ୍ୟ, କଂଗ୍ରେସ ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କୁ ଏହି ମାମଲାରେ ଆସନ୍ତା ୨୩ ତାରିଖରେ ଜେରା ପାଇଁ ହାଜର ହେବାକୁ ସମନ କରାଯାଇଛି।
ତୃତୀୟ ଦିନରେ ରାହୁଲଙ୍କୁ ଇଡି ଜେରା: ‘ୟଙ୍ଗ୍ ଇଣ୍ଡିଆନ୍ରୁ ଗୋଟିଏ ପଇସା ବି ନେଇନାହିଁ’
/sambad/media/post_attachments/wp-content/uploads/2022/06/rahul-3.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)