ନୂଆଦିଲ୍ଲୀ: ଖୋଲୁଛି ପାକିସ୍ତାନୀ ଗୁପ୍ତଚର ଜ୍ୟୋତି ମଲହୋତ୍ରାଙ୍କ ପାକ୍ ପ୍ରେମର ଗୋଟେ ପରେ ଗୋଟେ ପୃଷ୍ଠା । ଧିରେଧିରେ ସାମ୍ନାକୁ ଆସୁଛି ହରିୟାଣା ୟୁଟ୍ୟୁବର ଜ୍ୟୋତି ମଲହୋତ୍ରାଙ୍କୁ ନେଇ ଚାଞ୍ଚଲ୍ୟକର ତଥ୍ୟ । ତଦନ୍ତକାରୀ ସଂସ୍ଥା ହାତରେ ଲାଗିଥିବା ଜ୍ୟୋତିଙ୍କ ଡାଏରୀର କିଛି ପୃଷ୍ଠାରେ ପାକିସ୍ତାନ ପ୍ରେମ ନେଇ ରହିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ । ଏଥିରେ ଜ୍ୟୋତିଙ୍କ ପାକ୍ ପ୍ରେମ ସଫା ସଫା ଦେଖିବାକୁ ମିଳୁଛି । ନିଜ ୧୦ ଦିନିଆ ପାକିସ୍ତାନ ଗସ୍ତରେ ପାକିସ୍ତାନ ଲୋକଙ୍କ ପ୍ରଶଂସା କରି ଡାଏରୀରେ ଉଲ୍ଲେଖ କରିଛନ୍ତି ଜ୍ୟୋତି । 

Advertisment

କେମିତି ୱାଘା ବର୍ଡର ଦେଇ ପାକିସ୍ତାନ ଗଲାବେଳେ ସେ ଇମୋସନାଲ ହୋଇପଡିଲେ ଆଉ ଲାହୋରରେ କେମିତି ସେ ୨୦ ଟଙ୍କାରେ ରିକ୍ସାରେ ବସି ପାକିସ୍ତାନ ବୁଲୁଥିଲେ ସବୁ କଥା ଲେଖିଛନ୍ତି । ଜ୍ୟୋତିଙ୍କ ଡାଏରୀର ୧୦ରୁ ୧୧ ପୃଷ୍ଠା କେବଳ ପାକିସ୍ତାନ ବାବଦରେ ହିଁ ଲେଖାଅଛି । ଜ୍ୟୋତି ନିଜ ଡାଏରୀରେ ପାକିସ୍ତାନର ଆତିଥ୍ୟତାକୁ ଭୂରି ଭୂରି ପ୍ରଶଂସା କରିଥିବା ବେଳେ ଭାରତର ହିନ୍ଦୁମାନେ ଥରେ ଥରେ ପାକିସ୍ତାନ ଯାଇ ବୁଲିଆସିବା ଦରକାର ବୋଲି କହିଛନ୍ତି । ଆଉ ପାକିସ୍ତାନ ସରକାର ସବୁ ଭାରତୀୟଙ୍କ ପରିଭ୍ରମଣରେ କଣକଣା ନଲଗାଇବାକୁ ଅନୁରୋଧ କରିଛନ୍ତି । 

କହିବାକୁ ଗଲେ ଏକପ୍ରକାର ଭାରତର ଝିଅ ହୋଇ, ଭାରତର ଲୁଣ ଖାଇ ସେ ପାକିସ୍ତାନର ଗୁଣ ଗାନ କରୁଥିଲେ । ସୂଚନା ଅନୁସାରେ, ଜ୍ୟୋତି ମଲହୋତ୍ରା ପାକିସ୍ତାନର ଏକ ଅପରେସନରେ ସାମିଲ ଥିଲେ, ଯେଉଁଠି କ୍ୟୁରେଟିଭ୍ ନେରେଟିଭ୍ ସେଟ୍ କରାଯାଉଥିଲା । ଯେଉଁଥିରେ ସେହି ଭାରତୀୟଙ୍କୁ ସାମିଲ କରାଯାଉଥିଲା ଯେଉଁମାନଙ୍କର ଫଲୋଅର୍ସ ସୋସିଆଲ୍ ମିଡିଆରେ ଲକ୍ଷ ଲକ୍ଷ ସଂଖ୍ୟାରେ ଥିଲା । ଏହି ସୋସିଆଲ୍ ମିଡିଆ ଇନଫ୍ଲୁଏନ୍ସରଙ୍କ ଦାୟିତ୍ବ ଥିଲା ଯେ ସରକାର ବିରୋଧୀ ଏବଂ ସୁରକ୍ଷା ଏଜେନ୍ସିଙ୍କ ବିରୋଧରେ ଲୋକଙ୍କ ମନରେ ଅବିଶ୍ବାସ ସୃଷ୍ଟି କରିବା ଏବଂ ପାକିସ୍ତାନର ଚେହେରା ସଫାସୁତୁରା ଦେଖାଇବା । 

ଯାହା ଜ୍ୟୋତି କରୁଥିଲେ । ପହଲଗାମ ଆତଙ୍କୀ ଆକ୍ରମଣ ପରେ ଜ୍ୟୋତି ଏକ ଭିଡିଓ ସେୟାର୍ କରିଥିଲେ ଯେଉଁଥିରେ ସେ ଆକ୍ରମଣ ପାଇଁ ସରକାର ଏବଂ ଭାରତୀୟ ଲୋକଙ୍କୁ ଦାୟିତ୍ବହୀନ ବୋଲି କହିଥିଲେ । ଭିଡିଓରେ ସେ କହିଥିଲେ କାଶ୍ମୀରର ପ୍ରତି ସ୍ଥାନରେ ସେନାର ଛାଉଣୀ ରହିଛି , ଏତେ ସୁରକ୍ଷା ଭିତରେ ଏମିତି ଘଟଣା କେମିତି ଘଟିଲା । ଏଥିପାଇଁ କେବଳ ସରକାର କି ସୁରକ୍ଷା ଏଜେନ୍ସି ନୁହଁ ପର୍ଯ୍ୟଟକ ମଧ୍ୟ ଦାୟୀ ।