ତିରୁଅନନ୍ତପୁରମ୍: କେରଳର ପ୍ରସିଦ୍ଧ ଶ୍ରୀପଦ୍ମନାଭସ୍ୱାମୀ ମନ୍ଦିର ପକ୍ଷରୁ ଅଯୋଧ୍ୟା ରାମମନ୍ଦିରକୁ ଉପହାର ସ୍ୱରୂପ ପାରମ୍ପରିକ ଧନୁ ‘ଓନାଭିଲୁ’ ପ୍ରଦାନ କରାଯିବ। ଶ୍ରୀପଦ୍ମନାଭସ୍ୱାମୀ ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ବୁଧବାର ଏକ ବିବୃତିରେ କହିଛନ୍ତି ଯେ, ଆସନ୍ତା ଜାନୁଆରି ୧୮ ତାରିଖରେ ମନ୍ଦିରର ପୂର୍ବ ପ୍ରବେଶ ପଥରେ ଅନୁଷ୍ଠିତ ହେବାକୁ ଥିବା ଏକ କାର୍ଯ୍ୟକ୍ରମରେ ମନ୍ଦିର ତନ୍ତ୍ରୀ ଓ ଏହାର ପ୍ରଶାସନିକ କମିଟି ସଦସ୍ୟମାନେ ଶ୍ରୀରାମ ତୀର୍ଥକ୍ଷେତ୍ର ଟ୍ରଷ୍ଟ ପ୍ରତିନିଧିଙ୍କୁ ‘ଓନାଭିଲୁ’ ହସ୍ତାନ୍ତର କରିବେ। ତିନି ଶତାବ୍ଦୀର ପରମ୍ପରା ଅନୁଯାୟୀ ଭଗବାନ ଶ୍ରୀପଦ୍ମନାଭଙ୍କୁ ସମର୍ପିତ ଏକ ଆନୁଷ୍ଠାନିକ ଅର୍ପଣ ହେଉଛି ‘ଓନାଭିଲୁ’। ଏଠାକାର ଏକ ପାରମ୍ପରିକ ପରିବାରର ସଦସ୍ୟମାନେ ପ୍ରତିବର୍ଷ ପବିତ୍ର ‘ତିରୁ ଓନମ୍’ ଦିନ ଭଗବାନ ପଦ୍ମନାଭ ମନ୍ଦିରରେ କଳାତ୍ମକ ଅର୍ପଣ କରିଥାନ୍ତି। ଭଗବାନ ପଦ୍ମନାଭଙ୍କ ଭକ୍ତଙ୍କ ତରଫରୁ ଅଯୋଧ୍ୟା ମନ୍ଦିରକୁ ଆନୁଷ୍ଠାନିକ ଭାବେ ଧନୁ ଅର୍ପଣ କରାଯିବ ବୋଲି ମନ୍ଦିରର ଜଣେ ଅଧିକାରୀ କହିଛନ୍ତି। କୋଚିରୁ ଏହାକୁ ବିମାନଯୋଗେ ଅଯୋଧ୍ୟା ନିଆଯିବ ବୋଲି ସେ କହିଛନ୍ତି। ଆସନ୍ତାକାଲି ମନ୍ଦିର ପରିସରରେ ଶ୍ରଦ୍ଧାଳୁମାନେ ଶୁଭଧନୁର ଦର୍ଶନ ପାଇଁ ବ୍ୟବସ୍ଥା କରାଯିବ। ପରବର୍ତ୍ତୀ ସମୟରେ ଏହି ଧନୁର ମନ୍ଦିର ପରିକ୍ରମା କରାଯିବ।