ରାୟପୁର: ଛତିଶଗଡ଼ର ଜାଗରଗୋଣ୍ଡା ଥାନା ଅଧୀନସ୍ଥ ଭୀମାପୁରମ ଗ୍ରାମ ବାସିନ୍ଦା ହେଉଛନ୍ତି ମଡକମ୍ ଲାଖା। ୩୮ ବର୍ଷୀୟ ଲାଖା ଦିନେ ଜଣେ ଦୁର୍ଦ୍ଦାନ୍ତ ମାଓବାଦୀ ଥିଲେ, କିନ୍ତୁ ଆଜି ସେ କରୋନା ମୁକାବିଲା ପାଇଁ ସହଯୋଗର ହାତ ବଢ଼ାଇଛନ୍ତି। ଅଗଷ୍ଟ ୨୦୧୯ରେ ଆତ୍ମସମର୍ପଣ କରିଥିବା ଲାଖା ସୁକ୍ମା ପୁଲିସ ଲାଇନ୍ରେ ବନ୍ଦି ଅଛନ୍ତି। ତେବେ କରୋନା ମୁକାବିଲା ପାଇଁ ପିପିଇ (ବ୍ୟକ୍ତିଗତ ସୁରକ୍ଷା ଉପକରଣ)ର ଅଭାବ ଥିବା ସମ୍ପର୍କରେ ଜାଣିବାପରେ ଲାଖା ସୁକ୍ମା ପୁଲିସ ଲାଇନ୍ରେ ଥାଇ ଏବେ ମାସ୍କ ତିଆରି କରିବା ଆରମ୍ଭ କରିଛନ୍ତି। ଦିନକୁ ସେ ୯୦ ଟି ମାସ୍କ ତିଆରି କରୁଛନ୍ତି, ଯାହାକି ପୁଲିସ ଦ୍ବାରା ସ୍ଥାନୀୟ ଆଦିବାସୀ ଲୋକଙ୍କୁ ବଣ୍ଟା ଯାଉଛି ବୋଲି ଦକ୍ଷିଣ ବସ୍ତର ରେଞ୍ଜ୍ର ପୁଲିସ ଆଇଜି ସୁନ୍ଦରରାଜ ପତିଲିଙ୍ଗମ୍ କହିଛନ୍ତି। ୧୯୯୮ରେ ଲାଖା ଜଣେ ଶିଶୁ ସୈନିକ ଭାବେ ମାଓବାଦୀରେ ଯୋଗ ଦେଇଥିଲା। ପ୍ରଥମେ ସେ ମାଓ କମାଣ୍ଡରମାନଙ୍କ ପୋଷାକ ତିଆରି କରୁଥିଲା। କିନ୍ତୁ ସେ ଆତ୍ମସମର୍ପଣ କରିବାପରେ ପୁଲିସକୁ କାମରେ ସହଯୋଗ କରିଛି। ମୁରିୟା ବସ୍ତିର ଲାଖା କହିଛନ୍ତି, କରୋନା ମୁକାବିଲା ପାଇଁ ସେ ମାସ୍କ ତିଆରି କରିବାର ସୁଯୋଗ ପାଇଥିବାରୁ ଖୁବ୍ ଗର୍ବ ଅନୁଭବ କରୁଛନ୍ତି। ସୁକ୍ମା ଏସ୍ପି ଏସ୍. ସିହ୍ନା କହିଛନ୍ତି, ଲାଖା ମାଓବାଦୀଙ୍କ ସମ୍ପର୍କରେ ଆମକୁ ଅନେକ ଖବର ଦେଇଥିଲେ ଏବଂ ତାଙ୍କ ପାଇଁ ବହୁତ ଅପରେସନ୍ ବି ସଫଳ ହୋଇଛି।
ଦିନେ ମାଓବାଦୀ ଥିଲେ, ଏବେ କରୋନା ମୁକାବିଲା ପାଇଁ ମାସ୍କ ତିଆରି କରୁଛନ୍ତି
/sambad/media/post_attachments/wp-content/uploads/2020/04/dhjdfjh4dfh87h98sf7h98sf7h98sfhsfhsfhsfsfhsfhsfh.jpg)