ଦିନେ ଏକ ନମ୍ବର ଶତ୍ରୁଥିଲେ..

ଫୋନ୍‌ ଟ୍ୟାପିଂ ଅଭିଯୋଗ ଆଣିଥିଲେ:କାର୍ଯ୍ୟାନୁଷ୍ଠାନ ପାଇଁ କେନ୍ଦ୍ରର ନିର୍ଦ୍ଦେଶ

ନୂଆଦିଲ୍ଲୀ: କୋଲକାତା ପୁଲିସ କମିସନର ରାଜୀବ କୁମାରଙ୍କୁ ନେଇ ଏବେ କେନ୍ଦ୍ର ଏବଂ ରାଜ୍ୟ ସରକାର ମୁହାଁମୁହିଁ ସ୍ଥିତିରେ ଅଛନ୍ତି। ଏହି ଚର୍ଚ୍ଚିତ ପୁଲିସ ଅଧିକାରୀ ଏବଂ ପଶ୍ଚିମବଂଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସଂପର୍କରେ ବିଗତ ୧୦ ବର୍ଷ ମଧ୍ୟରେ ନାଟକୀୟ ପରିବର୍ତ୍ତନ ଘଟିଛି। ଏକଦା ରାଜୀବ କୁମାରଙ୍କୁ ଫୋନ୍‌ ଟ୍ୟାପିଂ ପାଇଁ ଦାୟୀ କରି ତାଙ୍କର କଡ଼ା ବିରୋଧ କରିଥିବା ମମତା ବିଗତ ୧୦ ବର୍ଷ ଭିତରେ ସଂପୂର୍ଣ୍ଣ ବଦଳି ଯାଇଛନ୍ତି। ବିରୋଧୀ ଦଳରେ ଥିବା ବେଳେ ମମତା ରାଜୀବ କୁମାରଙ୍କ କାର୍ଯ୍ୟକୁ ସମାଲୋଚନା କରି ସେ ଆଦୌ ବିଶ୍ବାସଯୋଗ୍ୟ ନୁହନ୍ତି ବୋଲି କହିଥିବା ବେଳେ ଏବେ ତାଙ୍କୁ ସିବିଆଇଠାରୁ ସୁରକ୍ଷା ଦେବାକୁ ୩ ଦିନ ଧରି ଧାରଣା ଦେବା ଘଟଣା ଅନେକଙ୍କୁ ବିସ୍ମିତ କରିଛି। ରାଜୀବ କୁମାର ବୈଦ୍ୟୁତିକ ସର୍ଭେଲାନ୍ସ କ୍ଷେତ୍ରରେ ତାଙ୍କର ପାରଦର୍ଶିତା ପୂର୍ବରୁ ପ୍ରତିପାଦନ କରିସାରିଛନ୍ତି। ପୂର୍ବ ମୁଖ୍ୟମନ୍ତ୍ରୀ ବୁଦ୍ଧଦେବ ଭଟ୍ଟାଚାର୍ଯ୍ୟଙ୍କ ପ୍ରିୟପାତ୍ର ଥିବା ରାଜୀବ କୁମାରଙ୍କ କାର୍ଯ୍ୟକୁ ମମତା ଲଗାତାର ବିରୋଧ କରୁଥିଲେ।
୧୯୮୯ ବ୍ୟାଚ୍‌ର ଆଇପିଏସ୍‌ ଅଫିସର ରାଜୀବ କୁମାର ଆଇଆଇଟି ରୁର୍‌କିରୁ କମ୍ପ୍ୟୁଟର ସାଇନ୍ସରେ ଇଂଜିନିୟରିଂ ଡିଗ୍ରି ହାସଲ କରିଛନ୍ତି। ସେ ରାଜ୍ୟ ସିଆଇଡିର ମହାନିର୍ଦ୍ଦେଶକ ଏବଂ ଏସ୍‌ଟିଏଫ୍‌ର ଯୁଗ୍ମ କମିସନର ଦାୟିତ୍ବ ମଧ୍ୟ ତୁଲାଇଛନ୍ତି। ତାଙ୍କର ନେତୃତ୍ବରେ ପୁଲିସ ବାହିନୀ ରାଜ୍ୟର ଅନେକ ମାଓନେତା ଏବଂ ଅପରାଧୀଙ୍କୁ କାବୁ କରିବାରେ ସକ୍ଷମ ହୋଇଥିଲେ। ମାଓ ନେତା ଛତ୍ରଧର ମାହାତୋଙ୍କୁ ଗିରଫ କରିବାରେ ତାଙ୍କର ପ୍ରମୁଖ ଭୂମିକା ରହିଥିଲା। ଦିଲ୍ଲୀର ପୂର୍ବ ପୁଲିସ କମିସନର ନିରଜ କୁମାର ତାଙ୍କର ପୁସ୍ତକ ‘ଡାଏଲ ଡି ଫର୍‌ ଡନ୍‌’ ପୁସ୍ତକରେ ରାଜୀବ କୁମାରଙ୍କ ଦକ୍ଷତାକୁ ପ୍ରଶଂସା କରିଛନ୍ତି।
୨୦୧୩ରେ ଶାରଦା ଚିଟ୍‌ଫଣ୍ଡ ଦୁର୍ନୀତି ପଦାକୁ ଆସିବା ପରେ ପ୍ରଥମେ ବିଧାନନଗର ପୁଲିସ କମିସନରେଟ୍‌ରେ ଉକ୍ତ ସଂସ୍ଥାର ଅଧ୍ୟକ୍ଷ ସୁଦିପ୍ତ ସେନ୍‌ଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା। ବିଧାନନଗର ପୁଲିସ କମିସନର ଦାୟିତ୍ବରେ ଥିବା ରାଜୀବ କୁମାର ସେନ୍‌ଙ୍କୁ ଗିରଫ କରିଥିଲେ। ଏହାପରେ ରାଜ୍ୟ ସରକାର ମାମଲାର ତଦନ୍ତ ପାଇଁ ଏସ୍‌ଆଇଟି ଗଠନ କରିଥିଲେ। ଏସ୍‌ଆଇଟି ମୁଖ୍ୟ ଭାବେ ରାଜୀବ କୁମାର ଶାସକ ଟିଏମ୍‌ସି ସହିତ ନିକଟତର ହୋଇଥିଲେ। ନଭେମ୍ବର ୨୦୧୩ରେ ବିଦ୍ରୋହୀ ଟିଏମ୍‌ସି ନେତା କୁନାଲ ଘୋଷଙ୍କୁ ଏସ୍‌ଆଇଟି ଗିରଫ କରିଥିଲା। ଏହାପରେ କୋଲକାତା ପୁଲିସ କମିସନର ଭାବେ ଫେବ୍ରୁଆରି ୨୦୧୬ରେ ରାଜୀବ କୁମାର ଅବସ୍ଥାପିତ ହୋଇଥିଲେ ଏବଂ ମମତାଙ୍କ ପ୍ରିୟ ଅଫିସର ଭାବେ ପରିଗଣିତ ହୋଇଥିଲେ।

ନୂଆଦିଲ୍ଲୀ: ସିବିଆଇ ତଦନ୍ତକୁ ବିରୋଧ କରିବା ଏବଂ ପୁଲିସ ବାହିନୀକୁ ଲଗାଇ ତଦନ୍ତରେ ବାଧା ସୃଷ୍ଟି କରିଥିବାରୁ କୋଲକାତା ପୁଲିସ କମିସନର ରାଜୀବ କୁମାରଙ୍କ ବିରୋଧରେ କାର୍ଯାନୁଷ୍ଠାନ ଗ୍ରହଣ କରିବାକୁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟ ସରକାରଙ୍କ ମୁଖ୍ୟ ସଚିବଙ୍କୁ ଏ ବାବଦରେ କେ‌ନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଜାରି ନିର୍ଦ୍ଦେଶନାମାରେ କୁହାଯାଇଛି ଯେ ଜଣେ ସରକାରୀ କର୍ମଚାରୀ ଭାବେ ସେ ନିଜ ଦାୟିତ୍ବ ସଂପାଦନ କରିନାହାନ୍ତି ଏବଂ ଆଇନର ବିରୁଦ୍ଧାଚରଣ କରି ତଦନ୍ତରେ ବାଧା ସୃଷ୍ଟି କରିଛନ୍ତି। ଏଥିପାଇଁ ତାଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସରକାର ସୁପାରିସ କରିଛନ୍ତି। ମାମଲାର ଗମ୍ଭୀରତାକୁ ଦେଖି ରାଜ୍ୟ ସରକାର ଏ ଦିଗରେ ତତ୍କାଳ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି କେନ୍ଦ୍ର ସରକାରଙ୍କୁ ଅବଗତ କରାଇବାକୁ କୁହାଯାଇଛି ।
ସିବିଆଇ-ପୁଲିସ ବିବାଦ ନେଇ ଆଜି ମଧ୍ୟ ସଂସଦରେ ପ୍ରବଳ ହଟ୍ଟଗୋଳ ହୋଇଥିଲା ଏବଂ ରାଜ୍ୟସଭାରେ କୌଣସି କାମ ହୋଇପାରି ନଥିଲା। ଟିଏମ୍‌ସି ସାଂସଦମାନେ ଗୃହର ମଧ୍ୟଭାଗକୁ ଆସି ସ୍ଲୋଗାନ ଦେଇଥିଲେ। ତେବେ ସୁପ୍ରିମ୍‌ କୋର୍ଟ ରାୟ ଆସିବା ପରେ କେନ୍ଦ୍ର ସରକାର ତାଙ୍କ ଆଭିମୁଖ୍ୟ କଠୋର କରିଛନ୍ତି। କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେବା ପରେ ରାଜ୍ୟ-କେନ୍ଦ୍ର ସଂପର୍କ ଆହୁରି ତିକ୍ତ ହେବ ବୋଲି ଆଶଙ୍କା କରାଯାଉଛି।

ସମ୍ବନ୍ଧିତ ଖବର