୩୦ ବର୍ଷ ପୂର୍ବେ ବାପା ସମ୍ଭାଳିଥିଲେ, ଆଉ ଏବେ ପୁଅ ସମ୍ଭାଳିବେ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କ୍ୟାବିନେଟର ସମ୍ପ୍ରସାରଣ ମଧ୍ୟରେ କଂଗ୍ରେସ ଦଳ ଛାଡି ବିଜେପିରେ ଯୋଗ ଦେଇଥିବା ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ନାମ ସର୍ବାଧିକ ଚର୍ଚ୍ଚାର ବିଷୟ ପାଲଟିଛି। ବୁଧବାର ସନ୍ଧ୍ୟାରେ ରାଷ୍ଟ୍ରପତି ଭବନରେ ଜ୍ୟୋତିରାଦିତ୍ୟ କ୍ୟାବିନେଟ ମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି। ଆଉ ଜ୍ୟୋତିରାଦିତ୍ୟଙ୍କୁ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟର ଦାୟିତ୍ୱ ଦିଆଯାଇଛି। ବଡ଼ କଥା ହେଉଛି ଯେ ୩୦ ବର୍ଷ ପୂର୍ବେ ତାଙ୍କ ବାପା ମଧ୍ୟ ସମାନ ମନ୍ତ୍ରାଳୟର ଦାୟିତ୍ୱ ଗ୍ରହଣ କରିଥିଲେ। ଗ୍ୱାଲିଅର ରାଜ ପରିବାରର ସଦସ୍ୟ ଜ୍ୟୋତିରାଦିତ୍ୟ ପଞ୍ଚମ ଥର ପାଇଁ ସଂସଦରେ ପହଞ୍ଚିଛନ୍ତି।

ତାଙ୍କ ପିତା ମାଧବରାଓ ସିନ୍ଧିଆ କଂଗ୍ରେସର ଜଣେ ବଡ ନେତା ଥିଲେ। ମାଧବରାଓ ସିନ୍ଧିଆ ପିଭି ନରସିଂହ ରାଓଙ୍କ ସରକାରରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଥିଲେ। ମାଧବରାଓ ସିନ୍ଧିଆ ୧୯୯୧ରୁ ୧୯୯୩ ପର୍ଯ୍ୟନ୍ତ ରାଓ ସରକାରରେ ବେସାମରିକ ବିମାନ ଚଳାଚଳ ଏବଂ ପର୍ଯ୍ୟଟନ ମନ୍ତ୍ରାଳୟର ମନ୍ତ୍ରୀ ଥିଲେ | ପରେ ସେ ମନମୋହନ ସିଂଙ୍କ ସରକାରରେ ଶକ୍ତି ମନ୍ତ୍ରୀ ଦାୟିତ୍ୱରେ ଥିଲେ | ଏବେ ଜ୍ୟୋତିରାଦିତ୍ୟ ତାଙ୍କ ପିତାଙ୍କ ପରି ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟର ଦାୟିତ୍ୱ ଗ୍ରହଣ କରିଛନ୍ତି । ପିତା ମାଧବରାଓ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ଗ୍ରହଣ କରିବା ପୂର୍ବରୁ ରାଜୀବ ଗାନ୍ଧୀଙ୍କ ସରକାରରେ ରେଳ ମନ୍ତ୍ରୀ ଥିଲେ। ଏଥି ସହିତ ପୁଅ ଜ୍ୟୋତିରାଦିତ୍ୟ ମଧ୍ୟ ମନମୋହନ ସିଂଙ୍କ ସରକାରରେ ଯୋଗାଯୋଗ ଏବଂ ଆଇଟି ମନ୍ତ୍ରୀ ଭାବରେ କାର୍ଯ୍ୟ କରିଛନ୍ତି।

ଏମିତି ଥିଲା ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କର ରାଜନୈତିକ ଯାତ୍ରା
ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କର ରାଜନୈତିକ ଯାତ୍ରା ୨୦୦୨ରେ ଆରମ୍ଭ ହୋଇଥିଲା। ୨୦୦୨ ମସିହାରେ ପ୍ରଥମ ଥର ପାଇଁ ସାଂସଦ ହୋଇଥିବା ଜ୍ୟୋତିରାଦିତ୍ୟ ତାଙ୍କ ପିତା ମାଧବରାଓ ସିନ୍ଧିଆଙ୍କ ମୃତ୍ୟୁ ପରେ ରାଜନୈତିକ ଯାତ୍ରା ଆରମ୍ଭ କରିଥିଲେ। ସେପ୍ଟେମ୍ବର ୧୮, ୨୦୦୧ରେ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ପିତା ମାଧବରାଓ ସିନ୍ଧିଆ ଏକ ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଥିଲେ । ସେତେବେଳେ ସେ ଗୁନାରୁ ଲୋକସଭା ସାଂସଦ ଥିଲେ। ଜ୍ୟୋତିରାଦିତ୍ୟ ପ୍ରଥମ ଥର ପାଇଁ ଗୁନା ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ ଏବଂ ଫେବୃଆରୀ ୨୦୦୨ରେ ୪.୫ ଲକ୍ଷରୁ ଅଧିକ ଭୋଟରେ ଜିତିଥିଲେ।

ଉଲ୍ଳେଖଥାଉ କି ମାଧବରାଓ ସିନ୍ଧିଆଙ୍କର ରାଜୀବ ଗାନ୍ଧୀଙ୍କ ସହ ଘନିଷ୍ଠତା ଥିବାବେଳେ ପୁଅ ଜ୍ୟୋତିରାଦିତ୍ୟଙ୍କର ମଧ୍ୟ ରାହୁଲ ଗାନ୍ଧୀଙ୍କ ସହ ଘନିଷ୍ଠତା ଥିଲା | ତେବେ ମାଧଵରାଓ ଓ ରାଜୀବଙ୍କର ବନ୍ଧୁତା ଶେଷ ସମୟ ଯାଏଁ ଥିବାବେଳେ ଦୁଇ ପୁଅ(ରାହୁଲ-ଜ୍ୟୋତିରାଦିତ୍ୟ)ଙ୍କର ବନ୍ଧୁତା ବେଶୀ ଦିନ ତିଷ୍ଠିପାରିନଥିଲା |

ସମ୍ବନ୍ଧିତ ଖବର