ଆର୍ଥିକ ସମସ୍ୟା ପାଇଁ ଛାଡ଼ିବାକୁ ପଡ଼ିଥିଲା ପାଠପଢ଼ା। ଅଧାରୁ ଏଭଳି ପାଠପଢ଼ାରୁ ଦୂରେଇ ଯିବା ପରେ ଜୀବନରେ କିଛି କରିପାରିବେ ନାହିଁ ବୋଲି ଭାବିଥିଲେ ସେ। ପାଠ ଛାଡ଼ି ଘର ଚଳାଇବାକୁ ସେ ଧାନ-ଗହମ ଚାଷରେ ପରିବାରକୁ ସାହାଯ୍ୟ କରିଥିଲେ। ଏହା ତାଙ୍କ ପରିବାରର ଆର୍ଥିକ ସ୍ଥିତିରେ ସୁଧାର ଆଣିବ ବୋଲି ଭାବିଥିଲେ ବି ତାହା ହୋଇନଥିଲା। ଅନେକ ବର୍ଷର ସଂଘର୍ଷ ପରେ ତାଙ୍କୁ ବରଦାନ ଆକାରରେ ମିଳିଥିଲା ଗାଜର ଚାଷ କରିବାର କୌଶଳ, ଯାହାକୁ ଶିଖି ସେ ଆଜି କୋଟିପତି ହୋଇଛନ୍ତି। ପ୍ରାୟ ୮୦ଏକର ଚାଷଜମିରେ ଗାଜର ଚାଷ କରି ସେ ୧କୋଟି ଆୟ କରୁଥିବା ଜଣାଯାଇଛି। ଏଠାରେ ଆମେ ପଞ୍ଜାବର କପୁରଥଲାରେ ଜନ୍ମ ହୋଇଥିବା ଫୁମନ ସିଂହ କୌରାଙ୍କ କଥା କହୁଛୁ।
୬ଭାଇଭଉଣୀଙ୍କ ମଧ୍ୟରେ ବଢ଼ିଥିବା ଫୁମନ ବିଦେଶ ଯାଇ ଚାକିରି କରିବାର ସ୍ବପ୍ନ ଦେଖୁଥିଲେ। ଏଥିପାଇଁ ସେ ବିଭିନ୍ନ ସମସ୍ୟା ସତ୍ତ୍ବେ କଡ଼ା ପରିଶ୍ରମ କରି ପାଠ ପଢ଼ିବା ଜାରି ରଖିଥିଲେ। ହେଲେ ପରିସ୍ଥିତି ଏତେ ଖରାପ ହେଲା ଯେ ଫୁମନ ସିଂହଙ୍କୁ ବିଏ ଦ୍ୱିତୀୟ ବର୍ଷ ପରେ ତାଙ୍କ ଶିକ୍ଷା ବନ୍ଦ କରିବାକୁ ପଡିଲା। ପରିବାର ତାଙ୍କ ପାଠପଢ଼ା ଖର୍ଚ୍ଚ ବହନ କରିପାରୁ ନଥିବାରୁ ସେ ପାଠପଢ଼ା ଛାଡ଼ି ତାଙ୍କୁ ଚାଷକାମରେ ସାହାଯ୍ୟ କରିବା ଆରମ୍ଭ କଲେ। ଘର ଚଳାଇବା ପାଇଁ ସେ ଧାନ ଏବଂ ଗହମ କ୍ଷେତରେ କାମ କରିବା ସହ ଡାଏରୀ ଫାର୍ମ ମଧ୍ୟ ଚଳାଉଥିଲେ। ହେଲେ ଏସବୁ କାମ ଲାଭଜନକ ହୋଇନଥିବା ସହ ପରିବାରର ଆର୍ଥିକ ସ୍ଥିତି ସୁଧାରିପାରିବନି ବୋଲି ଭାବି ଫୁମନ ପରିବାରର ଆର୍ଥିକ ଅବସ୍ଥାକୁ ସୁଧାରିବା ପାଇଁ ଅନ୍ୟ ବିକଳ୍ପ ଖୋଜିବା ଆରମ୍ଭ କଲେ।
କିଛି ଦିନ ପରେ ଗାଜର ଚାଷ ତାଙ୍କ ସମସ୍ୟାର ସମାଧାନ ବୋଲି ଜାଣିପାରିଥିଲେ ଫୁମନ। କପୁରଥଲା ଜିଲ୍ଲାର ସୁଲତାନପୁର ଲୋଧି ବ୍ଲକରେ ଥିବା ପରମଜିତପୁରା (ଯାହାକୁ ଆଲୁପୁର ମଧ୍ୟ କୁହାଯାଏ) ଗାଜର ଚାଷ ପାଇଁ ଏକ ପ୍ରସିଦ୍ଧ କେନ୍ଦ୍ର ବୋଲି ଫୁମନ ଜାଣିବାକୁ ପାଇଲେ । ଗାଜର ଚାଷ କିଭଳି କରାଯାଏ ଏବଂ ଏଥିରୁ ଜଣେ ଲାଭବାନ କିଭଳି ହୋଇପାରିବ, ତାହା ଜାଣିବା ପାଇଁ ସେ ଜଣେ ଗାଜର ଚାଷୀଙ୍କ ସହିତ ସାକ୍ଷାତ କରିଥିଲେ। କିନ୍ତୁ, ତାଙ୍କୁ ସାହାଯ୍ୟ କରିବା ପରିବର୍ତ୍ତେ ଚାଷୀଜଣଙ୍କ ତାଙ୍କୁ ତାତ୍ସଲ୍ୟ କରି କହିଥିଲେ ଯେ, ତୁମେ ଏହା କରିପାରିବ ନାହିଁ। ଏହି ପଦେ କଥା ଫୁମନଙ୍କ ଭିତରେ କିଛି କରି ଦେଖାଇବାର ଇଚ୍ଛାକୁ ଆହୁରି ବଢ଼ାଇଥିଲା ଏବଂ ସେ ଚାଷୀଜଣଙ୍କୁ ଭୁଲ୍ ପ୍ରମାଣିତ କରିବେ ବୋଲି ପ୍ରଣ ନେଇଥିଲେ।
ଏହା ପରେ ସେ ବହି ପଢି ଏବଂ ନିକଟସ୍ଥ କୃଷି ବିଶ୍ୱବିଦ୍ୟାଳୟ ପରିଦର୍ଶନ କରି ଗାଜର ଚାଷ ବିଷୟରେ ଟିକିନିକି ଜ୍ଞାନ ଅର୍ଜନ କରିଥିଲେ। ତା’ପରେ ସେ ସାହସର ସହିତ ପରିବାରର ସମସ୍ତ ୪.୫ ଏକର ଜମିରେ ଗାଜର ବିହନ ଲଗାଇବା ଆରମ୍ଭ କରିଥିଲେ। ପ୍ରଥମ ଚେଷ୍ଟାରୁ ହିଁ ଫୁମନଙ୍କୁ ସଫଳତା ମିଳିଥିବା ବେଳେ ସେବେଠାରୁ ସେ ପଛକୁ ଫେରି ଚାହିଁ ନାହାଁନ୍ତି। ଗତ ୩୦ ବର୍ଷ ମଧ୍ୟରେ ୬୫ବର୍ଷୀୟ ଫୁମନ ସଫଳ ଗାଜର ଚାଷୀ ହୋଇପାରିଛନ୍ତି। ଏବେ ସେ ନିଜ ଭାଇ ଓ ପୁଅ ସହ ମିଶି ଏହି ବ୍ୟବସାୟ ଚଳାଉଛନ୍ତି। ଗାଜର ବିକି ବର୍ଷକୁ ସେ ପ୍ରାୟ ୧କୋଟି ଟଙ୍କା ଆୟ କରୁଥିବା ଜଣାଯାଇଛି।