ଥରେ ଗର୍ଭଧାରଣ କରିଥିଲେ ପ୍ଲାଜମା ଦାନ କରିପାରିବେ ନାହିଁ

ନୂଆଦିଲ୍ଲୀ: କରୋନା ରୋଗୀଙ୍କ ଚିକିତ୍ସା ପାଇଁ ଦେଶରେ ପ୍ଲାଜମା ଥେରାପିକୁ କେତେକ ରାଜ୍ୟରେ କାର୍ଯ୍ୟକାରୀ କରାଯାଉଛି। ଦିଲ୍ଲୀରେ ଗତକାଲି ଦେଶର ପ୍ରଥମ ପ୍ଲାଜମା ବ୍ୟାଙ୍କ ଉଦଘାଟନ କରାଯାଇଛି। ତେବେ ପ୍ଲାଜମା ଥେରାପି କେଉଁମାନଙ୍କ ଠାରେ ପ୍ରୟୋଗ କରାଯାଇ ପାରିବ, କେଉଁ ବର୍ଗର ବ୍ୟକ୍ତିମାନେ କରୋନା ରୋଗୀଙ୍କୁ ପ୍ଲାଜମା ଦେଇପାରିବେ ସେ ସମ୍ପର୍କରେ ଦିଲ୍ଲୀ ସରକାରଙ୍କ ଅଧୀନ ଇନଷ୍ଟିଚ୍ୟୁଟ୍ ଅଫ୍ ଲିଭର ଆଣ୍ଡ ବିଲିୟାରି ସାଇ‌ନ୍‌ସେସ୍‌ (ଆଇଏଲ୍‌ବିଏସ୍‌)ର ନିର୍ଦ୍ଦେଶକ ଡାକ୍ତର ଏସ କେ ସରିନ ଏକ ସାକ୍ଷାତକାର ଦେଇଛନ୍ତି। ତାଙ୍କ ମତରେ କରୋନାରୁ ଆରୋଗ୍ୟ ଲାଭ କରିଥିବା ବ୍ୟକ୍ତି ୧୪ ଦିନ ପରେ ପ୍ଲାଜମା ଦେଇପାରିବେ। କିନ୍ତୁ ସଂପୃକ୍ତ ବ୍ୟକ୍ତିଙ୍କୁ ୬୦-୬୫ ବର୍ଷରୁ ଅଧିକ ବୟସ ହୋଇ ନଥିବ। ସେହିଭଳି ମଧୁମେହ କିମ୍ବା ହାଇପରଟେନସନ ଭଳି ରୋଗ ତାଙ୍କଠାରେ ଅନିୟନ୍ତ୍ରିତ ଅବସ୍ଥାରେ ନଥିବ। ଏଥିସହିତ ସଂପୃକ୍ତ ବ୍ୟକ୍ତିଙ୍କ ଠାରେ ଦୀର୍ଘଦିନ ଧରି କିଡନି, ହାର୍ଟ, ଲଙ୍ଗ୍ ଏବଂ ଲିଭରଜନିତ ରୋଗ ମଧ୍ୟ ନଥିବା ଆବଶ୍ୟକ ବୋଲି ଡା. ସରିନ କହିଛନ୍ତି। କେବଳ ସେତିକି ନୁହେଁ, ପ୍ଲାଜ୍‌ମା ଦାନ କରୁଥିବା ବ୍ୟକ୍ତିଙ୍କ ପୌଷ୍ଟିକତତ୍ତ୍ବ ଭଲ ଥିବା ସହିତ ତାଙ୍କର ଓଜନ ୫୦ କିଗ୍ରାରୁ ଅଧିକ ହୋଇଥିବା ଆବଶ୍ୟକ। ସେହିଭଳି ‌ହେମୋଗ୍ଲୋବିନ୍ ସ୍ତର ମଧ୍ୟ ୮ରୁ ଅଧିକ ରହିଥିବା ଉଚିତ। ମହିଳାଙ୍କ ଦୃଷ୍ଟିରୁ ଦେଖିଲେ ସେମାନେ କଦାପି ଗର୍ଭବତୀ ହୋଇ ନଥିବା ଆବଶ୍ୟକ ‌ଓ ସେମାନଙ୍କ ଆଣ୍ଟିବଡି ସ୍ତର ମଧ୍ୟ ଭଲ ଥିବା ଉଚିତ। ଏହି ଥେରାପିର ଏକ ଭଲଦିଗ ହେଲା ରକ୍ତର ଗୋଟିଏ ଉପାଦାନକୁ ପ୍ରଦାନକାରୀଙ୍କୁ ଦେବାକୁ ପଡ଼ିଥାଏ। ୧୫ ଦିନ ପରେ ଦ୍ବିତୀୟ ଥର ପାଇଁ ମଧ୍ୟ ସଂପୃକ୍ତ ବ୍ୟକ୍ତି ଏହାକୁ ଦାନ କରିପାରିବା ସୁଯୋଗ ରହିଛି।

ଗର୍ଭବତୀ ହୋଇଥିବା ମହିଳା ପ୍ଲାଜମା ଦାନ ନକରି ପାରିବାର କାରଣ ସମ୍ପର୍କରେ ଡା. ସରିନ କୁହନ୍ତି, ଗୋଟିଏ ଶିଶୁର ଦେହରେ ଉଭୟ ବାପା ଓ ମାଆଙ୍କ ଜିନୀୟ ଉପାଦାନ ରହିଥାଏ। ତେଣୁ ଜଣେ ମହିଳା ଯେତେବେଳେ ଗର୍ଭବତୀ ହୁଅନ୍ତି ସେତେବେ‌ଳେ ତାଙ୍କଠାରେ ସ୍ବାମୀଙ୍କ ଜୀନୀୟ ଉପାଦାନ (ହ୍ୟୁମାନ ଲ୍ୟୁକୋସାଇଟ୍ ଆଣ୍ଟିଜେନ୍‌) ବିରୋଧରେ ଆଣ୍ଟିବଡିର ବିକାଶ ହୋଇଥାଏ। ତେଣୁ ରକ୍ତଦାନବେଳେ ଏଚ୍‌ଏଲ୍‌ଏ ଆଣ୍ଟିବଡି ଫୁସଫୁସ ନଷ୍ଟ ଭଳି କେତେକ ସମସ୍ୟା ସୃଷ୍ଟି କରିଥାଏ। କୋଭିଡ-୧୯ ରୋଗୀଙ୍କ ଫୁସଫୁସ୍ ପୂର୍ବରୁ ଦୁର୍ବଳ ହୋଇସାରିଥିବାରୁ ଗର୍ଭବତୀ ମହିଳାଙ୍କ ପ୍ଲାଜମା ନେଲେ ଏହା ଅଧିକ ପ୍ରଭାବିତ ହେବାର ଆଶଙ୍କା ରହିଥାଏ। ତେଣୁ ଗର୍ଭବତୀ ମହିଳାଙ୍କଠାରୁ ପ୍ଲାଜମା ନିଆଯାଇ ନଥାଏ ବୋଲି ଡା. ସରିନ କହିଛନ୍ତି। ପ୍ଲାଜମା ଦାନ କରୁଥିବା ବ୍ୟକ୍ତି ମିଳିଗଲେ ପ୍ରଥମେ ତାଙ୍କର ଏଚଆଇଭି, ହେପାଟାଇଟିସ ବି ଓ ସି ଆଦିର ପରୀକ୍ଷା ହୋଇଥାଏ। ଏହାପରେ ଆଣ୍ଟିବଡି ସ୍ତର ଯାଞ୍ଚ କରାଯାଇଥାଏ। ପ୍ଲାଜମାର ପ୍ରକ୍ରିୟାକରଣ ବାବଦରେ ୧୦ ହଜାରରୁ ୧୨ ହଜାର ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ କରିବାକୁ ପଡ଼ିଥାଏ। ଏଥିରେ ମାନବ ସମ୍ବଳ ଓ ଭିତ୍ତିଭୂମି ଖର୍ଚ୍ଚ ସାମିଲ ନଥାଏ। ତେବେ ଆଇଏଲବିଏସ କିମ୍ବା ଦିଲ୍ଲୀ ସରକାର ଏହି ଖର୍ଚ୍ଚ ବହନ କରିବେ। ତେଣୁ ରୋଗୀଙ୍କୁ ମାଗଣାରେ ପ୍ଲାଜମା ମିଳିବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର