ରାଜ୍ୟ, କେନ୍ଦ୍ର, ଓଡ଼ିଶାବାସୀ ଅଣ୍ଟା ଭିଡ଼ନ୍ତୁ
ସଂପୂର୍ଣ୍ଣ ଜମି ମିଳିବା ପରେ କଳାହାଣ୍ଡି ୱାଗନ୍ କାରଖାନାର ବିସ୍ତୃତ ପ୍ରକଳ୍ପ ରିପୋର୍ଟ
ଓଡ଼ିଶାରେ ଗଡ଼ିବ ବନ୍ଦେ ଭାରତ ଟ୍ରେନ
ନୂଆଦିଲ୍ଲୀ : ମୋଦୀ ସରକାରଙ୍କ କାର୍ଯ୍ୟ କରିବାର ପ୍ରବଳ ଇଚ୍ଛା ଶକ୍ତି ରହିଛି। ପାଣ୍ଠିର ଅଭାବ ନାହିଁ। ଓଡ଼ିଶାରେ ଆବଶ୍ୟକ ଜମି ଓ ପରିବେଶ ମଞ୍ଜୁରି ଠିକ୍ ସମୟରେ ମିଳିଲେ ରେଳ ପ୍ରକଳ୍ପ କାର୍ଯ୍ୟ ତ୍ବରାନ୍ବିତ ହେବ। ଆଜି ଏଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ। ରାଜ୍ୟରେ ରେଳବାଇ କ୍ଷେତ୍ରରେ ଯେଉଁ ମନ୍ଥରତା ଅଭିଯୋଗ ଉଠିଛି ସେ ସଂକ୍ରାନ୍ତ ଦୋଷକୁ ସେ ଆଦୌ ଗ୍ରହଣ କରିନାହାନ୍ତି। ବରଂ ବିଭିନ୍ନ ଢଙ୍ଗରେ ଏହି ବଲକୁ ଅଶ୍ବିନୀ ଓଡ଼ିଶାର ନବୀନ ସରକାରଙ୍କ ମୁଣ୍ଡକୁ ଠେଲି ଦେଇଛନ୍ତି। ବାରମ୍ବାର ରାଜ୍ୟ ସରକାରଙ୍କ ସକ୍ରିୟତା ସଂପର୍କରେ ସେ ଦୋହରାଇଛନ୍ତି। ଅଶ୍ବିନୀଙ୍କର ଆଜିର ସାମ୍ବାଦିକ ସମ୍ମିଳନୀ ଓଡ଼ିଶା ରାଜ୍ୟ ରାଜନୀତିରେ ଚର୍ଚ୍ଚାର ବିଷୟ ହୋଇଛି। ଉଭୟ ବିଜେଡି-ବିଜେପି ସହଯୋଗରେ ସେ ସଂସଦକୁ ନିର୍ବାଚିତ ହୋଇଥିବା ପରିପ୍ରେକ୍ଷୀରେ କେନ୍ଦ୍ର ରେଳ ମନ୍ତ୍ରୀଙ୍କର ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜୟଗାନ ଓ ରାଜ୍ୟ ସରକାରଙ୍କ ଆଡକୁ ଆଙ୍ଗୁଠି ଉଠାଇବା ଘଟଣାକୁ ନେଇ ରାଜନୀତି ଜୋର ଧରିବା ଆରମ୍ଭ କଲାଣି।
ଶ୍ରୀ ବୈଷ୍ଣବ କହିଲେ ଯେ ଚଳିତ ବର୍ଷ ରେଳ ବଜେଟ୍ରେ ଓଡ଼ିଶାକୁ ୯ ହଜାର ୭୨୩ କୋଟି ଟଙ୍କାର ଅନୁଦାନ ଦିଆଯାଇଛି। ଯାହାକି ସମସ୍ତ ପୁରୁଣା ରେକର୍ଡକୁ ଭାଙ୍ଗିଛି। ଏଥିପାଇଁ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ରେଳ ବିକାଶରେ କେନ୍ଦ୍ର ସରକାର ଲଗାତାର ପ୍ରାଥମିକତା ଦେଉଛନ୍ତି। ଓଡ଼ିଶାକୁ ରେଳ କ୍ଷେତ୍ରରେ ପୂର୍ବରୁ ଅବହେଳା କରାଯାଉଥିଲା। ହେଲେ ମୋଦୀ ସରକାର ଓଡ଼ିଶାକୁ ଏ କ୍ଷେତ୍ରରେ ଯଥେଷ୍ଟ ଗୁରୁତ୍ବ ଦେଉଛନ୍ତି। କେନ୍ଦ୍ର ସରକାର ରେଳ ବିକାଶ ପାଇଁ ରାଜ୍ୟକୁ ବିପୁଳ ଅନୁଦାନ ଦେଉଥିଲେ ମଧ୍ୟ ଟଙ୍କା ଖର୍ଚ୍ଚ ହୋଇପାରୁନାହିଁ ଏବଂ ପ୍ରକଳ୍ପ କାର୍ଯ୍ୟ ଅଧୁରା ରହିଯାଉଛି। ସେ କହିଲେ ଯେ କୌଣସି ପ୍ରକଳ୍ପର ସଫଳତା ପାଇଁ ପ୍ରବଳ ଇଚ୍ଛାଶକ୍ତି, ଜମି ଉପଲବ୍ଧତା, ପରିବେଶ ମଞ୍ଜୁରି ଓ ପାଣ୍ଠିର ଆବଶ୍ୟକତା ରହିଥାଏ।
/sambad/media/post_attachments/wp-content/uploads/2022/02/railway.jpg)
ପ୍ରକଳ୍ପ କାର୍ଯ୍ୟକୁ ତ୍ବରାନ୍ବିତ କରିବାରେ ବର୍ତ୍ତମାନ ମୋଦୀ ସରକାରଙ୍କର ପ୍ରବଳ ଇଚ୍ଛାଶକ୍ତି ରହିଛି। ଜମି ପାଇଁ ରେଳ ମନ୍ତ୍ରାଳୟ ରାଜ୍ୟ ସରକାରଙ୍କ ସହିତ ଲଗାତାର ସମନ୍ବୟ ରଖୁଛନ୍ତି। ବହୁ କ୍ଷେତ୍ରରେ ସଫଳତା ମିଳିଛି। ଏ କ୍ଷେତ୍ରରେ ଆହୁରି ଉଦ୍ୟମର ଆବଶ୍ୟକତା ମଧ୍ୟ ରହିଛି। ବିଶେଷ କରି ଓଡ଼ିଶାରେ ଜଙ୍ଗଲ ମଞ୍ଜୁରି ପାଇଁ ବହୁ ପ୍ରୟାସ କରିବାକୁ ପଡ଼ିଥାଏ। ମୋଦୀଙ୍କ ‘ସବ୍କା ସାଥ୍, ସବ୍କା ବିକାଶ, ସବ୍କା ପ୍ରୟାସ ଓ ସବ୍କା ବିଶ୍ବାସ’ ମନ୍ତ୍ରକୁ ନେଇ କେନ୍ଦ୍ର ଏ ଦିଗରେ ପ୍ରୟାସ ଜାରି ରଖିଛନ୍ତି। ଓଡ଼ିଶା ସରକାର ଜମି ଓ ଜଙ୍ଗଲ ମଂଜୁରି ପ୍ରକ୍ରିୟାକୁ ତ୍ବରାନ୍ବିତ କରିବାର ଦାୟିତ୍ବ ମଧ୍ୟ ରହିଛି। ରାଜ୍ୟ ସରକାରଙ୍କ ପକ୍ଷରୁ ଏଥି ପାଇଁ ପ୍ରୟାସ କରିବାକୁ ପଡ଼ିବ। ପାଣ୍ଠି ପାଇଁ କୌଣସି ପ୍ରକଳ୍ପ ଅଟକିବ ନାହିଁ ବୋଲି ଶ୍ରୀ ବୈଷ୍ଣବ ଦୃଢ଼ୋକ୍ତି ପ୍ରକାଶ କରିଥିଲେ।
ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ ଅନେକ ପ୍ରକଳ୍ପର ଅଗ୍ରଗତି ଭଲ ରହିଛି। ପ୍ରକଳ୍ପ ସଂପର୍କିତ ଜମି ଅଧିଗ୍ରହଣ ଓ ଜଙ୍ଗଲ ମଂଜୁରି ପାଇଁ ରେଳ ମନ୍ତ୍ରାଳୟର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଓଡ଼ିଶା ସରକାର ନିଜ ପ୍ରୟାସକୁ ତ୍ରିଗୁଣିତ କରନ୍ତୁ ବୋଲି ଶ୍ରୀ ବୈଷ୍ଣବ କହିଥିଲେ। ଜମି ଅଧିଗ୍ରହଣ ଓ ଜଙ୍ଗଲ ଅନୁମୋଦନ ଠିକ ସମୟରେ ହାସଲ ହେଲେ ପ୍ରକଳ୍ପଗୁଡ଼ିକର ଆହୁରି ଅଗ୍ରଗତି ହୋଇପାରିବ। ଓଡ଼ିଶାବାସୀଙ୍କ ଆମ ପାଖରେ ଯେଉଁ ଆଶା ରହିଛି ତାହା ମଧ୍ୟ ପୂରଣ ହୋଇପାରିବ। ଏଥିପାଇଁ କେନ୍ଦ୍ର ସରକାର, ରାଜ୍ୟ ସରକାର, ଓଡିଶାବାସୀ ଅଣ୍ଟା ଭିଡ଼ନ୍ତୁ ବୋଲି ସେ ଆହ୍ବାନ ଦେଇଥିଲେ।
ଅଧିକ ପରିମାଣର ଅନୁଦାନ ଘୋଷଣାକୁ ନେଇ ସାମ୍ବାଦିକମାନଙ୍କ ପ୍ରଶ୍ନରେ ଶ୍ରୀ ବୈଷ୍ଣବ କହିଲେ, ଗତବର୍ଷ ହୋଇଥିବା ଅତିରିକ୍ତ ଖର୍ଚ୍ଚ ପାଇଁ ଚଳିତ ବଜେଟ୍ରେ ୫୨୫ କୋଟି ଟଙ୍କା ଅଧିକ ଦିଆଯାଇଛି। ଖୋର୍ଦ୍ଧା-ବଲାଙ୍ଗୀର ରେଳ ପ୍ରକଳ୍ପରେ ଗତ ବର୍ଷ ତୁଳନାରେ ଚଳିତ ବର୍ଷ ଆବଣ୍ଟନ ହ୍ରାସ ସମ୍ପର୍କରେ ଶ୍ରୀ ବୈଷ୍ଣବ କୌଣସି ସିଧାସଳଖ ଉତ୍ତର ଦେଇ ନଥିଲେ। ସେ କହିଲେ, ପିଙ୍କ୍ ବୁକ୍ରେ ଯାହା ଉଲ୍ଲେଖ ଥାଏ ତାହା ସୂଚକ ନମ୍ବର ହୋଇଥାଏ। ୯ ହଜାର ୭୨୩ ହଜାର କୋଟି ଟଙ୍କାକୁ ଯୁକ୍ତ ବିଯୁକ୍ତ କରାଯାଇ ବିଭିନ୍ନ ପ୍ରକଳ୍ପରେ ଆବଣ୍ଟନ କରାଯିବ। ଯେଉଁ ପ୍ରକଳ୍ପରେ ଅଧିକ ପ୍ରଗତି ହେବ ସେଥିରେ ଧାର୍ଯ୍ୟ ଠାରୁ ଅଧିକ ଖର୍ଚ୍ଚ ହେବ ବୋଲି ସେ କହିଥିଲେ।
/sambad/media/post_attachments/wp-content/uploads/2022/02/vande.jpg)
ରାଉରକେଲା ଓ ବାଲେଶ୍ବରରେ ରେଳ ଡିଭିଜନ ଖୋଲାଯିବା ସଂକ୍ରାନ୍ତ ପ୍ରଶ୍ନର ଉତ୍ତର ଦେଇ ଶ୍ରୀ ବୈଷ୍ଣବ କହିଲେ, ଯେତେ ରେଳ ଡିଭିଜନ କରାଯିବ ରେଲୱେର ସେତେ କାର୍ଯ୍ୟ ଦକ୍ଷତା କମିବ। ରେଳମନ୍ତ୍ରୀ କହିଲେ, ବିଭିନ୍ନ ଦିଗକୁ ବିଚାର କରି ରେଳ ଡିଭିଜନ ପ୍ରତିଷ୍ଠା କରାଯାଇଥାଏ। ରେଲୱେ ଗୋଟିଏ ଜଟିଳ ବ୍ୟବସ୍ଥା। ଯାହାକୁକି ବୈଷୟିକ ଭାବେ ଚଳାଇବାର ଆବଶ୍ୟକତା ରହିଛି। ସେଥିରେ ରାଜନୀତି ପୂରାଇବା ଉଚିତ ନୁହେଁ। କଳାହାଣ୍ଡି ୱାଗନ୍ କାରଖାନା ପାଇଁ ୫୦ ପ୍ରତିଶତ ଜମି ଅଧିଗ୍ରହଣ ହୋଇସାରିଛି। ରାଜ୍ୟ ସରକାର ସଂପୂର୍ଣ୍ଣ ଜମି ଅଧିଗ୍ରହଣ କରି ହସ୍ତାନ୍ତର କରିବା ପରେ ବିସ୍ତୃତ ପ୍ରକଳ୍ପ ରିପୋର୍ଟ ପ୍ରସ୍ତୁତ କରାଯାଇ କାର୍ଯ୍ୟକୁ ଆଗେଇନିଆଯିବ। ବନ୍ଦେ ଭାରତ ଟ୍ରେନ ଓଡ଼ିଶାରେ ଗଡ଼ିବ ବୋଲି ସେ ପ୍ରତିଶ୍ରୃତି ଦେଇଥିଲେ। ରାଜ୍ୟର ପ୍ରତ୍ୟେକ ରେଳ ଷ୍ଟେସନକୁ ବିକଶିତ କରାଯିବ। କଟକରୁ ନେତାଜୀ ସୁଭାଷ ବୋଷଙ୍କ ନାମରେ ଏକ ଟ୍ରେନ୍ ଚଳାଚଳ ସମ୍ପର୍କରେ ସେ କହିଲେ, ନେତାଜୀଙ୍କୁ ବିଜେପି ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ବୋଲି ଭାବେ। ଏହି ପ୍ରସ୍ତାବ ସମ୍ପର୍କରେ ଆଗକୁ ପଦକ୍ଷେପ ନିଆଯିବ ବୋଲି ଶ୍ରୀ ବୈଷ୍ଣବ କହିଥିଲେ।