ବାରାଣସୀ: ନେହେରୁ ଏଭଳି ପ୍ରଧାନମନ୍ତ୍ରୀ ଥିଲେ ଯିଏ ନିଜ ଐତିହ୍ୟକୁ ନେଇ ଗର୍ବ କରୁନଥିଲେ, କିନ୍ତୁ ମୋଦୀଜୀ କରୁଛନ୍ତି। ବାରାଣସୀରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ସମୟରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏଭଳି କହି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପ୍ରଶଂସା କରିଥିବା ଜଣାପଡ଼ିଛି। ଏହା ସହିତ ସେ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କୁ ମଧ୍ୟ ଟାର୍ଗେଟ କରିଛନ୍ତି।
ସେ କହିଛନ୍ତି ଯେ, ଦିନେ ଦେଶରେ ଜବାହରଲାଲ ନେହେରୁଙ୍କ ଭଳି ପ୍ରଧାନମନ୍ତ୍ରୀ ଥିଲେ ଯିଏ ନିଜ ଐତିହ୍ୟ ପାଇଁ ଗର୍ବିତ ନଥିଲେ। ହେଲେ ଆଜି ଆମ ପାଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପରି ଜଣେ ପ୍ରଧାନମନ୍ତ୍ରୀ ଅଛନ୍ତି ଯିଏ ନିଜ ଐତିହ୍ୟ ସହ ଯୋଡି ହୋଇ ଗର୍ବ ଅନୁଭବ କରିବା ସହ ଭାରତକୁ 'ଏକ୍ ଭାରତ, ଶ୍ରେଷ୍ଠ ଭାରତ' କରିବାକୁ ମଧ୍ୟ ସଂକଳ୍ପ ନେଇଛନ୍ତି।
ସେ ଆହୁରି ମଧ୍ୟ କହିଛନ୍ତି ଯେ, ଆତଙ୍କବାଦ ସହ କିପରି ମୁକାବିଲା କରାଯିବା ଉଚିତ, ଭାରତର ବିରୋଧୀଙ୍କ ସହ କିପରି ମୁକାବିଲା କରିବା ଉଚିତ୍ ତାହାର ଉଦାହରଣ ସମସ୍ତଙ୍କ ସାମ୍ନାରେ ଅଛି। ଏପରିକି କଶ୍ମୀରରେ ଆତଙ୍କବାଦକୁ ମୂଳରୁ ଉପାଡି ସବୁଦିନ ପାଇଁ ଶେଷ କରିବାକୁ ପ୍ରଧାନମନ୍ତ୍ରୀ କୌଣସି ଦ୍ୱିଧା ଦେଖାଇ ନାହାଁନ୍ତି। ଏହା ହେଉଛି ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱର ଦକ୍ଷତା। ଆମେ ସମସ୍ତେ ଗର୍ବିତ ଯେ ଆମର ପ୍ରଧାନମନ୍ତ୍ରୀ ଆଜି ଦୁନିଆର ସବୁଠାରୁ ଲୋକପ୍ରିୟ ନେତାଙ୍କ ମଧ୍ୟରେ ଗଣା ଯାଉଛନ୍ତି।
ତେବେ କେବଳ ଯୋଗୀ ନୁହନ୍ତି ଆଗକୁ ନିର୍ବାଚନ ଥିବା ବେଳେ ଏବେ ବିଭିନ୍ନ ଦଳ ପରସ୍ପରକୁ ଦୋଷାରୋପ କରିବା ଆରମ୍ଭ କରିଛନ୍ତି।