ସଡ଼କ ଦୁର୍ଘଟଣା, ପ୍ରତି ୨୩ ସେକେଣ୍ଡ୍‌ରେ ଗୋଟିଏ ଜୀବନ

ଭାରତରେ ମୃତ୍ୟୁସଂଖ୍ୟା ଅଧିକ

ନୂଆଦିଲ୍ଲୀ: ରୋଗବ୍ୟାଧି ଅପେକ୍ଷା ଏବେ ସଡ଼କ ଦୁର୍ଘଟଣା ଏକ ପ୍ରମୁଖ ମରଣଯନ୍ତା ପାଲଟିଛି। ନୀତିନିୟମ ଯେତେ କଡ଼ାକଡ଼ି ହେଲେ ମଧ୍ୟ ସଡ଼କ ଦୁର୍ଘଟଣା ଦିନକୁ ଦିନ ବଢ଼ିବାରେ ଲାଗିଛି। ସଡ଼କ ଦୁର୍ଘଟଣା ହେତୁ ବିଶ୍ବରେ ପ୍ରତି ୨୩ ସେକେଣ୍ଡ୍‌ରେ ଜଣଙ୍କର ଜୀବନ ଯାଉଛି ‌। ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍‌ଓ) ଦ୍ବାରା ପ୍ରସ୍ତୁତ ହୋଇଥିବା ଏକ ରିପୋର୍ଟରୁ ଏହି ତଥ୍ୟ ପଦାକୁ ଆସିଛି। ଏଥିସହିତ ଏହା ମଧ୍ୟ ଜଣାପଡ଼ିଛି ଯେ ଅଧିକାଂଶ ଶିଶୁ ଏବଂ ଯୁବପିଢ଼ି ରୋଗବ୍ୟାଧି ଅପେକ୍ଷା ସଡ଼କ ଦୁର୍ଘଟଣା ହେତୁ ପ୍ରାଣ ହରାଉଛନ୍ତି। ‌ତେବେ ଅନ୍ୟ ଦେଶ ତୁଳନାରେ ଭାରତରେ ସଡ଼କ ଦୁର୍ଘଟଣା ଜନିତ ମୃତ୍ୟୁସଂଖ୍ୟା ସବୁଠୁ ଅଧିକ ରହିଛି। ସାରା ବିଶ୍ବରେ ସଡ଼କ ଦୁର୍ଘଟଣା ଜନିତ ମୃତ୍ୟୁସଂଖ୍ୟା ଅତି ଉଦ୍‌ବେଗଜନକ ଭାବେ ବୃଦ୍ଧି ପାଇଛି। ୨୦୧୩ ମସିହାରେ ୧.୨୫ ‌ନିୟୁତ ଲୋକଙ୍କର ସଡ଼କ ଦୁର୍ଘଟଣାରେ ପ୍ରାଣହାନି ହୋଇଥିବାବେଳେ ୨୦୧୬ ମସିହାରେ ଏହି ସଂଖ୍ୟା ୧.୩୫ ନିୟୁତକୁ ବୃଦ୍ଧି ପାଇଛି। ଡବ୍ଲ୍ୟୁଏଚ୍‌ଓ ସୂ୍ତ୍ରରୁ ଜଣାଯାଇଛି ଯେ ସଡ଼କ ଦୁର୍ଘଟଣା ହେତୁ ଜୀବନ ହାରୁଥିବା ପ୍ରତି ୯ ଜଣରେ ଜଣେ ଭାରତୀୟ । ଏତଦବ୍ୟତୀତ ୫-୨୯ ବର୍ଷ ବୟସର ବ୍ୟକ୍ତିଙ୍କ ପାଇଁ ସଡ଼କ ଦୁର୍ଘଟଣା ମୃତ୍ୟୁର ସବୁଠୁ ବଡ଼ କାରଣ ପାଲଟିଛି। ଶିଶୁ ସ୍ବାସ୍ଥ୍ୟ ଏଜେଣ୍ଡାରେ ଏହାକୁ ଅଣଦେଖା କରାଯାଉଛି। ଏହି ‌ଏଜେଣ୍ଡାରେ ପରିବର୍ତ୍ତନର ଆବଶ୍ୟକତା ରହିଥିବା ନେଇ ସତର୍କ କରାଇ ଦିଆଯାଇଛି। ଦୁଇ ଚକିଆ ଯାନ ଏବଂ ଟ୍ରକ୍‌ ଓ ବସ୍‌ ଗୁଡ଼ିକ ଅଧିକ ଦୁର୍ଘଟଣାର ସମ୍ମୁଖୀନ ହେଉଛନ୍ତି। ସଡ଼କ ସୁରକ୍ଷା ନୀତିନିୟମର ସଠିକ୍‌ କାର୍ଯ୍ୟକାରୀ ନହୋଇ ପାରିବାରୁ ସଡ଼କ ଦୁର୍ଘଟଣା ବୃଦ୍ଧି ପାଉଛି। ୨୦୧୬ରେ ଭାରତରେ ସଡ଼କ ଦୁର୍ଘଟଣା ହେତୁ ୧,୫୦,୭୮୫ ମୃତ୍ୟୁ ହୋଇଛି ବୋଲି ସରକାରୀ ରିପୋର୍ଟ କହୁଥିବା ବେଳେ ଡବ୍ଲ୍ୟୁଏଚ୍ଓ ପ୍ରାୟ ୩ ଲକ୍ଷ ‌ଲୋକ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଥିବା କୁହାଯାଇଛି।

ସମ୍ବନ୍ଧିତ ଖବର