ଭୋପାଳ: ମଧ୍ୟପ୍ରଦେଶର ଭିଣ୍ଡ୍ ଜିଲ୍ଲାରେ ଦୁଇ ଜଣ ବ୍ୟାଙ୍କ ଜମାକାରୀଙ୍କୁ ନେଇ ଏକ ମଜାଦାର ଘଟଣା ଘଟିଛି। ଦୁଇ ଜଣ ସମାନ ନାମଧାରୀ ପୃଥକ୍ ବ୍ୟକ୍ତିଙ୍କୁ ଏକ ବ୍ୟାଙ୍କ ପକ୍ଷରୁ ଗୋଟିଏ ଆକାଉଣ୍ଟ ନମ୍ବର ଜାରି କରାଯାଇଛି। ଫଳରେ ଜଣେ ବ୍ୟକ୍ତି ଆକାଉଣ୍ଟରେ ଟଙ୍କା ଜମା କରି ଚାଲିଥିବାବେଳେ ଅନ୍ୟ ଜଣେ ବ୍ୟକ୍ତି ଅନାୟାସରେ ଆକାଉଣ୍ଟରୁ ଟଙ୍କା ଉଠାଇ ଚାଲୁଥିଲେ। ଟଙ୍କା ଜମା ନକରି ଉଠାଉଥିବା ବ୍ୟକ୍ତିଟି ମନରେ ଭାବୁଥିଲା ବୋଧହୁଏ ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କ ଆକାଉଣ୍ଟକୁ ଟଙ୍କା ପଠାଉଛନ୍ତି। ବିଦେଶରୁ କଳାଟଙ୍କା ଆଣି ଲୋକଙ୍କୁ ଦେବେ ବୋଲି ଯେଉଁ ପ୍ରତିଶ୍ରୁତି ମୋଦୀ ଦେଇଥିଲେ ତାହାକୁ ପୂରଣ କରୁଛନ୍ତି ବୋଲି ସେ ଧରି ନେଇଥିଲେ। କିନ୍ତୁ ସତ୍ୟ ଆଉ କିଛି ଅଲଗା ଥିଲା।
କୌତୂହଳର ବିଷୟ ହେଲା ଆଲମପୁର ସ୍ଥିତ ଷ୍ଟେଟ ବ୍ୟାଙ୍କ ଶାଖାରେ ରୁରାଇ ଗ୍ରାମର ହୁକୁମ ସିଂହ ଏବଂ ରୋନି ଗ୍ରାମର ହୁକୁମ୍ ସିଂହ ଗୋଟିଏ ଲେଖାଏ ଆକାଉଣ୍ଟ ଖୋଲିଥିଲେ। କିନ୍ତୁ ଉଭୟ ବ୍ୟକ୍ତିଙ୍କୁ ବ୍ୟାଙ୍କର ଶାଖା ପରିଚାଳକ ଗୋଟିଏ ଆକାଉଣ୍ଟ ନମ୍ବର ପ୍ରଦାନ କରିଥିଲେ। ଏମାନଙ୍କ ଫଟୋକୁ ଛାଡ଼ି ଦେଲେ ଦୁଇ ପାସବୁକ୍ରେ ଥିବା ଅନ୍ୟାନ୍ୟ ତଥ୍ୟ ସବୁ ପ୍ରାୟତଃ ମିଶି ଯାଉଥିଲା। ଅର୍ଥାତ୍ ଗୋଟିଏ ଆକାଉଣ୍ଟରେ ଦୁଇ ଜଣ ଆକାଉଣ୍ଟଧାରୀ ରହିଥିଲେ। ଦୁଇ ଜଣ ବ୍ୟକ୍ତି ବ୍ୟାଙ୍କକୁ ପୃଥକ ପୃଥକ୍ ଭାବେ ଯାଇ ଆକାଉଣ୍ଟ ଖୋଲିଥିଲେ। ରୁରାଇ ଗ୍ରାମର ହୁକୁମ ସିଂହ ବ୍ୟାଙ୍କ ଖାତା ଖୋଲିବା ପରେ ଚାକିରି କରିବାକୁ ହରିୟାଣା ପଳାଇଥିଲେ। ତେବେ ମଧ୍ୟପ୍ରଦେଶରେ ରହୁଥିବା ରୋନି ଗ୍ରାମର ହୁକୁମ୍ ସିଂହ ଦେଖିବାକୁ ପାଉଥିଲେ ତାଙ୍କ ଆକାଉଣ୍ଟରେ ପ୍ରତିମାସରେ ଟଙ୍କା ଜମା ହେଉଛି। ସେ ଏଥିରେ ଆନନ୍ଦିତ ହୋଇଯାଇଥିଲେ। ଏହା ମୋଦୀଙ୍କ ଦ୍ବାରା ନିର୍ବାଚନ ବେଳେ ଦିଆଯାଇଥିବା ପ୍ରତିଶ୍ରୁତି ଅନୁସାରେ ଜମା ହେଉଛି ବୋଲି ଭାବିଥିଲେ। ପ୍ରତିମାସରେ ଆକାଉଣ୍ଟରୁ ଟଙ୍କା ଉଠାଇ ଚାଲିଥିଲେ। ୬ ମାସ ଭିତରେ ସେ ୮୯ ହଜାର ଟଙ୍କା ଉଠାଇ ନେଇଥିଲେ। ହରିୟାଣାରେ ରହୁଥିବା ହୁକୁମ୍ ଗ୍ରାମକୁ ଫେରିବା ପରେ ସେ ତାଙ୍କ ଆକାଉଣ୍ଟରେ ୩୫ ହଜାର ୪୦୦ ଟଙ୍କା ଥିବା ଜାଣିବାକୁ ପାଇଥିଲେ। ତାଙ୍କ ଆକାଉଣ୍ଟରେ ୧ ଲକ୍ଷ ୪୦ ହଜାର ଟଙ୍କା ରହିବା ନେଇ ସେ ଦାବି କରିଥିଲେ। ଏନେଇ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ନିକଟରେ ସେ ଅଭିଯୋଗ କରିଥିଲେ। ବ୍ୟାଙ୍କ କର୍ତ୍ତୃପକ୍ଷ ଏହି ଘଟଣାକୁ ଚପାଇ ଦେବାକୁ ଉଦ୍ୟମ କରିଥିବା ଅଭିଯୋଗ ମଧ୍ୟ ସେ କରିଛନ୍ତି। ଷ୍ଟେଟ ବ୍ୟାଙ୍କ ଆଲମପୁର ଶାଖା ଅଧିକାରୀ ଏହି ତ୍ରୁଟିକୁ ସ୍ବୀକାର କରିଥିଲେ ମଧ୍ୟ ସମାଧାନ କିଭଳି ହେବ ସେ ନେଇ କିଛି କହିନାହାନ୍ତି।