ନୂଆଦିଲ୍ଲୀ: ନିଜକୁ ବାୟୁସେନାର ୱିଙ୍ଗ କମାଣ୍ଡର ବୋଲି ପରିଚୟ ଦେଇଥିବା ବ୍ୟକ୍ତିଙ୍କୁ ଦିଲ୍ଲୀ ପୁଲିସ ଗିରଫ କରିଛି। ନକଲି ପରିଚୟ ପତ୍ର ଆଧାରରେ ଏହି ବ୍ୟକ୍ତି ୨୧ ଫେବୃଆରୀରେ ପାଲମ ବାୟୁସେନା ଷ୍ଟେସନରେ ପ୍ରବେଶ କରିବାକୁ ଚେଷ୍ଟା କରୁଥିଲେ | ଏହି ନକଲି ୱିଙ୍ଗ୍ କମାଣ୍ଡର ଜଣକ ୩୯ ବର୍ଷୀୟ ବିନାୟକ ଚଢା ବୋଲି ଜଣାପଡିଛି। ଯେତେବେଳେ ଏହି ବ୍ୟକ୍ତି ଗୋଟିଏ ସୁରକ୍ଷା କର୍ଡନ ଅତିକ୍ରମ କରି ଅନ୍ୟ ଏକ ସୁରକ୍ଷା କର୍ଡନରେ ପହଞ୍ଚିଲେ, ବାୟୁସେନା କର୍ମଚାରୀମାନେ ତାଙ୍କୁ ଧରିଥିଲେ | ଏହା ପରେ ବାୟୁସେନା କର୍ମଚାରୀମାନେ ଏ ବିଷୟରେ ଦିଲ୍ଲୀ ପୁଲିସକୁ ସୂଚନା ଦେଇଥିଲେ। ଅଭିଯୁକ୍ତଙ୍କ ପାଖରୁ ପାଞ୍ଚଟି ନକଲି ପରିଚୟ ପତ୍ର ମିଳିଥିଲା।
ପଚରାଉଚରା ବେଳେ ଅଭିଯୁକ୍ତ ଜଣକ କହିଥିଲେ ଯେ ସେ ବାୟୁସେନା ଦନ୍ତ ଚିକିତ୍ସାଳୟରେ ଚିକିତ୍ସିତ ହେବାକୁ ଚାହୁଁଛନ୍ତି। ତେଣୁ ସେ ନକଲି ପରିଚୟ ପତ୍ର ଆଧାରରେ ପ୍ରବେଶ କରିବାକୁ ଚେଷ୍ଟା କରୁଥିଲେ। ଦକ୍ଷିଣ ପଶ୍ଚିମ ଦିଲ୍ଲୀର ଡିସିପି ରୋହିତ ମୀନାଙ୍କ କହିବାନୁସାରେ, ବାୟୁସେନାର ଜଣେ ଜୁନିଅର ୱାରେଣ୍ଟ ଅଫିସରଙ୍କ ଅଭିଯୋଗ ନେଇ ଏକ ମାମଲା ରୁଜୁ ହୋଇଛି ଏବଂ ବିନାୟକଙ୍କୁ ଗିରଫ କରାଯାଇଛି। ଏହି ମାମଲା ସମ୍ପର୍କରେ ସୂଚନା ଦେଇ ପୁଲିସ କହିଛି, ପଚରାଉଚରା ପରେ ଜଣାପଡିଥିଲା ଯେ ବିନାୟକ, ମାଗଣାରେ ନିଜର ଦାନ୍ତ ଚିକିତ୍ସା ପାଇଁ ନକଲି ପରିଚୟପତ୍ର ପ୍ରସ୍ତୁତ କରିଥିଲେ | ଆଇପିସିର ଧାରା ୪୧୯/୪୬୮/୪୭୧/୪୭୪ ଅନୁଯାୟୀ ଏକ ମାମଲା ରୁଜୁ ହୋଇଛି ଏବଂ ଏହି ବ୍ୟକ୍ତିଙ୍କୁ ଗିରଫ କରାଯାଇଛି। ବର୍ତ୍ତମାନ ଅଧିକ ତଦନ୍ତ କରାଯାଉଛି।