ଜୟପୁର: ଶ୍ରୀ ରାଷ୍ଟ୍ରୀୟ ରାଜପୁତ କର୍ଣ୍ଣି ସେନାର ରାଷ୍ଟ୍ରୀୟ ସଭାପତି ସୁଖଦେବ ସିଂ ଗୋଗାମେଡ଼ି ହତ୍ୟା ମାମଲାରେ ରାଜସ୍ଥାନ ପୁଲିସ ହରିୟାଣାର ଜଣେ ଯୁବକଙ୍କୁ ଗିରଫ କରିଛି। ଜୟପୁର ପୁଲିସ କମିଶନର ବିଜୁ ଜର୍ଜ ଯୋଶେଫ କହିଛନ୍ତି ଯେ ଗୋଗାମେଡ଼ି ହତ୍ୟା କାଣ୍ଡର ଅନ୍ୟତମ ଷଡ଼ଯନ୍ତ୍ରକାରୀ ରାମବୀର ଜାଠକୁ ଶନିବାର ଗିରଫ କରାଯାଇଛି। ସେ ହରିୟାଣାର ମହେନ୍ଦ୍ରଗଡ଼ ଜିଲ୍ଲାର ସୁରେତି ପିଲାନିଆ ଗ୍ରାମର ବାସିନ୍ଦା।
ସୁଖଦେବ ସିଂ ଗୋଗାମେଡ଼ିଙ୍କୁ ଗୁଳି କରି ହତ୍ୟା କରିଥିବା ସୁଟର ନୀତିନ ଫୌଜି ଏବଂ ରୋହିତ ରାଠୋରକୁ ସେ ସହାୟତା କରିଥିବା ଜଣାପଡ଼ିଛି । ପୁଲିସ ରାମବୀରକୁ ତା ଘରୁ ଗିରଫ କରିଥିଲା। ଏହି ଘଟଣାରେ ରାମବୀର ଓ ଅନ୍ୟ ଜଣେ ସନ୍ଦିଗ୍ଧ ଅଭିଯୁକ୍ତକୁ ପଚରାଉଚରା କରାଯାଉଛି ବୋଲି ପୁଲିସ କହିଛି।
ପୁଲିସ ସୂଚନା ଅନୁଯାୟୀ, ଜୟପୁରରେ ନୀତିନ ଫୌଜିଙ୍କ ପାଇଁ ପୂରା ବ୍ୟବସ୍ଥା ରାମବୀର କରିଥିଲେ। ସେ କହିଛନ୍ତି ଯେ ଏହି ଦୁଇ ଜଣ ସାଙ୍ଗ। ଏହି ଘଟଣା ପରେ ରାମବୀର ଅଭିଯୁକ୍ତ ନୀତିନ ଓ ରୋହିତଙ୍କୁ ବାଗରୁ ଟୋଲ ପ୍ଲାଜା ଆଗରେ ଏକ ମୋଟର ସାଇକେଲରେ ବସାଇ ରାଜସ୍ଥାନ ରୋଡୱେଜର ନାଗୌର ଡିପୋର ବସରେ ରଖିଥିଲେ।
ରାମବୀର ଓ ନୀତିନ ଫୌଜି ଆଖପାଖ ଗାଁର ବାସିନ୍ଦା। ଦୁହେଁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଏକାଠି ପାଠ ପଢ଼ିଛନ୍ତି। ଏହାପରେ ନିତିନ ୨୦୧୯-୨୦ରେ ସେନାରେ ଯୋଗ ଦେଇଥିଲେ। ସେହି ସମୟରେ ରାମବୀର ବିଲଫ୍ରେଡ୍ କଲେଜରେ ନାମ ଲେଖାଇଥିଲେ।