ନୂଆଦିଲ୍ଲୀ: ବିମାନ ଯାତ୍ରୀଙ୍କ ଲାଗି ଗୁରୁତ୍ବପୂର୍ଣ୍ଣ ସୂଚନା। ନିଜ ସହିତ ବିମାନ ଭିତରକୁ ବ୍ୟାଗ୍ ନେବା ନେଇ ରହିଥିବା ନିୟମରେ ବଡ଼ ପରିବର୍ତ୍ତନ ହୋଇଛି। ନୂଆ ନିୟମ ଅନୁସାରେ ଯାତ୍ରୀମାନେ ନିଜ ସହ ଗୋଟିଏ ହିଁ ବ୍ୟାଗ୍ ନେଇ ବିମାନ ଭିତରକୁ ପଶିପାରିବେ। ସର୍ବାଧିକ ୭ କେଜି ପର୍ଯ୍ୟନ୍ତ ଓଜନର ବ୍ୟାଗ୍ ନେବାର ଅନୁମତି ରହିଛି। ପାଖରେ ଅଧିକ ଓଜନର କିମ୍ବା ଏକାଧିକ ବ୍ୟାଗ୍ ଥିଲେ ସେଗୁଡ଼ିକୁ ବିମାନ ଭିତରକୁ ନେଇହେବ ନାହିଁ। ଚେକ୍ ଇନ୍ କରି ବ୍ୟାଗ୍ଗୁଡ଼ିକୁ ନେବାକୁ ପଡ଼ିବ। ତେଣୁ ଯେଉଁ ଯାତ୍ରୀମାନେ ବିମାନରେ ଯାତ୍ରା କରିବାର ଯୋଜନା ରଖିଛନ୍ତି ସେମାନେ ଏହି ନିୟମ ପାଳନ ନ କଲେ ହଇରାଣ ହେବାର ଆଶଙ୍କା ରହିଛି। ବଡ଼ କଥା ହେଉଛି ବ୍ୟାଗ୍ ନିୟମକୁ ଉଭୟ ଦେଶ ଭିତର ଓ ଅନ୍ତର୍ଜାତୀୟ ବିମାନ ଯାତ୍ରା ଲାଗି ଲାଗୁ କରାଯାଇଛି।
ଏୟାର ଇଣ୍ଡିଆ ପକ୍ଷରୁ କୁହାଯାଇଛି ଯେ ଇକୋନୋମି ଓ ପ୍ରିମିୟମ୍ ଇକୋନୋମି ଶ୍ରେଣୀରେ ଯାତ୍ରା କରୁଥିବା ଯାତ୍ରୀମାନେ ନିଜ ସହିତ ୭ କେଜିର ଗୋଟିଏ ବ୍ୟାଗ୍ ନେଇପାରିବେ। କିନ୍ତୁ ଫାଷ୍ଟ୍ କ୍ଲାସ୍ ଓ ବିଜ୍ନେସ୍ କ୍ଲାସ୍ର ଯାତ୍ରୀମାନେ ୧୦ କେଜି ପର୍ଯ୍ୟନ୍ତର ବ୍ୟାଗ୍ ନିଜ ସହିତ ନେଇପାରିବେ। ବ୍ୟାଗ୍ର ଉଚ୍ଚତା ୫୫ ସେମି, ଲମ୍ବ ୪୦ ମେମି ଓ ଚଉଡ଼ା ୨୦ ସେମିରୁ ଅଧିକ ହେବ ନାହିଁ। ତେବେ ୨୦୨୪ ମେ’ ୨ ପୂର୍ବରୁ ବୁକିଂ ହୋଇଥିବା ଟିକଟ୍ ଉପରେ ଏହି ନିୟମ ଲାଗୁ ହେବ ନାହିଁ। ଇଣ୍ଡିଗୋ ପକ୍ଷରୁ ମଧ୍ୟ ୭ କେଜି ପର୍ଯ୍ୟନ୍ତ ଗୋଟିଏ ବ୍ୟାଗ୍ ନିଜ ସହିତ ବିମାନକୁ ନେବା ଲାଗି ଯାତ୍ରୀମାନଙ୍କୁ ଅନୁମତି ଦିଆଯାଇଛି। ଏହା ସହିତ ୩ କେଜି ପର୍ଯ୍ୟନ୍ତର ଛୋଟ ଲାପ୍ଟପ୍ ବ୍ୟାଗ୍ ଓ ମହିଳାମାନେ ନିଜ ପର୍ସକୁ ଇଣ୍ଡିଗୋ ବିମାନରେ ନେଇପାରିବେ। ବିମାନଯାତ୍ରୀ ସଂଖ୍ୟାରେ ହୋଇଥିବା ବୃଦ୍ଧିକୁ ଦୃଷ୍ଟିରେ ରଖି ବ୍ୟାଗେଜ୍ ନୀତିରେ ସଂଶୋଧନ କରାଯାଇଛି। ବେସାମରିକ ବିମାନ ଚଳାଚଳ ନିରାପତ୍ତା ବ୍ୟୁରୋ (ବିସିଏଏସ୍) ଓ କେନ୍ଦ୍ରୀୟ ଶିଳ୍ପ ସୁରକ୍ଷା ବଳ (ସିଆଇଏସ୍ଏଫ୍) ପକ୍ଷରୁ ବ୍ୟାଗେଜ୍ ନିୟମକୁ କଡ଼ାକଡ଼ି କରାଯାଇଛି।