୧ ସେକେଣ୍ଡରେ ଡାଉନଲୋଡ଼ କରିପାରିବେ ୧ ଜିବିର ୧.୭୮ ଲକ୍ଷଟି ଫିଲ୍ମ

ଲଣ୍ଡନ: ସାରା ବିଶ୍ୱରେ ଲାଗି ରହିଥିବା ଲକଡାଉନ୍ ଏବଂ ୱାର୍କ ଫ୍ରମ ହୋମ ଯୋଗୁଁ ଇଣ୍ଟରନେଟର ଚାହିଦା ବୃଦ୍ଧି ପାଇଛି | ତଥାପି, ମନ୍ଥର ଇଣ୍ଟରନେଟ୍ ଅନେକ ସମୟରେ ଅସୁବିଧାର ଭାବେ ଉଭା ହୋଇଛି | ତେବେ ଲଣ୍ଡନର ବୈଜ୍ଞାନିକମାନେ ଏହି ସମସ୍ୟାର ସମାଧାନ ପାଇଁ ଗବେଷଣା ଜାରି ରଖିଥିବାବେଳେ ଏବେ ସଫଳତା ପାଇଛନ୍ତି | ଏହି ବୈଜ୍ଞାନିକମାନେ ଏକ ନୂତନ ବିଶ୍ୱ ରେକର୍ଡ ସ୍ଥାପନ କରିଛନ୍ତି। ୟୁନିଭର୍ସିଟି କଲେଜ ଅଫ ଲଣ୍ଡନର ବୈଜ୍ଞାନିକମାନେ ଏକ ସେକେଣ୍ଡରେ ୧୭୮ ଟିବି ଡାଟା ଡାଉନଲୋଡ଼ କରିବାକୁ ସକ୍ଷମ ହୋଇଛନ୍ତି | ସୂଚନା ଥାଉ କି ଗୋଟିଏ ଟିବି ୧୦୦୦ ଜିବି ସହିତ ସମାନ |

ସରଳ ଭାବରେ କହିବାକୁ ଗଲେ, ଯଦି ଏହି ଗବେଷଣା କାର୍ଯ୍ୟକ୍ଷମ ହୋଇଯାଏ ଆପଣ ମାତ୍ର ଏକ ସେକେଣ୍ଡ ମଧ୍ୟରେ ୧ଜିବି ର ୧.୭୮ ଲକ୍ଷ ଚଳଚ୍ଚିତ୍ର ଡାଉନଲୋଡ୍ କରିବାକୁ ସମର୍ଥ ହେବେ | ଏହାପୂର୍ବରୁ, ଦୁନିଆର ଦ୍ରୁତତମ ଇଣ୍ଟରନେଟ୍ ଗତି ୧୭୨ ଟିବି ଥିଲା, ଯାହା ଜାପାନର ନ୍ୟାସନାଲ୍ ଇନଷ୍ଟିଚ୍ୟୁଟ୍ ଫର୍ କମ୍ୟୁନିକେସନ୍ ଟେକ୍ନୋଲୋଜି ଦ୍ୱାରା ହାସଲ କରାଯାଇଥିଲା |

ଭାରତରେ ସର୍ବନିମ୍ନ ଇଣ୍ଟରନେଟ୍ ସ୍ପିଡ୍ ୨ ଏମବିପିଏସ ଥିବାବେଳେ ପ୍ରତି ସେକେଣ୍ଡରେ ୧୭୮ ଟିବି ପାଇଁ, ଆମକୁ ବର୍ତ୍ତମାନ ଅପେକ୍ଷା କରିବାକୁ ପଡିବ | କାରଣ ଏହା ପରୀକ୍ଷଣ ଭାବେ ସଫଳ ହୋଇଛି ସତ କିନ୍ତୁ ଏହାର ବ୍ୟାପକ ପରୀକ୍ଷଣ କରାଯାଇ ନାହିଁ | ଲଣ୍ଡନର ବୈଜ୍ଞାନିକ ଡକ୍ଟର ଲିଡିଆ ଗାଲଡିନୋଙ୍କ ଦ୍ୱାରା ଦୁନିଆର ଦ୍ରୁତତମ ଇଣ୍ଟରନେଟ୍ ସ୍ପିଡ୍ ରେକର୍ଡ ସୃଷ୍ଟି କରାଯାଇଛି। ଏଥିପାଇଁ ଅନୁସନ୍ଧାନକାରୀମାନେ ଅପ୍ଟିକ୍ ଫାଇବର ଅପ୍ଟିକ୍ସରେ ବ୍ୟବହୃତ ବ୍ୟାଣ୍ଡୱିଡଥ୍ ବୃଦ୍ଧି କରିଥିଲେ |

ସମ୍ବନ୍ଧିତ ଖବର