ଜଣେ ପଡ଼ୋଶୀ ହିଁ ସଙ୍କଟ ବଢ଼ାଉଛି: ବିଦେଶ ମନ୍ତ୍ରୀ ଏସ୍‌ ଜୟଶଙ୍କର

ଭାରତର ଜାତୀୟତାବାଦ ସକରାତ୍ମକ

ନୂଆଦିଲ୍ଲୀ: ଆଞ୍ଚଳିକ ଶାନ୍ତି ଏବଂ ସ୍ଥିରତା ଦିଗରେ କେବଳ ଜଣେ ପଡ଼ୋଶୀକୁ ବାଦ୍‌ ଦେଇ ଭାରତର ସମସ୍ତ ପଡ଼ୋଶୀ ରାଷ୍ଟ୍ର ଭଲ ସଂପର୍କରେ ଅଛନ୍ତି। କେବଳ ଜଣଙ୍କ ପାଇଁ ହିଁ ସଙ୍କଟ ବଢ଼ୁଛି ବୋଲି ବିଦେଶ ମନ୍ତ୍ରୀ ଏସ୍‌ ଜୟଶଙ୍କର କହିଛନ୍ତି। ବିଶ୍ବ ଅର୍ଥନୈତିକ ମଞ୍ଚ ସଭାପତି ବର୍ଜ ବ୍ରେଣ୍ଡ୍‌ଙ୍କ ସହ ଆଲୋଚନା ସମୟରେ ଜୟଶଙ୍କର ପାକିସ୍ତାନର ନାମ ନନେଇ ଏଭଳି ମତ ରଖିଛନ୍ତି। ଭାରତ ଏବଂ ଅନ୍ୟ ପଡ଼ୋଶୀ ରାଷ୍ଟ୍ରମାନଙ୍କ ସହ ଦ୍ବିପାକ୍ଷିକ ନେଇ ଆଲୋଚନା ବେଳେ ଜୟଶଙ୍କର କହିଛନ୍ତି, ଆଞ୍ଚଳିକ ସହଯୋଗ ପାଇଁ କେବଳ ଜଣଙ୍କୁ ଛାଡ଼ିଦେଲେ ଭାରତର ଅନ୍ୟ ସମସ୍ତ ପଡ଼ୋଶୀ ଭଲ। ପାରସ୍ପରିକ ସହଯୋଗ କ୍ଷେତ୍ରରେ ସମସ୍ତେ ଆଗଭର ହୋଇ କାର୍ଯ୍ୟ କରୁଛନ୍ତି। ତେବେ ଗୋଟିଏ ରାଷ୍ଟ୍ର (ପାକିସ୍ତାନ) ହିଁ ସବୁ ଅନର୍ଥ କରୁଛି ବୋଲି ସେ କହିଥିଲେ। ଜାତୀୟତାବାଦ ପ୍ରସଙ୍ଗରେ ସେ କହିଥିଲେ ଯେ ଭାରତର ଜାତୀୟତାବାଦ ସଂପୂର୍ଣ୍ଣ ସକରାତ୍ମକ ଏବଂ ଏହା ବିଶ୍ବକୁ ସର୍ବଦା ସଠିକ୍‌ ବାର୍ତ୍ତା ଦେଇଆସିଛି। ଭାରତର ଜାତୀୟତାବାଦ ବିଶ୍ବ ବି‌ରୋଧରେ ଏକ ନକାରାତ୍ମକ ଭାବନା ନୁହେଁ ବୋଲି ମତ ଦେଇ ସେ କହିଥିଲେ ଯେ ଭାରତ ତା’ର ସଂସ୍କୃତି ଓ ପରମ୍ପରାକୁ ନେଇ ସର୍ବଦା ଗର୍ବିତ ଏବଂ ଆମ ଜାତୀୟତାବାଦ ସେହି ଆଧାରରେ ପରିଚାଳିତ । ଭାରତ-ଆମେରିକା ମଧ୍ୟ‌ରେ ବାଣିଜ୍ୟିକ ଚୁକ୍ତି ସମ୍ଭାବନା ବିଷୟରେ ପଚରାଯିବାରୁ ସେ କହିଥିଲେ, ଏହା ସହଜ ନହେଲେ ମଧ୍ୟ ନିକଟ ଭବିଷ୍ୟତରେ ସମ୍ଭବ।

ସମ୍ବନ୍ଧିତ ଖବର