ନୂଆଦିଲ୍ଲୀ : ଦେଶରେ ଏକସଂଗରେ ଲୋକସଭା ଏବଂ ବିଧାନସଭା ନିର୍ବାଚନ କରାଇବା ପ୍ରସଙ୍ଗରେ ଆଲୋଚନା ପାଇଁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଛି। ଦେଶର ସମ୍ବଳ ଏବଂ ସମୟକୁ ବଞ୍ଚାଇବା ସହ ବିକାଶକୁ ତ୍ବରାନ୍ବିତ କରିବା ପାଇଁ ‘ଏକ ଦେଶ-ଏକ ନିର୍ବାଚନ’ ନିର୍ଣ୍ଣାୟକ ଭୂମିକା ନେବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି। ଏହି ବ୍ୟବସ୍ଥା କାର୍ଯ୍ୟକାରୀ କରିବା ସଂକ୍ରାନ୍ତରେ ବିଭିନ୍ନ ପରାମର୍ଶ ଦେବାପାଇଁ ପ୍ରଧାନମନ୍ତ୍ରୀ ଏକ କମିଟି ଗଠନ କରିବେ ବୋଲି
ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି।
ଆଜିର ଏହି ଗୁରୁତ୍ବପୂର୍ଣ୍ଣ ବୈଠକରେ ଯୋଗଦେବା ପାଇଁ ସମସ୍ତ ବିରୋଧୀ ଦଳର ନେତାଙ୍କୁ ଆମନ୍ତ୍ରଣ କରାଯାଇଥିଲେ ହେଁ କଂଗ୍ରେସ, ଟିଏମ୍ସି, ଏସ୍ପି, ବିଏସ୍ପି ସମେତ ୧୪ଟି ଦଳ ଏହି ବୈଠକକୁ ବର୍ଜନ କରିଥିଲେ। ଅନ୍ୟପକ୍ଷରେ ୱାଇଏସ୍ଆର୍ କଂଗ୍ରେସ, ବିଜୁ ଜନତା ଦଳ ଏବଂ ଟିଆର୍ଏସ୍ ଏଥିରେ ସାମିଲ ହୋଇଥିଲେ। ବୈଠକରେ ଏକ ଦେଶ- ଏକ ନିର୍ବାଚନ ପ୍ରସ୍ତାବକୁ ୱାଇଏସ୍ଆର୍ କଂଗ୍ରେସ ଏବଂ ବିଜେଡି ସମର୍ଥନ କରିଥିବା ବେଳେ ଏହାକୁ କାର୍ଯ୍ୟକାରୀ କରିବା ପାଇଁ ବ୍ୟାପକ ପ୍ରସ୍ତୁତି ଲୋଡ଼ା ବୋଲି ବୈଠକରେ ଯୋଗ ଦେଇଥିବା ଅନ୍ୟ ବିରୋଧୀ ଦଳ ନେତାମାନେ କହିଥିଲେ।
ତେବେ ବୈଠକରେ ସାମିଲ ହୋଇଥିବା ସିପିଏମ୍ ନେତା ଏକ ନିର୍ବାଚନ ପ୍ରକ୍ରିୟାକୁ ବିରୋଧ କରିଥିଲେ। ସିପିଏମ୍ ସାଧାରଣ ସଂପାଦକ ସୀତାରାମ ୟେଚୁରୀ କହିଥିଲେ ଯେ ଏହି ବ୍ୟବସ୍ଥା ଗଣତନ୍ତ୍ର ବିରୋଧୀ ହେବ ଏବଂ ସଂଘୀୟ ବ୍ୟବସ୍ଥା ପାଇଁ ମଧ୍ୟ ଏହା ଅନୁକୂଳ ନୁହେଁ। ବୈଠକକୁ କଂଗ୍ରେସ ବର୍ଜନ କରିଥିବା ବେଳେ ଏକ ଦେଶ-ଏକ ନିର୍ବାଚନ ବ୍ୟବସ୍ଥା ଗ୍ରହଣୀୟ ନୁହେଁ ବୋଲି କହିଛି। ତେବେ ମହାରାଷ୍ଟ୍ରର କଂଗ୍ରେସ ନେତା ମିଲିନ୍ଦ ଦେୱରା କହିଛନ୍ତି ଯେ ଏକ ଦେଶ-ଏକ ନିର୍ବାଚନ ବ୍ୟବସ୍ଥା ଦେଶ ପାଇଁ ମଙ୍ଗଳକର ହେବ ଏବଂ ଏହାକୁ କାର୍ଯ୍ୟକାରୀ କରିବା ଦେଶହିତରେ ଏକ ବଡ଼ ପଦକ୍ଷେପ ହେବ। ମିଲିନ୍ଦଙ୍କ ଭିନ୍ନମତ କଂଗ୍ରେସ ପାଇଁ ଅଡ଼ୁଆ ସୃଷ୍ଟି କରିଛି। ବୈଠକରେ ଯୋଗଦେଇଥିବା କେତେକ ବିରୋଧୀ ଦଳ ନେତା କହିଥିଲେ ଯେ ଅନାସ୍ଥା ପ୍ରସ୍ତାବ ଏ କ୍ଷେତ୍ରରେ ଏକ ବଡ଼ ପ୍ରତିବନ୍ଧକ ହେବ। ସର୍ବଦଳୀୟ ବୈଠକ ନେଇ ପ୍ରତିକ୍ରିୟାରେ ସମାଜବାଦୀ ପାର୍ଟି ସୁପ୍ରିମୋ ଅଖିଳେଶ ଯାଦବ କହିଛନ୍ତି ଯେ ଅନେକ ଦଳ ସରକାରଙ୍କ ଏହି ପ୍ରସ୍ତାବରେ ରାଜି ହେବେନାହିଁ। ବୈଠକରେ ଯୋଗଦେଇଥିବା ୱାଇଏସ୍ଆର୍ କଂଗ୍ରେସ ମୁଖ୍ୟ ତଥା ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡି ସରକାରଙ୍କ ଏହି ପ୍ରିୟାସକୁ ସମର୍ଥନ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/06/one-pll.jpg)