ଜୁଲାଇ ମଧ୍ୟଭାଗ ସୁଦ୍ଧା ଦିନକୁ କୋଟିଏ ଟିକା, ମହାରାଷ୍ଟ୍ରରେ ସବୁଠୁ ‌ଅଧିକ ଲୋକଙ୍କୁ ଦିଆଯାଇଛି ଟିକା

ଦ୍ବିତୀୟ ଉତ୍ତର ପ୍ରଦେଶ, ତୃତୀୟ ଗୁଜରାଟ

ନୂଆଦିଲ୍ଲୀ: ଆସନ୍ତା ଜୁଲାଇ ମଧ୍ୟଭାଗ କିମ୍ବା ଅଗଷ୍ଟ ପ୍ରଥମ ସୁଦ୍ଧା ଦେଶରେ ଦିନକୁ କୋଟିଏ କରୋନା ଟିକା ଉପଲବ୍ଧ ହେବ। ଆଜି ଏହା କହିଛନ୍ତି ଆଇସିଏମ୍‌ଆର୍‌ ଡିଜି ଡାକ୍ତର ବଳରାମ ଭାର୍ଗବ। ଦେଶରେ ବର୍ତ୍ତମାନର ଟିକା ନିର୍ମାତାମାନେ ସେମାନଙ୍କ ଉତ୍ପାଦନ କ୍ଷମତା ବଢ଼ାଉଛନ୍ତି। ନୂଆ ନିର୍ମାତାମାନେ ମଧ୍ୟ ଟିକା ଉତ୍ପାଦନ କରିବାକୁ ଉଦ୍ୟମ କରୁଛନ୍ତି। ତେଣୁ ଭବିଷ୍ୟତରେ ଟିକାର ଅଭାବ ରହିବ ନାହିଁ ବୋଲିସେ କହିଛନ୍ତି। ଭାରତ ଏକ ବିଶାଳ ଜନବହୁଳ ଦେଶ ହୋଇଥିବାରୁ ସମସ୍ତଙ୍କ ଟିକାକରଣ ସାରିବା ପାଇଁ ଧୈର୍ଯ୍ୟ ଧରିବାକୁ ପଡ଼ିବ। ତେବେ ଜୁଲାଇ ମଧ୍ୟଭାଗ କିମ୍ବା ଅଗଷ୍ଟ ପ୍ରଥମାର୍ଦ୍ଧ ସୁଦ୍ଧା ଦିନକୁ କୋଟିଏ ଲୋକଙ୍କୁ ଟିକାକରଣ ପାଇଁ ପର୍ଯ୍ୟାପ୍ତ ଟିକା ଉପଲବ୍ଧ ହେବ ବୋଲି ସେ କହିଛନ୍ତି। ଡିସେମ୍ବର ସୁଦ୍ଧା ଦେଶର ୧୦୮ କୋଟି ଲୋକଙ୍କୁ ଟିକା ଦିଆଯାଇଥିବ ବୋଲି ସେ ସ୍ପଷ୍ଟ କରିଛନ୍ତି। ଟିକାକରଣ କ୍ଷେତ୍ରରେ ଅନ୍ୟ ରାଜ୍ୟ ତୁଳନାରେ ଏବେ ମହାରାଷ୍ଟ୍ର ସବୁଠୁ ଆଗରେ ରହିଛି।

ସ୍ବାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁଯାୟୀ ଜୁନ୍ ୧ ତାରିଖ ସକାଳ ସାତଟା ସୁଦ୍ଧା ଦେଶରେ ଟିକା ନେଇଥିବା ବ୍ୟକ୍ତିଙ୍କ ସଂଖ୍ୟା ୨୧ କୋଟି ୬୦ ଲକ୍ଷ ୪୬ ହଜାର ୬୩୮ରେ ପହଞ୍ଚିଛି। ଏଥିରୁ ୧୭ କୋଟି ୧୨ ଲକ୍ଷ ୧୬୬ ଜଣ ପ୍ରଥମ ଡୋଜ୍ ଟିକା ନେଇଥିବାବେଳେ ୪ କୋଟି ୪୮ ଲକ୍ଷ ୪୬ ହଜାର ୪୭୨ ଜଣ ଦ୍ବିତୀୟ ଡୋଜ୍ ଟିକା ନେଇଛନ୍ତି। ମହାରାଷ୍ଟ୍ରରେ ସର୍ବାଧିକ ୧ କୋଟି ୮୦ ଲକ୍ଷ ୫ ହଜାର ୭୯୦ ଜଣ ପ୍ରଥମ ଡୋଜ୍ ଏବଂ ୪୫ ଲକ୍ଷ ୬୯ ହଜାର ୬୯୧ ଜଣ ଦ୍ବିତୀୟ ଡୋଜ୍ ଟିକା ନେଇଛନ୍ତି।

ଦୁଇଟି ଯାକ ଡୋଜକୁ ମିଶାଇ ଦେଖିଲେ ମହାରାଷ୍ଟ୍ର, ଉତ୍ତର ପ୍ରଦେଶ ଏବଂ ଗୁଜରାଟ ଯଥାକ୍ରମେ ପ୍ରଥମ, ଦ୍ବିତୀୟ ଏବଂ ତୃତୀୟ ସ୍ଥାନରେ ରହିଛନ୍ତି। ଉତ୍ତର ପ୍ରଦେଶରେ ମୋଟ ୧ କୋଟି ୮୩ ଲକ୍ଷ ୩୨ ହଜାର ୩୧୬ଟି ଡୋଜ୍ ଏବଂ ଗୁଜରାଟରେ ୧ କୋଟି ୭୧ ଲକ୍ଷ ୩ ହଜାର ୭୮୭ଟି ଡୋଜ୍ ଦିଆଯାଇଛି। ଗତକାଲି ଦେଶରେ ୨୭ ଲକ୍ଷରୁ ଅଧିକ ବ୍ୟକ୍ତି ଟିକା ନେଇଛନ୍ତି। ଟିକା ନେଇଥିବା ମୋଟ ୨୭ ଲକ୍ଷ ୮୦ ହଜାର ୫୮ ଜଣଙ୍କ ମଧ୍ୟରୁ ୨୪ ଲକ୍ଷ ୭୯ ହଜାର ୨୩୨ ଜଣ ପ୍ରଥମ ଡୋଜ୍ ନେଇଛନ୍ତି।

ସମ୍ବନ୍ଧିତ ଖବର