ଦିନକରେ ରେକର୍ଡ ୩୫୭ ମୃତ୍ୟୁ: ମହାରାଷ୍ଟ୍ରରେ ୨୪ ଘଣ୍ଟାରେ ୩ ହଜାରରୁ ଅଧିକ ସଂକ୍ରମଣ

ଦେଶରେ ଆରୋଗ୍ୟ ହାର ୪୯.୨୧%କୁ ବୃଦ୍ଧି, ସଂକ୍ରମଣରେ ବ୍ରିଟେନ୍‌କୁ ଟପିଯିବ ଭାରତ

ନୂଆଦିଲ୍ଲୀ: ଦେଶରେ ବିଗତ ୨୪ ଘଣ୍ଟା ମଧ୍ୟରେ ସର୍ବାଧିକ ୩୫୭ ଜଣଙ୍କ ମୃତ୍ୟୁ ହୋଇଛି। ୯,୯୯୬ ନୂଆ ସଂକ୍ରମଣ ମାମଲା ସହ ଦେଶରେ ମୋଟ୍‌ ସଂକ୍ରମିତଙ୍କ ସଂଖ୍ୟା ୨ ଲକ୍ଷ ୮୬ ହଜାର ୫୭୯ରେ ପହଞ୍ଚିଛି। ଆଜି ଦେଶରେ ମୃତ୍ୟୁସଂଖ୍ୟା ୮ ହଜାର ୧୦୨ରେ ପହଞ୍ଚିଥିବା ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି। । ଲଗାତାର ଦ୍ବିତୀୟ ଦିନ ଧରି ଦେଶରେ ସକ୍ରିୟ ମାମଲାଠାରୁ ଆରୋଗ୍ୟ ହାର ଅଧିକ ରହିଛି। ଦେଶରେ ଏବେ ସକ୍ରିୟ ମାମଲା ୧ ଲକ୍ଷ ୩୭ ହଜାର ୪୪୮ ଥିବାବେଳେ ଆରୋଗ୍ୟଙ୍କ ସଂଖ୍ୟା ୧ ଲକ୍ଷ ୪୧ ହଜାର ୨୮ ରହିଛି। ମୋଟ୍‌ ୪୯.୨୧ ପ୍ରତିଶତ ଲୋକ ଦେଶରେ ଆରୋଗ୍ୟ ହୋଇଛନ୍ତି। ମହାରାଷ୍ଟ୍ରରେ ‘ମିସନ୍‌ ବିଗିନ୍‌ ଏଗେନ୍‌’ ଆରମ୍ଭ ହେବାର ସପ୍ତାହକ ପରେ ସଂକ୍ରମଣ ହୁ ହୁ ହୋଇ ବଢ଼ି ଚାଲିଛି। ମହାରାଷ୍ଟ୍ରରେ ଗତକାଲି ସର୍ବାଧିକ ୧୪୯ ଜଣଙ୍କ ମୃତ୍ୟୁ ହୋଇଛି। ଗତ ଜୁନ୍‌ ୫ରେ ମଧ୍ୟ ୧୩୯ ଜଣଙ୍କ ମୃତ୍ୟୁ ହୋଇଥିଲା। ମହାରାଷ୍ଟ୍ରରେ ଗତକାଲି ରେକର୍ଡ ୩,୨୫୪ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି। ରାଜ୍ୟରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୯୪ ହଜାର ୪୧ରେ ପହଞ୍ଚିଛି। ମହା‌ରାଷ୍ଟ୍ରରେ ମୋଟ୍‌ ୩, ୪୩୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ମୁମ୍ବାଇରେ ୧୮୫୫ ଜଣଙ୍କ ମୃତ୍ୟୁ ହୋଇଛି।

ତେବେ ଦେଶରେ ମୋଟ୍‌ ମାମଲାର ପ୍ରାୟ ଏକ ତୃତୀୟାଂଶ ଗତ ୧୦ ଦିନ ମଧ୍ୟରେ ଚିହ୍ନଟ ହୋଇଛି। ଦେଶରେ ‌ପ୍ରଥମ କୋଭିଡ୍‌ ମାମଲା ଜାନୁଆରି ୧୦ରେ ଚିହ୍ନଟ ହୋଇଥିଲା। କିନ୍ତୁ ମାମଲା ମେ ୧୮ରେ ୧ ଲକ୍ଷରେ ପହଞ୍ଚିବାପାଇଁ ୧୦୦ ଦିନରୁ ଅଧିକ ସମୟ ଲାଗିଥିଲା। କିନ୍ତୁ ପରବର୍ତ୍ତୀ ୧ଲକ୍ଷ ମାମଲା ମାତ୍ର ୧୫ ଦିନରେ ଯୋଡ଼ି ହୋଇଥିଲା। ଚଳିତ ସପ୍ତାହରେ ଦେଶରେ କରୋନା ମାମଲା ୩ ଲକ୍ଷରେ ପହଞ୍ଚିବ। ପ୍ରାୟ ଗୋଟିଏ ସପ୍ତାହରୁ ଅଧିକ ଦିନ ଧରି ଭାରତରେ ସଂକ୍ରମଣ ମାମଲା ୯ ହଜାରରୁ ଅଧିକ ରହିଛି। ଭାରତ ଦିନକ ମଧ୍ୟରେ ବ୍ରିଟେନ୍‌କୁ ଟପିଯାଇ ଚତୁର୍ଥ ସ୍ଥାନରେ ପହଞ୍ଚିବ।

ସମ୍ବନ୍ଧିତ ଖବର