ତୃଣମୂଳର ଗୋଷ୍ଠୀ ସଂଘର୍ଷରେ ଜଣେ ମୃତ

କୋଲକାତା : ହୁଗୁଳି ଜିଲ୍ଲା ଆରାମବାଗର ହରିଣଖୋଲା ଅଞ୍ଚଳରେ ତୃଣମୂଳର ୨ ଗୋଷ୍ଠୀ ସମର୍ଥକଙ୍କ ମଧ୍ୟରେ ସଂଘର୍ଷ ହେବା ଫଳରେ ଶେଖ୍‌ ଇଜ୍‌ରାଇଲ୍‌ ଖାନ୍‌ ନାମକ ଜଣେ ସମର୍ଥକଙ୍କ ମୃତ୍ୟୁ ହୋଇଛି। ଏହି ଗଣ୍ଡଗୋଳରେ ଉଭୟ ପକ୍ଷର ଅନେକ ଆହତ ହୋଇଛନ୍ତି। ଆହତମାନଙ୍କୁ ଆରାମବାଗ ମହକୁମା ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ହରିଣଖୋଲାର ଘୋଳ ତାଜପୁର ଅଞ୍ଚଳରେ ଏହି ଘଟଣା ଘଟିଛି। ମୃତକ ହରିଣଖୋଲା ୨ ନମ୍ବର ଗ୍ରାମପଞ୍ଚାୟତ ପ୍ରଧାନ ତଥା ତୃଣମୂଳ ଯୁବ କଂଗ୍ରେସ ନେତା ଲାଲ୍‌ଟୁ ଖାନ୍‌ଙ୍କ ଅନୁଗାମୀ। ପ୍ରତ୍ୟକ୍ଷଦର୍ଶୀଙ୍କ ସୂତ୍ରରୁ ଜଣାପଡ଼ିଛି, ଗୁରୁବାର ସକାଳେ ଲାଲ୍‌ଟୁ ଓ ପୁରସରାର ପୂର୍ବତନ ବିଧାୟକ ପରଭେଜ୍‌ ର‌େହମାନଙ୍କ ସମର୍ଥକଙ୍କ ମଧ୍ୟରେ ସଂଘର୍ଷ ଆରମ୍ଭ ହୋଇଥିଲା। ଉଭୟ ପକ୍ଷରୁ ବୋମା ବର୍ଷଣ ହୋଇଥିଲା। ଗୋଟିଏ ବୋମା ଶେଖ୍‌ ଇଜ୍‌ରାଇଲ୍‌ଙ୍କ ଛାତିରେ ବାଜିଥିଲା। ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା। ଖବର ପାଇଁ ହୁଗୁଳି ଗ୍ରାମୀଣ ଅତିରିକ୍ତ ଏସ୍‌ପି ସୁରେନ୍ଦ୍ର ସିଂହ, ଆରାମବାଗ ଏସ୍‌ଡିପିଓ ନିର୍ମଳ କୁମାର ଦାସ, ଥାନାଧିକାରୀ ପାର୍ଥସାରଥି ହାଲଦାରଙ୍କ ନେତୃତ୍ବରେ ବିଶାଳ ପୁଲିସ ବାହିନୀ ଘଟଣାସ୍ଥଳରେ ପହଞ୍ଚିଥିଲେ।

ସମ୍ବନ୍ଧିତ ଖବର