ଶ୍ରୀଲଙ୍କାରେ ସରକାର ବିରୋଧୀ ବିକ୍ଷୋଭ, ପୁଲିସ ଗୁଳିରେ ଜଣେ ମୃତ, ୧୦ ଆହତ

କଲମ୍ବୋ : ଆର୍ଥିକ ସଂକଟ ଯୋଗୁଁ ଶ୍ରୀଲଙ୍କାରେ ଦେଖାଦେଇଥିବା ଅସ୍ଥିରତା ଦିନକୁ ଦିନ ଅଣାୟତ୍ତ ହେବାରେ ଲାଗିଛି । ସରକାରଙ୍କ ବିରୋଧରେ ଲୋକେ ରାସ୍ତାକୁ ଓହ୍ଲାଇଥିବାବେଳେ ଜନତାଙ୍କ ଉପରେ ପୁଲିସ ଗୁଳି ଚଳାଇବାରେ ଲାଗିଛି ।

ମଙ୍ଗଳବାରଦିନ ତୈଳ ସଂକଟ, ଦରଦାମ ବୃଦ୍ଧି ବିରୋଧରେ ରମ୍ବୁକାନାଠାରେ ବିକ୍ଷୋଭ ପ୍ରଦର୍ଶନ କରୁଥିବା ଲୋକମାନଙ୍କ ଉପରକୁ ପୁଲିସ ଗୁଳି ଚଳାଇବାରୁ ଜଣେ ବ୍ୟକ୍ତି ମୃତ୍ୟୁବରଣ କରିବା ସହ ୧୦ ଜଣ ଆହତ ହୋଇଛନ୍ତି ।

ତୈଳ ସଂକଟ ବିରୋଧରେ ମଙ୍ଗଳବାରଦିନ ଲୋକମାନେ ରାସ୍ତାକୁ ଓହ୍ଲାଇ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ । ଏହି ବିକ୍ଷୋଭ ଯୋଗୁଁ କଲମ୍ବୋ ଓ କାଣ୍ଡି ସହରକୁ ସଂଯୋଗ କରୁଥିବା ରାଜପଥ ବନ୍ଦ ହୋଇଯାଇଥିଲା । କେତେକ ସ୍ଥାନରେ ଏହି ବିକ୍ଷୋଭ ଅଣାୟତ୍ତ ହେବା ପରେ ପୁଲିସ ଲାଠିଚାଳନା ଓ ଗୁଳିମାଡ କରିଥିଲା ।

ସୂଚନାଯୋଗ୍ୟ ଯେ, ଶ୍ରୀଲଙ୍କାରେ ଆର୍ଥିକ ସଂକଟ ଦିନକୁ ଦିନ ଅଧିକ ଉତ୍କଟ ହେଲାଣି । ଖାଦ୍ୟ, ଔଷଧ, ପେଟ୍ରୋଲିୟମ ଓ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ପାଇଁ ଏହି ଦେଶର ଲୋକମାନେ ସଂଘର୍ଷ କରୁଛନ୍ତି । କୋଇଲା ଆମଦାନୀ ପାଇଁ ବୈଦେଶିକ ମୁଦ୍ରା ନଥିବାରୁ ଦିନକୁ ୧୩ ଘଣ୍ଟା ବିଜୁଳି କାଟ ହେଉଛି । ଏହାଫଳରେ ଦେଶରେ ଗୃହଯୁଦ୍ଧ ପରିସ୍ଥିତି ସୃଷ୍ଟି ହୋଇଛି । ଲୋକମାନେ ସରକାରଙ୍କ ବିରୋଧରେ ରାସ୍ତାକୁ ଓହ୍ଲାଇଛନ୍ତି ।

 

ସମ୍ବନ୍ଧିତ ଖବର