ଝାଡ଼ଖଣ୍ଡରେ ଭିଡ଼ହିଂସା: ଭିନ୍ନକ୍ଷମଙ୍କୁ ପିଟିପିଟି ମାରିଦେଲେ, ୨ ଗୁରୁତର

ରାଞ୍ଚି : ଏକ ଅଭାବନୀୟ ଘଟଣାକ୍ରମରେ ଝାଡ଼ଖଣ୍ଡର ଖୁଣ୍ଟି ଜିଲ୍ଲାରେ ଗାଈ ହତ୍ୟା ସନ୍ଦେହରେ ଜଣେ ଭିନ୍ନକ୍ଷମଙ୍କୁ ପିଟିପିଟି ହତ୍ୟା କରିବା ଘଟଣା ଏବେ ରାଜ୍ୟବ୍ୟାପୀ ଆଲୋଡ଼ନ ସୃଷ୍ଟି କରିଛି। ଝାଡ଼ଖଣ୍ଡର ରାଜଧାନୀ ରାଞ୍ଚିଠାରୁ ୪୫ କିମି ଦୂର କାରା ଥାନା ଅଧୀନସ୍ଥ ସୁରଇ ଜଲତଙ୍ଗା ଗ୍ରାମରେ ଗତକାଲି ଏହି ଘଟଣା ଘଟିଛି। ୩୮ ବର୍ଷୀୟ କାଲା‌ଣ୍ଟୁସ୍‌ ବାର୍ଲା , ଫଗୁ କଚ୍ଛପ ଏବଂ ଫିଲିପ୍‌ ହରୋ ନାମକ ୩ଜଣ ବ୍ୟକ୍ତି ଗତକାଲି ଜଲତଙ୍ଗା ଗ୍ରାମର ଏକ ନଦୀ ନିକଟରେ ଗୋମାଂସ ଧରିଛନ୍ତି ବୋଲି କିଛି ଲୋକ ଦେଖିଥିବା କହିବାପରେ ଗ୍ରାମରୁ ଅନେକ ସଂଖ୍ୟାରେ ଲୋକ ସେଠାରେ ପହଞ୍ଚିଥିଲେ। କିଛି ନବୁଝି ନଜାଣି ଉପରୋକ୍ତ ୩ ଜଣଙ୍କ ଉପରକୁ ନିସ୍ତୁକ ମାଡ଼ ମାରିଥିଲେ। ଅନେକ ସମୟ ପର୍ଯ୍ୟନ୍ତ ସେମାନେ ଉକ୍ତ ୩ ଜଣଙ୍କୁ ମାରଧର କରିଥିଲେ। ତେବେ ଗ୍ରାମର ଜଣେ ବ୍ୟକ୍ତି ଏସଂକ୍ରାନ୍ତରେ ପୁଲିସରେ ଖବର ଦେବାପରେ ପୁଲିସ ଯାଇ ଘଟଣାସ୍ଥଳରେ ପହଞ୍ଚିଥିଲା ଏବଂ ୩ଜଣଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲ୍‌ ପଠାଇଥିଲା। କିନ୍ତୁ ଉକ୍ତ ୩ଜଣଙ୍କ ମଧ୍ୟରୁ କାଲାଣ୍ଟୁସ୍‌ ବାର୍ଲାଙ୍କର ହସ୍ପିଟାଲ୍‌ ଯିବା ବାଟ‌ରେ ହିଁ ମୃତ୍ୟୁ ହୋଇଯାଇଥିଲା। ଅନ୍ୟପକ୍ଷେ ଅନ୍ୟ ୨ ଜଣଙ୍କ ଅବସ୍ଥା ଏବେ ଗୁରୁତର ଥିବା ଜଣାପଡ଼ିଛି। ପୁଲିସ ଏହି ମାମଲାରେ ୮ ଜଣଙ୍କୁ ଅଟକ ରଖି ପଚରାଉଚୁରା କରୁଛି। ତେବେ ଉକ୍ତ ୮ ଜଣଙ୍କୁ ତୁରନ୍ତ ମୁକ୍ତ କରିବାପାଇଁ ଦାବି କରି ଗ୍ରାମରୁ ପ୍ରାୟ ୫୦ରୁ ଊର୍ଦ୍ଧ୍ବ ମହିଳା ଏବଂ ପୁରୁଷ ଥାନା ବାହାରେ ଆନ୍ଦୋଳନ କରିଛନ୍ତି। ମୃତ କାଲାଣ୍ଟୁସ୍‌ ବାର୍ଲା ଲାପୁଙ୍ଗ୍‌ ଥାନା ଅଧୀନସ୍ଥ ଗୋପାଳପୁର ଗ୍ରାମର ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର