ସେଲ୍ଫି ନେବାବେଳେ ସମୁଦ୍ରରେ ଭାସିଗଲେ ଯୁବକ

ତିରୁବନନ୍ତପୁରମ: ସେଲ୍ଫି ନେବା ହେଲା କାଳ | ଆଉ ସେଲ୍ଫି ନେବାବେଳେ ସମୁଦ୍ର ଢେଉରେ ଭାସିଗଲେ ଯୁବକ | କେରଳର ତିରୁବନନ୍ତପୁରମର ଅଝିମାଳା ବେଳାଭୂମିରେ ଏଭଳି ଏକ ଦୁଃଖଦାୟକ ଘଟଣା ଘଟିଛି | ମିଳିଥିବା ସୂଚନା ମୁତାବକ ମୃତକଙ୍କ ନାମ ଜୟନ ହୋଇଥିବାବେଳେ ସେ ସୋମବାର ଦିନ ନିଜର ୩ ଜଣ ସାଙ୍ଗଙ୍କ ସହ ମିଶି ଅଝିମାଳା ବେଳାଭୂମିକୁ ବୁଲିବାକୁ ଆସିଥିଲେ | ବେଳାଭୂମିରେ ଥିବା ଏକ ପଥର ଉପରେ ଚଢି ସେ ସେଲ୍ଫି ନେଉଥିବାବେଳେ ସମୁଦ୍ର ଜୁଆର ତାଙ୍କ ଆଡକୁ ମାଡିଆସିଥିଲା |

ଆଉ ସେ ଏହି ଢେଉରେ ଭାସିଯାଇଥିଲେ | ଜୟନଙ୍କ ସାଙ୍ଗମାନେ କହିଛନ୍ତି ଯେ ଥିରୁଭଲାମରୁ ସେମାନେ ଅଝିମାଳା ବେଳାଭୂମିକୁ ବୁଲିବାକୁ ଆସିଥିଲେ | ଅଝିମାଳା ବେଳାଭୂମି ନିକଟରେ ଥିବା ଅରୁମନରକୁ ଏକ ନିର୍ବନ୍ଧ କାର୍ଯ୍ୟକ୍ରମରେ ଆସିଥିବାବେଳେ ବୁଲିବାକୁ ସମୁଦ୍ରକୂଳକୁ ଯାଇଥିଲେ |

ସେମାନେ ସମୁଦ୍ର ବେଳାଭୂମିରେ ବସିଥିବାବେଳେ ଜୟନ ଏକ ଖସଡିଆ ପଥର ଉପରେ ଚଢ଼ିଯାଇଥିଲେ | ସେଠାରେ ସେଲ୍ଫି ନେବାବେଳେ ହଠାତ ଏକ ସମୁଦ୍ର ଢେଉ ତାଙ୍କ ଆଡକୁ ମାଡିଆସିଥିଲା | ଆଉ ସେ ନିୟନ୍ତ୍ରଣ ହରାଇ ଏହି ଢେଉରେ ଭାସିଯାଇଥିଲେ | ସାଙ୍ଗମାନେ ତୁରନ୍ତ ପୁଲିସକୁ ଖବର ଦେଇଥିଲେ | ପୁଲିସ ସହ ଦମକଳ ବାହିନୀ ପକ୍ଷରୁ ଏକ ସର୍ଚ୍ଚ ଅପରେସନ କରାଯାଇଥିଲା ଓ ଜୟନଙ୍କ ମୃତଦେହ ଉଦ୍ଧାର କରାଯାଇଛି |

ସମ୍ବନ୍ଧିତ ଖବର