ନୂଆଦିଲ୍ଲୀ: ମିରଟ୍‌ରେ କରୋନା ଭାଇରସ୍‌ ସଂକ୍ରମଣ ଲଗାତାର ବଢ଼ିବାରେ ଲାଗିଛି। ଆଜି ଏଠାରେ ଗୋଟିଏ ପରିବାରର ୧୩ ଜଣଙ୍କ ଯାଞ୍ଚ ପରେ ରିପୋର୍ଟ ପଜିଟିଭ୍‌ ଆସିବାରୁ ଆତଙ୍କ ଖେଳିଯାଇଛି। ଏହି ପରିବାରର ଆହୁରି ୩୫ ଜଣଙ୍କ ରିପୋର୍ଟ ଆସିବାକୁ ଅପେକ୍ଷା କରାଯାଇଛି। ପରିବାର ଜଣେ ଆକ୍ରାନ୍ତ ହେବାପରେ ତାଙ୍କ ଦ୍ବାରା ଜଣେ ପରେ ଜଣେ ସଂକ୍ରମିତ ହୋଇଚାଲିଥିଲେ। ସମସ୍ତ ଆକ୍ରାନ୍ତଙ୍କୁ ଜିଲ୍ଲା ଚିକିତ୍ସାଳୟର ଆଇସୋଲେସନ ୱାର୍ଡରେ ରଖାଯାଇଛି।

Advertisment

ମହାରାଷ୍ଟ୍ରର ସାଙ୍ଗ୍‌ଲି ଜିଲ୍ଲାରେ ଗତକାଲି ଗୋଟିଏ ପରିବାରର ୨୫ ଜଣଙ୍କର ଆକ୍ରାନ୍ତ ହେବା ଖବର ଆସିଥିଲା। ଉକ୍ତ ପରିବାରର  ଜଣେ ୨ ବର୍ଷର ଶିଶୁ ବି  କରୋନା ଭାଇରସ୍‌ ଆକ୍ରାନ୍ତ ହୋଇଛି।  ମହାରାଷ୍ଟ୍ର ସରକାର ଏବେ ସାଙ୍ଗ୍‌ଲିରେ ଭାଇରସ୍‌ ନିୟନ୍ତ୍ରଣ ପାଇଁ ୩ ଜଣିଆ ସଦସ୍ୟ ବିଶିଷ୍ଟ ଏକ ଡାକ୍ତରୀ ଦଳ ପଠାଇଛନ୍ତି। ମିରଜ୍‌ ସିଭିଲ୍‌ ହସ୍ପିଟାଲ୍‌ର ସ୍ବାସ୍ଥ୍ୟସେବାକୁ ସରକାର ହାତକୁ ନେଇଛନ୍ତି। ଏହି ପରିବାରର ସମସ୍ତ ସଦସ୍ୟ ଏବେ ମିରଜ୍‌ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅଛନ୍ତି। ପରିବାରରୁ ସମୁଦାୟ ୨ ଜଣ ଶିଶୁ ଭାଇରସ୍‌ ଆକ୍ରାନ୍ତ ହୋଇଛନ୍ତି। ଅନ୍ୟପକ୍ଷେ ପୁନେରେ ମଧ୍ୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୧ରେ ପହଞ୍ଚିଛି। ମୁମ୍ବାଇରେ ପୁଣି ଏକ ୭ ମାସର ଶିଶୁ ଭାଇରସ୍‌ ଆକ୍ରାନ୍ତ ହୋଇଛି। ଏହି ଶିଶୁଟି ରାଜ୍ୟର ସର୍ବକନିଷ୍ଠ କୋଭିଡ୍‌ -୧୯ ରୋଗୀ ବୋଲି ଜଣାପଡ଼ିଛି।