ପ୍ରତି ୧୦ହଜାରରେ ଜଣଙ୍କଠାରେ ଟିକାର ପାର୍ଶ୍ବ ପ୍ରତିକ୍ରିୟା‌

ଆଦିଲ୍ଲୀ: ଚଳିତବର୍ଷ ଜାନୁଆରି ୧୬ରୁ ଜୁନ ୭ ସୁଦ୍ଧା ଦେଶରେ ୨୬,୨୦୦ ଜଣଙ୍କ ଠାରେ କରୋନା ଟିକାର ପାର୍ଶ୍ବ ପ୍ରତିକ୍ରିୟା ଦେଖିବାକୁ ମିଳିଛି। ଏଥିପାଇଁ ୪୮୮ ଜଣଙ୍କର ଜୀବନ ଯାଇଛି ବୋଲି ଜଣାଯାଇଛି। ଉପରୋକ୍ତ ଅବଧି ମଧ୍ୟରେ ଦେଶରେ ୨୩.୫ କୋଟି ଲୋକଙ୍କୁ ଟିକା ଦିଆଯାଇଛି। ଅର୍ଥାତ୍ ଟିକା ନେଇଥିବା ବ୍ୟକ୍ତିଙ୍କ କ୍ଷେତ୍ରରେ ପାର୍ଶ୍ବ ପ୍ରତିକ୍ରିୟା ମାତ୍ର ୦.୦୧ ପ୍ରତିଶତ ରହିଛି। ଅନ୍ୟ ଅର୍ଥରେ ଦେଖିଲେ ଉପରୋକ୍ତ ୧୪୩ ଦିନର ଟିକାକରଣ ସମୟରେ ଟିକା ନେଇଥିବା ପ୍ରତି ୧୦ ହଜାର ଲୋକଙ୍କ ମଧ୍ୟରୁ ଜଣଙ୍କ ଠାରେ ପାର୍ଶ୍ବ ପ୍ରତିକ୍ରିୟା ହୋଇଛି। ସେହିଭଳି ଟିକା ନେଇଥିବା ପ୍ରତି ୧୦ ଲକ୍ଷ ଲୋକଙ୍କ ମଧ୍ୟରୁ ୨ ଜଣଙ୍କର ମୃତ୍ୟୁ ହୋଇଛି।

ଟିକାକରଣ ପରେ ସ୍ବାସ୍ଥ୍ୟଜନିତ ପ୍ରତିକୂଳ ପ୍ରତିକ୍ରିୟା ଦେଖିବାକୁ ମିଳିଥାଏ। କିନ୍ତୁ ଟିକା ପାଇଁ ଏହା ହୋଇଛି ବୋଲି ତାହା ନିଶ୍ଚିତ ଭାବେ କୁହାଯାଇ ପାରିବ ନାହିଁ। ବିପଦ ତୁଳନାରେ ଟିକାର ଲାଭ ଅଧିକ। ଭାରତରେ ଦିଆଯାଉଥିବା ଟିକା ନିରାପଦ ବୋଲି ବିଶେଷଜ୍ଞମାନେ ମତ ଦେଉଛନ୍ତି। ଜୁନ ୭ ସୁଦ୍ଧା ଭାରତରେ ଦିଆଯାଇଥିବା ମୋଟ ୨୩.୫ କୋଟି ଡୋଜ୍ ଟିକା ମଧ୍ୟରୁ କୋଭିସିଲ୍‌ଡ ଡୋଜ୍‌ ସଂଖ୍ୟା ୨୧ କୋଟି ରହିଥିବାବେଳେ କୋଭାକ୍ସିନ ଡୋଜ୍ ସଂଖ୍ୟା ୨.୫ କୋଟି ରହିଛି। ଦୁଇଟି ଯାକ ଟିକା କ୍ଷେତ୍ରରେ ପାର୍ଶ୍ବ ପ୍ରତିକ୍ରିୟାର ପ୍ରତିଶତ ସମାନ ରହିଛି। ସେହିଭଳି ମୋଟ ପାର୍ଶ୍ବ ପ୍ରତିକ୍ରିୟା ମଧ୍ୟରୁ ପାଖାପାଖି ୯୫ ପ୍ରତିଶତ (୨୪,୯୦୧) ସାମାନ୍ୟ ପାର୍ଶ୍ବ ପ୍ରତିକ୍ରିୟା, ପ୍ରାୟ ୨ ପ୍ରତିଶତ (୪୧୨) ଗୁରତର ଏବଂ ୩.୩୯ ପ୍ରତିଶତ (୮୮୭) ଗମ୍ଭୀର ପ୍ରତିକ୍ରିୟା ଦେଖାଦେଇଛି। ୮.୮୫ ପ୍ରତିଶତ ବା ୨୩୧୫ ଜଣ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି।

ସମ୍ବନ୍ଧିତ ଖବର