ଭାରତରେ କରୋନାରେ ମୃତ୍ୟୁବରଣ କରିଥିବା ପ୍ରତି ଦୁଇଜଣଙ୍କ ମଧ୍ୟରୁ ଜଣେ ବରିଷ୍ଠ ନାଗରିକ : ସ୍ୱାସ୍ଥ୍ୟ ମନ୍ତ୍ରାଳୟ

ନୂଆଦିଲ୍ଲୀ : ଭାରତରେ କରୋନା ଜନିତ ମୃତ୍ୟୁସଂଖ୍ୟା  ୫୫୯୮ରେ ପହଞ୍ଚିଥିବାବେଳେ ମୃତ୍ୟୁହାର ୨.୮ ପ୍ରତିଶତ ରହିଛି ଯାହାକି ସମଗ୍ର ବିଶ୍ବରେ କେତୋଟି ସର୍ବନିମ୍ନ ମୃତ୍ୟୁହାର ମଧ୍ୟରୁ ଅନ୍ୟତମ । ଆହୁରି ମଧ୍ୟ ଦେଶରେ କରୋନାରେ ମୃତ୍ୟୁବରଣ କରିଥିବା ପ୍ରତି ଦୁଇଜଣଙ୍କ ମଧ୍ୟରୁ ଜଣେ ବରିଷ୍ଠ ନାଗରିକ ବୋଲି କହିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଯୁଗ୍ମ ସଚିବ ଲବ ଅଗ୍ରୱାଲ ।

ସରକାରଙ୍କ ପକ୍ଷରୁ ଅନୁଷ୍ଠିତ ଦୈନିକ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି ଯେ ଭାରତରେ ଯେତିକି ଲୋକ କରୋନା ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିଛନ୍ତି, ସେମାନଙ୍କ ମଧ୍ୟରୁ ୭୪ ପ୍ରତିଶତଙ୍କ ଶରୀରରେ ପୂର୍ବରୁ ଅନ୍ୟ କୌଣସି ପ୍ରକାରର ରୋଗ ଥିଲା । ଦେଶର ପ୍ରତି ଦୁଇଜଣ କରୋନା ମୃତକଙ୍କ ମଧ୍ୟରୁ ଜଣେ ବରିଷ୍ଠ ନାଗରିକ ବୋଲି ସେ କହିଛନ୍ତି । ସରକାର କରୋନା  ମୃତ୍ୟୁସଂଖ୍ୟାକୁ କମ କରି ଦର୍ଶାଉଥିବା ଅଭିଯୋଗକୁ ଖଣ୍ଡନ କରି ସେ କହିଛନ୍ତି ଯେ ରାଜ ସରକାରମାନେ ମୃତ୍ୟୁସଂଖ୍ୟା ସଂପର୍କରେ ଯାଞ୍ଚ କରି ରିପୋର୍ଟ  ଦେଉଛନ୍ତି । ଏଣୁ ଏହାକୁ କମ କରି ଦର୍ଶାଇବାର ପ୍ରଶ୍ନ ଉଠୁନାହିଁ ।   ଭାରତରେ ପ୍ରତି ଲକ୍ଷେ ଲୋକରେ ମୃତ୍ୟୁସଂଖ୍ୟା ୦.୪୧ ରହିଛି, ଯେବେକି   ବିଶ୍ବରେ ପ୍ରତି ଲକ୍ଷେ ଲୋକରେ ପ୍ରାୟ ୫ ଜଣ ମୃତ୍ୟୁବରଣ କରୁଛନ୍ତି ।

cdc

ସେ କହିଛନ୍ତି ଯେ ଦେଶରେ ଏପର୍ଯ୍ୟନ୍ତ ୯୫୫୨୭ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହେଲେଣି ଓ ଏହା ଫଳରେ ଭାରତର ଆରୋଗ୍ୟ  ହାର ୪୮.୦୭ ପ୍ରତିଶତରେ ପହଞ୍ଚିଛି ।     ଦେଶରେ  ଅନଲକ-୧ ଲାଗୁ ହେବା ପରେ ଲୋକମାନଙ୍କୁ ନିଜକୁ ନିଜେ ସୁରକ୍ଷିତ ରଖି କରୋନା ସହ ଚଳିବାକୁ ହେବ ।

ଏହି ଅବସରରେ ଆଇସିଏମଆର ପକ୍ଷରୁ କୁହାଯାଇଛି ଯେ କରୋନା ନିୟନ୍ତ୍ରଣ ପାଇଁ ସରକାରଙ୍କ ପକ୍ଷରୁ ଗ୍ରହଣ କରାଯାଇଥିବା ପଦକ୍ଷେପ ବେଶ ସଫଳ ରହିଛି ଓ ଏହା ଦ୍ବାରା ଭାରତରେ ଏପର୍ଯ୍ୟନ୍ତ କରୋନା ଆକ୍ରାନ୍ତ ସଂଖ୍ୟା ଶିଖର ଛୁଇଁନାହିଁ ।

ସମ୍ବନ୍ଧିତ ଖବର