ନୂ୍ଆଦିଲ୍ଲୀ: ମହାରାଷ୍ଟ୍ରରେ ବିଜେପି ନେତୃତ୍ବାଧୀନ ମହାୟୁତି ମେଣ୍ଟର ବିଜୟ ପାଇଁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମସ୍ତ ବିଜେପି ଏବଂ ଏନ୍ଡିଏ କର୍ମୀମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଦିଲ୍ଲୀରେ ଦଳର ମୁଖ୍ୟାଳୟରେ ଦଳୀୟ କର୍ମୀମାନଙ୍କୁ ଉଦ୍ବୋଧନ ଦେଇ ମୋଦୀ କହିଛନ୍ତି, ଆଜି ନକରାତ୍ମକ ରାଜନୀତିର ପରାଜୟ ହୋଇଛି। ପରିବାରବାଦର ପରାଜୟ ହୋଇଛି। ଏକ ବିକଶିତ ଭାରତ ପାଇଁ ସଙ୍କଳ୍ପକୁ ମହାରାଷ୍ଟ୍ର ଆଜି ସୁଦୃଢ଼ କରିଛି। ଚଳିତ ନିର୍ବାଚନରେ ବିଜେପି ଦେଇଥିବା ‘ଏକ୍ ହୈ ତୋ ସେଫ୍ ହୈ’ (ଏକଜୁଟ ରହିବା ହିଁ ନିରାପଦ) ସ୍ଲୋଗାନ ଦେଶବାସୀଙ୍କ ପାଇଁ ମହାମନ୍ତ୍ର ପାଲଟିଯାଇଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।
ମହାରାଷ୍ଟ୍ର ମେଣ୍ଟ ରାଜନୀତିରେ ସବୁଠାରୁ ବଡ଼ ବିଜୟ
ଏହି ସ୍ଲୋଗାନକୁ ଇଣ୍ଡି ମେଣ୍ଟ ନେତାମାନେ ବିଭାଜନକାରୀ ଏବଂ ସାମ୍ପ୍ରଦାୟିକ ଦର୍ଶାଇ ତୀବ୍ର ସମାଲୋଚନା କରିଥିବାରୁ ପ୍ରଧାନମନ୍ତ୍ରୀ ଆଜି ସେମାନଙ୍କୁ ତୀବ୍ର କଟାକ୍ଷ କରି କହିଛନ୍ତି ଯେ ଏହି ସ୍ଲୋଗାନ ଏବେ ଦେଶବାସୀଙ୍କ ସ୍ଲୋଗାନ୍ ପାଲଟିଛି। ବିଜୟ ପାଇଁ ସମସ୍ତ ବିଜେପି ଏବଂ ଏନ୍ଡିଏ କର୍ମୀଙ୍କ ଅକ୍ଳାନ୍ତ ଉଦ୍ୟମକୁ ମୋଦୀ ପ୍ରଶଂସା କରିଛନ୍ତି। ସେ କହିଛନ୍ତି, ଏକ ଐତିହାସିକ ବିଜୟରେ ବିଜେପି ନେତୃତ୍ବାଧୀନ ଏନଡିଏ ମେଣ୍ଟ ମହାରାଷ୍ଟ୍ରରେ ଗତ ୫୦ ବର୍ଷ ମଧ୍ୟରେ ସବୁଠାରୁ ବଡ଼ ବିଜୟ ହାସଲ କରିଛି। ରାଜ୍ୟରେ ସର୍ବବୃହତ୍ ଦଳ ଭାବେ ଏହା ବିଜେପି ପାଇଁ ଲଗାତାର ତୃତୀୟ କାର୍ଯ୍ୟକାଳ। ମୋଦୀ କହିଛନ୍ତି, ମହାରାଷ୍ଟ୍ର ଷଷ୍ଠ ରାଜ୍ୟ ଭାବେ ଏନଡିଏକୁ ଲଗାତାର ତୃତୀୟ କାର୍ଯ୍ୟକାଳ ପ୍ରଦାନ କରିଛି। ମୋଦୀ ମଧ୍ୟ ଝାଡ଼ଖଣ୍ଡବାସୀଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି।