ରାୟପୁର: ଛତିଶଗଡରେ ବିଧାନସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟରେ ୭୦ଟି ଆସନରେ ମତଦାନ ଶେଷ ହୋଇଛି। ତେବେ ମତଦାନ ଶେଷ ହେବାର ଠିକ୍ ପୂର୍ବରୁ ନକ୍ସଲମାନେ ଏକ ଅତି ସମ୍ବେଦନଶୀଳ ମତଦାନ ବୁଥରେ ଆଇଇଡି ବିସ୍ଫୋରଣ କରିଥିଲେ | ଯେଉଁଥିରେ ଇଣ୍ଡୋ-ତିବ୍ଦତୀୟ ସୀମା ପୁଲିସ୍ (ଆଇଟିବିପି)ର ଜଣେ ଯବାନ ସହିଦ ହୋଇଥିବାବେଳେ ଆଉ କିଛି ଯବାନ ଆହତ ହୋଇଛନ୍ତି। ଗରିଆବନ୍ଧ ଜିଲ୍ଲାର ଏକ ମତଦାନ ବୁଥରେ ଏହି ବିସ୍ଫୋରଣ ଘଟିଛି। ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମିଳିଥିବା ସୂଚନା ମୁତାବକ ଦ୍ଵିତୀୟ ପର୍ଯ୍ୟାୟ ମତଦାନ ସାରି ଫେରୁଥିବାବେଳେ ଆଇଇଡି ବିସ୍ଫୋରଣ ହୋଇଥିଲା |
ଛତିଶଗଡ ଗରିଆବନ୍ଧ ଜିଲ୍ଲାର ବାଡେଗୋବ୍ରା ବୁଥରେ ଏହି ଘଟଣା ଘଟିଛି | ଏହି ବିସ୍ଫୋରଣରେ ଇଣ୍ଡୋ-ତିବ୍ଦତୀୟ ସୀମା ପୁଲିସର ଦୁଇ ଜଣ ଯବାନ ଗୁରୁତର ଆହତ ହୋଇଥିଲେ। ସେମାନଙ୍କୁ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିବାବେଳେ ଡାକ୍ତରମାନେ ଆହତ ଯବାନଙ୍କୁ ମୃତ ଘୋଷଣା କରିଥିଲେ । ସହିଦ ଯବାନଙ୍କ ନାମ ଯୋଗେନ୍ଦ୍ର କୁମାର ଓ ତାଙ୍କ ଘର ଜମ୍ମୁକଶ୍ମୀର ବୋଲି ଜଣାପଡ଼ିଛି। ଉଲ୍ଲେଖ ଥାଉ କି ସନ୍ଧ୍ୟା ୫ଟା ସୁଦ୍ଧା ଛତିଶଗଡ଼ ବିଧାନସଭା ନିର୍ବାଚନରେ ୬୭.୩୪ ପ୍ରତିଶତ ମତଦାନ ହୋଇଥିବାର ରେକର୍ଡ କରାଯାଇଛି |