କରାଚୀ: ପାକିସ୍ତାନର ଅଶାନ୍ତ ବାଲୋଚିସ୍ତାନ୍ ପ୍ରଦେଶରେ ପାକିସ୍ତାନୀ ଜାତୀୟ ପତାକା ବିକ୍ରୟ ହେଉଥିବା ଗୋଟାଏ ରାସ୍ତାପାର୍ଶ୍ବ ଦୋକାନ ଉପରକୁ ଅଜ୍ଞାତ ଦୁର୍ବୃତ୍ତମାନେ ଫିଙ୍ଗିଥିବା ଗ୍ରେନେଡ୍ ବିସ୍ଫୋରଣ ଘଟିବାରୁ ଅନ୍ୟୂନ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି ଓ ୨ଜଣ ପିଲାଙ୍କ ସମେତ ୧୪ଜଣ ଆହତ ହୋଇଥିବା କଥା ଶୁକ୍ରବାର ଦିନ ଏକ ସମ୍ବାଦପତ୍ର ରିପୋର୍ଟ କରିଛି।
ସମ୍ବାଦପତ୍ର ‘ଦି ଏକ୍ସପ୍ରେସ୍ ଟ୍ରିବ୍ୟୁନ୍’ ରିପୋର୍ଟ ଅନୁସାରେ, ଗୁରୁବାର ରାତିରେ ଘଟଣାଟି କ୍ବେଟ୍ଟାର ଜଏଣ୍ଟ୍ ରୋଡ୍ ଅଞ୍ଚଳରେ ଘଟିଛି। ଅଗଷ୍ଟ ୧୪ ତାରିଖ ଦିନ ପାକିସ୍ତାନର ସ୍ବାଧୀନତା ଦିବସ ଉପଲକ୍ଷେ ଜାତୀୟ ପତାକା ଏବଂ ଅନ୍ୟାନ୍ୟ ସାଜସଜା ସାମଗ୍ରୀ ବିକ୍ରୟ ହେଉଥିବା ଷ୍ଟଲ୍ଗୁଡ଼ିକ ଉପରକୁ ଅଜ୍ଞାତ ମୋଟର୍ସାଇକେଲ୍ ଆରୋହୀମାନେ ଆସି ଗ୍ରେନଡ୍ ଫିଙ୍ଗିଥିଲେ।
Image Courtesy of The Telegraph Indiaଏହି ଆକ୍ରମଣରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିବା କଥା ପୁଲିସ କହିଥିବା ବେଳେ ୨ଜଣ ପିଲାଙ୍କ ସମେତ ଆହୁରି ଅନ୍ୟୂନ ୧୪ଜଣ ଆହତ ହୋଇଛନ୍ତି। ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସେମାନଙ୍କର ସ୍ବାସ୍ଥ୍ୟାବସ୍ଥା ସ୍ଥିର ଥିବା କଥା ଡାକ୍ତରମାନେ କହିଛନ୍ତି ବୋଲି ‘ଦି ଏକ୍ସପ୍ରେସ୍ ଟ୍ରିବ୍ୟୁନ୍’ ରିପୋର୍ଟରେ ଉଲ୍ଲେଖ ଅଛି।
ଏହି ଆକ୍ରମଣ ନିମନ୍ତେ କୌଣସି ଆତଙ୍କବାଦୀ ସଙ୍ଗଠନ ଏପର୍ଯ୍ୟନ୍ତ ନିଜକୁ ଦାୟୀ କରି ନାହାନ୍ତି।
ସୂଚନାଯୋଗ୍ୟ, ଇରାନ୍ ଓ ଆଫଗାନିସ୍ତାନ ସୀମାନ୍ତକୁ ଲାଗିଥିବା ସମ୍ବଳ-ସମୃଦ୍ଧ ବାଲୋଚିସ୍ତାନ୍ରେ ଦୀର୍ଘ ଦିନ ହେବ ଭୀଷଣ ଆତଙ୍କବାଦୀ କାର୍ଯ୍ୟକଳାପ ଲାଗି ରହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/08/pblast.jpg)