ରାଉରକେଲା: ବାଲେଶ୍ବର ବାହାନଗା ରେଳ ଦୁର୍ଘଟଣା ପରେ ରେଳବିଭାଗ ସିଗ୍‌ନାଲିଂ ବ୍ୟବସ୍ଥାକୁ କଡ଼ାକଡ଼ି କରିଛି। ଏହା ସତ୍ତ୍ବେ କିଛି ସ୍ଥାନରେ ସିଗନାଲ୍‌ ବ୍ୟବସ୍ଥା ‌ଫେଲ୍‌ ହେଉଛି। ଆଜି ହାୱଡ଼ା-ମୁମ୍ବାଇ ମୁଖ୍ୟ ମାର୍ଗର ରାଉରକେଲା-ପାନପୋଷ ରେଳ ଷ୍ଟେସନ ମଝିରେ ଗୋଟିଏ ଲାଇନ୍‌ରେ ଆସି ଯାଇଥିଲା ଦୁଇଟି ମାଲଗାଡ଼ି। ପ୍ରଥମ ମାଲଗାଡ଼ିକୁ ଦେଖି ପଛରେ ଆସୁଥିବା ମାଲଗାଡ଼ିର ଲୋକୋପାଇଲଟ୍‌ ବେଗ ଧୀର କରିବାରୁ ବଡ଼ଧରଣର ଦୁର୍ଘଟଣା ଟଳିଯାଇଛି। ବାସନ୍ତୀକଲୋନି ବିରଜାପାଲି ବସ୍ତି ନିକଟରେ ଏମିତି ଘଟଣା ଘଟିଥିଲା।

Advertisment

ଦୁଇଟି ମାଲଗାଡ଼ି ମଧ୍ୟରେ ମାତ୍ର ୧୫୦ ମିଟର ବ୍ୟବଧାନ ରହିଥିଲା। ଗୋଟିଏ ଲାଇନ୍‌ରେ ଦୁଇଟି ମାଲଗାଡ଼ି ଦେଖି ବସ୍ତିର ଲୋକମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଏ ସମ୍ପର୍କରେ ରାଉରକେଲା ଷ୍ଟେସନକୁ ଜଣାଇଥିଲେ। ସୂଚନା ପାଇ ରାଉରକେଲା ଷ୍ଟେସନର ଟେକ୍ନିକାଲ ଟିମ୍‌ ଘଟଣାସ୍ଥଳରେ ପହଞ୍ଚିଥିଲେ। ପାନପୋଷ ରେଳଷ୍ଟେସନରେ ଲାଗିଥିବା ଅଟୋମେଟିକ୍‌ ସିଗ୍‌ନାଲ ବ୍ୟବସ୍ଥାରୁ ଏଭଳି ତ୍ରୁଟି ହୋଇଥିବା କୁହାଯାଉଛି। ରାଉରକେଲା ଷ୍ଟେସନ ମ୍ୟାନେଜର ପ୍ରଭାତ ଦାସ କହିଛନ୍ତି, ରାଉରକେଲା ରେଳ ଷ୍ଟେସନର ପୁନରୁଦ୍ଧାର କାର୍ଯ୍ୟ ପରିପ୍ରେକ୍ଷୀରେ ପାନପୋଷ ଷ୍ଟେସନରେ ଅଟୋମେଟିକ୍‌ ସିଗ୍‌ନାଲ ବ୍ୟବସ୍ଥା କରାଯାଇଛି। ଷ୍ଟେସନର ପ୍ଲାଟଫର୍ମ ସଂଖ୍ୟା ୫ରୁ ୭କୁ ବୃଦ୍ଧି କରାଯାଇଛି। ଅଟୋମେଟିକ୍‌ ସିଗ୍‌ନାଲ ବ୍ୟବସ୍ଥା ପରେ ଏଣିକି ‌ଗୋଟିଏ ଲାଇନ୍‌ରେ ସ୍ବଳ୍ପ ସମୟ ବ୍ୟବଧାନରେ ୨ରୁ ୩ଟି ମାଲଗାଡ଼ି ଆସିପାରିବେ। ନୂଆ ବ୍ୟବସ୍ଥାରେ ମାଲଗାଡ଼ିର ଲୋକୋ‌ପାଇଲଟ୍‌ ଧୀରେ ଚଳାଇବେ, ଦରକାର ପଡ଼ିଲେ ଛିଡ଼ା ମଧ୍ୟ କରିପାରିବେ। ଏଥିରେ ସାଧାରଣ ଲୋକ କିଛି ବ୍ୟତିବ୍ୟସ୍ତ ହେବା ଦରକାର ନାହିଁ। ଟ୍ରାଫିକ୍‌ ସମସ୍ୟା ଏଡ଼ାଇବାକୁ ଆଗାମୀ ଦିନରେ ଏଭଳି ବ୍ୟବସ୍ଥା କରାଯାଉଛି ବୋଲି ସେ କହିଛନ୍ତି।