ମାରିୟୁପୋଲ୍‌ରେ ଫସିଛନ୍ତି ୧ ଲକ୍ଷ: ସୁରକ୍ଷା କାରଣ ପାଇଁ ଉଦ୍ଧାର କାର୍ଯ୍ୟ ବନ୍ଦ କଲା ୟୁକ୍ରେନ୍‌

ବିଶାଳ ଗଣକବର ଥିବା ଆଶଙ୍କା, ୯୦୦୦ ନାଗରିକଙ୍କୁ ମାରି ପୋତି ଦିଆଯାଇଥିବା ଦାବି

କିବ୍‌: ମାରିୟୁପୋଲ୍‌ରେ ସ୍ଥିତି ଅତ୍ୟନ୍ତ ଜଟିଳ ହେବାରେ ଲାଗିଛି। ରୁଷ୍‌ ମାରିୟୁପୋଲ୍‌କୁ ସମ୍ପୂର୍ଣ୍ଣ ନିୟନ୍ତ୍ରଣ କରିଥିବା ଘୋଷଣା କରିଛି। ତେବେ ମାରିୟୁପୋଲ୍‌ରେ ଏବେ ବି ୧ ଲକ୍ଷରୁ ଅଧିକ ଲୋକ ଥିବାରୁ ସେଠାରୁ ସମସ୍ତଙ୍କୁ ଉଦ୍ଧାର କରିବାପାଇଁ ମେୟର ରୁଷ୍‌ର ସହାୟତା ଲୋଡ଼ିଛନ୍ତି। ମେୟର୍‌ ବାଡିମ ବୋଇସେଙ୍କୋ ଏବେ ମାରିୟୁପୋଲ୍‌ରେ ନାହାନ୍ତି। କିନ୍ତୁ ସେ କହିଛନ୍ତି, ମାରିୟୁପୋଲ୍‌ରେ ଫସିଥିବା ନାଗରିକଙ୍କ ଜୀବନ ରୁଷ୍‌ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌ଙ୍କ ଉପରେ ନିର୍ଭର କରୁଛି। ମାରିୟୁପୋଲ୍‌ରେ ଜୋରଦାର ଗୋଳାବର୍ଷା ହେଉଥିବାରୁ ଲୋକେ ଭୟରେ ବାହାରକୁ ବାହାରୁ ନାହାନ୍ତି। ବିନା ଖାଦ୍ୟ, ପାଣି ଏବଂ ବିଦ୍ୟୁତ୍‌ରେ ସେମାନେ ବଞ୍ଚି ରହିବା ପାଇଁ ସଂଘର୍ଷ କରୁଛନ୍ତି। ବୋଇସେଙ୍କୋ କହିଛନ୍ତି, ହଜାର ହଜାର ସଂଖ୍ୟାରେ ଲୋକଙ୍କ ମୃତ୍ୟୁ ହୋଇଛି। ସୁରକ୍ଷା କାରଣରୁ ଆଜି କୌଣସି ପ୍ରକାର ଉଦ୍ଧାର କାର୍ଯ୍ୟ ହୋଇପାରିନି। ୟୁକ୍ରେନ୍‌ ଉପପ୍ରଧାନମନ୍ତ୍ରୀ ଇରିନା ଭେରେସ୍ଚୁକ କହିଛନ୍ତି, କୌଣସି ରାସ୍ତା ବି ଆକ୍ରମଣରୁ ରକ୍ଷା ପାଇନଥିବାରୁ ଉଦ୍ଧାର କାର୍ଯ୍ୟ ହୋଇପାରିନି। ଅନ୍ୟପକ୍ଷେ ମାରିୟୁପୋଲ୍‌ ଏବେ ବି ରୁଷ୍‌ ବିରୋଧରେ ଲଢ଼ୁଛି ବୋଲି ୟୁକ୍ରେନ୍‌ ରାଷ୍ଟ୍ରପତି ବୋଲଡିମିର ଜେଲେନ୍‌ସ୍କି ଆଜି କହିଛନ୍ତି। ଆମେରିକାର ସଦ୍ୟ ସାମରିକ ସହାୟତାକୁ ସ୍ବାଗତ ଜଣାଇବା ସହ ଜେଲେନ୍‌ସ୍କି କହିଛନ୍ତି, ଯୁଦ୍ଧ ଏବେ ବି ଜାରି ରହିଛି।

ଅନ୍ୟପକ୍ଷେ ମାରିୟୁପୋଲ୍‌ ନିକଟରେ ଏକ ଗଣକବର ସଂପର୍କରେ ସୂଚନା ମିଳିଛି। ଏକ ନୂଆ ଉପଗ୍ରହ ଚିତ୍ରଦ୍ବାରା ମାରିୟୁପୋଲ୍‌ ନିକଟରେ ଏକ ଗଣକବର ଥିବା ସ୍ପଷ୍ଟ ଜଣାପଡ଼ିଛି। ସ୍ଥାନୀୟ ଅଧିକାରୀଙ୍କ ଦାବି ଅନୁଯାୟୀ ରୁଷ୍‌ ଏଠାରେ ପ୍ରାୟ ୯ ହଜାର ୟୁକ୍ରେନ୍‌ ନାଗରିକଙ୍କ ଶବକୁ ପୋତି ଦେଇଛି। ହତ୍ୟା ଲୁଚାଇବାପାଇଁ ରୁଷ୍‌ ଏହି କାଣ୍ଡ କରିଛି ବୋଲି ସେମାନେ କହିଛନ୍ତି। ରୁଷ୍‌ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌ ମାରିୟୁପୋଲ୍‌ରେ ବିଜୟ ଘୋଷଣା କରିବାର ମାତ୍ର କିଛି ଘଣ୍ଟା ପରେ ଏହି ଉପଗ୍ରହ ଚିତ୍ର ଦେଖିବାକୁ ମିଳିଛି। ମିକ୍ସର ଟେକ୍‌ନୋ‌ଲୋଜି ଦ୍ବାରା ଏହି ଫଟୋ ଜାରି ହୋଇଛି। ପ୍ରାୟ ୨୦୦ରୁ ଅଧିକ ଗଣ କବରରେ ଲୋକଙ୍କୁ ରୁଷ୍‌ ପୋତି ଦେଇଥିବା ଦାବି ହେଉଛି। ମାରିୟୁପୋଲ୍‌ ମେୟର କହିଛନ୍ତି, ଉପଗ୍ରହ ଛବି ଆଧାରରେ ଅଧିକ ଖୋଳତାଡ଼ ଜରୁରୀ। ତେବେ ରୁଷ୍‌ ଏହି ପ୍ରସଙ୍ଗରେ କୌଣସି ଟିପ୍ପଣୀ ରଖିନାହିଁ। ପୂର୍ବରୁ ମଧ୍ୟ ଏଭଳି ଅଭିଯୋଗ ଉପରେ ରୁଷ୍‌ କହିଥିଲା ଯେ ପଶ୍ଚିମ ରାଷ୍ଟ୍ରମାନେ ରୁଷ୍‌କୁ ବଦନାମ କରିବା ପାଇଁ ଲଗାତାର ଷଡ଼ଯନ୍ତ୍ର କରୁଛନ୍ତି ଏବଂ ସେମାନଙ୍କ ଗଣମାଧ୍ୟମ ଏଥିରେ ବଡ଼ ଭୂମିକା ନେଉଛି।

ସମ୍ବନ୍ଧିତ ଖବର