୧୦ ଲକ୍ଷ ପ୍ରବାସୀ ରାଜ୍ୟକୁ ଫେରିଛନ୍ତି, କେତେ ଶ୍ରମିକ ଫେରିଛନ୍ତି ସରକାରଙ୍କ ପାଖରେ ହିସାବ ନାହିଁ

ଭୁବନେଶ୍ବର: କରୋନା ସଂକ୍ରମଣ କାଳରେ ଗତ ବର୍ଷ ମାର୍ଚ୍ଚରୁ ଅକ୍ଟୋବର ମାସ ମଧ୍ୟରେ ୧୦ ଲକ୍ଷ ୭ ହଜାର ୩୩୦ ଜଣ ପ୍ରବାସୀ ରାଜ୍ୟକୁ ଫେରିଥିଲେ। ଫେରନ୍ତା ପ୍ରବାସୀ ଶ୍ରମିକଙ୍କୁ ସଙ୍ଗରୋଧ କେନ୍ଦ୍ରର ନିର୍ଦ୍ଦିଷ୍ଟ ରହଣି ଅବଧି ପରେ ତତ୍‌କାଳ ସହାୟତା ବାବଦକୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିରୁ ମୁଣ୍ଡ ପିଛା ଦୁଇ ହଜାର ଟଙ୍କାର ସହାୟତା ଦିଆଯାଇଛି। ୨୦୨୦ ଅଗଷ୍ଟ ମାସ ସୁଦ୍ଧା ୬ ଲକ୍ଷ ୭୩ ହଜାର ୭୯ ଜଣ ପ୍ରବାସୀ ଶ୍ରମିକଙ୍କୁ ୧୩୪.୬୨ କୋଟି ଟଙ୍କା ବଣ୍ଟନ କରାଯାଇଛି। ବିଧାନସଭାରେ ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକ ଓ ଶଙ୍କର ଓରାମଙ୍କ ପୃଥକ ପୃଥକ ଲିଖିତ ପ୍ରଶ୍ନର ଉତ୍ତରରେ ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂହ ଏହି ସୂଚନା ଦେଇଛନ୍ତି।

ତେବେ କଟକଣା କୋହଳ ପରେ କେତେ ଶ୍ରମିକ ଭିଟାମାଟି ଛାଡ଼ି ଅନ୍ୟ ରାଜ୍ୟକୁ ଯାଇଛନ୍ତି, ତାହାର ତଥ୍ୟ ମନ୍ତ୍ରୀ ଦେଇ ପାରି ନାହାନ୍ତି। ମନ୍ତ୍ରୀ ତାଙ୍କ ଉତ୍ତରରେ ଦର୍ଶାଇଛନ୍ତି ଯେ ଶ୍ରମ ବିଭାଗ ଅନ୍ତର୍ଗତ ଶ୍ରମିକ ସହାୟତା ‌କଲ୍‌ ସେଣ୍ଟର୍‌ ତରଫରୁ ବଲାଙ୍ଗୀର, ବରଗଡ଼, କଳାହାଣ୍ଡି ଓ ନୂଆପଡ଼ା ଜିଲ୍ଲାର ୧,୧୦,୨୩୦ ଜଣ ଫେରନ୍ତା ପ୍ରବାସୀ ଶ୍ରମିକଙ୍କୁ ଟେଲିଫୋନ୍ ମାଧ୍ୟମରେ ଯୋଗାଯୋଗ କରାଯାଇଛି। ତାହା ମଧ୍ୟରୁ ୪୨୬୮ ଜଣ ଶ୍ରମିକ ବିଭିନ୍ନ ରାଜ୍ୟକୁ ଫେରିଯାଇଛନ୍ତି। ଏହା ଛଡ଼ା ୬୭,୬୬୧ ଜଣ ଶ୍ରମିକ ବଲାଙ୍ଗୀର, ବରଗଡ଼, କଳାହାଣ୍ଡି ଓ ନୂଆପଡ଼ା ଜିଲ୍ଲାରେ ଅଦ୍ୟାବଧି ଅଛନ୍ତି। ୩୮,୩୦୧ ଜଣ ଶ୍ରମିକଙ୍କ ଠିକ୍ ଟେଲିଫୋନ୍ ନମ୍ବର ଅଭାବରୁ ଯୋଗ‌ାଯୋଗ ସମ୍ଭବ ହୋଇ ନାହିଁ।

ଶ୍ରମିକଙ୍କୁ ମିଳିଥିବା ସହାୟତା ବାବଦରେ ମନ୍ତ୍ରୀ ଶ୍ରୀ ସିଂହ ଜଣାଇଛନ୍ତି ‌େଯ ରାଜ୍ୟ ସରକାରଙ୍କ ଅନୁମୋଦନକ୍ରମେ ଓଡ଼ିଶା କୋଠାବାଡ଼ି ଓ ଅନ୍ୟାନ୍ୟ ଶ୍ରମିକ କଲ୍ୟାଣ ବୋର୍ଡ ପକ୍ଷରୁ ସକ୍ରିୟ ପଞ୍ଜୀକୃତ ନିର୍ମାଣ ଶ୍ରମିକମାନଙ୍କୁ ୧୫୦୦ ଟଙ୍କା ଲେଖାଏ ସ୍ବତନ୍ତ୍ର ଆର୍ଥିକ ସହାୟତା ପ୍ରଦାନ କରାଯାଇଥିଲା। ୨୦୨୦ ମସିହା ଅଗଷ୍ଟ ମାସ ସୁଦ୍ଧା ୪୬୮୯ ଜଣ ଫେରନ୍ତା ପ୍ରବାସୀ ଶ୍ରମିକଙ୍କୁ ଏହି ସହାୟତା ପ୍ରଦାନ କରାଯାଇଛି। ଯେଉଁ ପ୍ରବାସୀ ପଞ୍ଜୀକୃତ ନିର୍ମାଣ ଶ୍ରମିକମାନ ସହାୟତା ବଣ୍ଟନ ସମୟରେ ରାଜ୍ୟ ବାହାରେ ଥିବା ଅଥବା ଘରେ ଅନୁପସ୍ଥିତ ଥିବେ, ସେମାନଙ୍କର ସହାୟତା ରାଶିକୁ ନିର୍ଦ୍ଧାରିତ ମାର୍ଗଦର୍ଶିକା ଅନୁଯାୟୀ ଉକ୍ତ ବ୍ୟକ୍ତିଙ୍କ ବ୍ୟାଙ୍କ ଖାତାକୁ ଡିବିଟି ମାଧ୍ୟମରେ ପଠାଇବାର ବ୍ୟବସ୍ଥା ରହିଛି। କୋଭିଡ୍‌-୧୯ ସ୍ବତନ୍ତ୍ର ଆର୍ଥିକ ପ୍ୟାକେଜ୍‌ ଅଧୀନରେ ଏ ପର୍ଯ୍ୟନ୍ତ ମୋଟ୍‌ ୧୧୭୬ ସଂଖ୍ୟକ କୁଶଳୀ ଓ ଅର୍ଦ୍ଧ କୁଶଳୀ ଫେରନ୍ତା ପ୍ରବାସୀଙ୍କୁ ମୋଟ ୯୦୮.୨୭ ଲକ୍ଷ ଟଙ୍କା ଋଣ ପ୍ରଦାନ କରାଯାଇଛି। ଏହା ମଧ୍ୟରେ ବାଲେଶ୍ବର ଜିଲ୍ଲାର ସର୍ବାଧିକ ୫୯୫ ଜଣଙ୍କୁ ଋଣ ପ୍ରଦାନ କରାଯାଇଛି।

କୋଭିଡ୍‌ ପାଇଁ ସ୍ବତନ୍ତ୍ର ପ୍ୟାକେଜ୍‌ ସଂକ୍ରାନ୍ତରେ ବିଧାୟକ ନବଚରଣ ମାଝୀଙ୍କ ଆଉ ଏକ ଲିଖିତ ପ୍ରଶ୍ନର ଉତ୍ତରରେ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା ଜଣାଇଛନ୍ତି ଯେ ‌େକାଭିଡ୍‌ ମହାମାରୀ ପରିସ୍ଥିତି ପରି ସଙ୍କଟଜନକ ସ୍ଥିତିର ମୁକାବିଲା କରିବା ସହ ଗ୍ରାମାଞ୍ଚଳରେ ରହୁଥିବା ଗରିବ ଓ ଅତି ଗରିବ ପରିବାରଙ୍କ ଜୀବିକା ବିକାଶ ନିମନ୍ତେ ଆଞ୍ଚଳିକ ମଞ୍ଚ ଓ ଗ୍ରାମ ପଞ୍ଚ‌ାୟତ ସ୍ତରୀୟ ମହାସଂଘରେ ଉପଲବ୍ଧ ଥିବା ନିରାପତ୍ତା ପାଣ୍ଠି ଓ ଗୋଷ୍ଠୀ ବିନିଯୋଗ ପାଣ୍ଠିରୁ ‘କୋଭିଡ୍‌-୧୯ ସ୍ବତନ୍ତ୍ର ଆର୍ଥିକ ପ୍ୟାକେଜ୍‌’ ମାଧ୍ୟମରେ ଫେବ୍ରୁଆରି ମାସ ସୁଦ୍ଧା ୮୯,୯୨୦ ଜଣଙ୍କୁ ମୋଟ୍‌ ୨୧୩.୫୪ କୋଟି ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। ଜାତୀୟ ଗ୍ରାମୀଣ ଅର୍ଥନୈତିକ ରୂପାନ୍ତରଣ ପ୍ରକଳ୍ପ ମାଧ୍ୟମରେ କେନ୍ଦ୍ର ସରକାରଙ୍କ ତରଫରୁ ‘ଏନ୍‌ଆର୍‌ଇଟିପି କୋଭିଡ୍‌-୧୯ ସ୍ବତନ୍ତ୍ର ଆର୍ଥିକ ପ୍ୟାକେଜ୍‌’ ଜରିଅାରେ ମୋଟ୍‌ ୪,୧୨୦ ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ସେମାନଙ୍କ ଜୀବିକା ବିକାଶ ନିମନ୍ତେ ୧୨.୨୧ କୋଟି ଟଙ୍କା ଋଣ ପ୍ରଦାନ କରାଯାଇଛି।

ସମ୍ବନ୍ଧିତ ଖବର