ହାଇଦ୍ରାବାଦ: ତେଲେଙ୍ଗନା ରାଜଧାନୀ ହାଇଦ୍ରାବାଦରୁ ପୁଣି ଆସିଛି ବର୍ବରତାର ଆଉ ଏକ ଚିତ୍ର । ମହିଳା ଡାକ୍ତର ପ୍ରିୟଙ୍କା ରେଡ୍ଡିଙ୍କୁ ଗଣଦୁଷ୍କର୍ମ ପରେ ଜୀଅନ୍ତା ଜାଳିଦେବା ଘଟଣାକୁ ନେଇ ସମଗ୍ର ଦେଶରେ ଚର୍ଚ୍ଚା ଜୋର ଧରିଥିବା ବେଳେ ଆଉ ଜଣେ ମହିଳାଙ୍କ ପୋଡ଼ି ଯାଇଥିବା ମୃତଦେହ ଉଦ୍ଧାର କରାଯାଇଛି।
ସୂଚନା ଅନୁସାରେ ହାଇଦ୍ରାବାଦର ଶମସାବାଦରୁ ଉଦ୍ଧାର ହୋଇଛି ଜଣେ ମହିଳାଙ୍କ ପୋଡି ଯାଇଥିବା ମୃତଦେହ । ଯେଉଁ ଅଂଚଳରେ ମହିଳା ଡ଼ାକ୍ତର ପ୍ରିୟଙ୍କା ରେଡ୍ଡିଙ୍କୁ ଗଣଦୁଷ୍କର୍ମ ପରେ ଜୀବନ୍ତ ଜାଳି ଦେଇଥିଲେ ଦୁର୍ବୃତ୍ତ, ସେହି ସ୍ଥାନ ଠାରୁ କିଛି ଦୂରରେ ଶୁକ୍ରବାର ରାତିରେ ସିଡ଼ୁଲାଗଟ୍ଟା ରାସ୍ତା କଡରୁ ଠାବ ହୋଇଛି ଏହି ମୃତଦେହ । ଘଟଣାସ୍ଥଳରେ ହାଇଦ୍ରାବାଦ ପୁଲିସ ପହଞ୍ଚି ଶବ ଜବତ କରି ବ୍ୟବଛେଦ ପାଇଁ ପଠାଇଦେଇଛି ।
ଏହି ଘଟଣାରରେ ନିଜ ଆଡୁ ଏତଲା ରୁଜ୍ଜୁ କରି ପୁଲିସ ସ୍ଥାନୀୟ ଲୋକଙ୍କ ବୟାନ ଆଧାରରେ ତଦନ୍ତ ଆରମ୍ଭ କରିଛି । ପୁଲିସ କମିସନର କହିଛନ୍ତି ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ସବୁକିଛି ସ୍ପଷ୍ଟ ହେବ । ମୃତ ମହିଳାଙ୍କ ବୟସ ୩୫ ବର୍ଷ ହେବ ବୋଲି ଅନୁମାନ କରାଯାଇଛି । ଦୁଇଟି ଯାକ ସ୍ଥାନରେ ଦୁର୍ବୃତଙ୍କ ଶିକାର ବନିଛନ୍ତି ମହିଳା । ଆଉ ମହିଳାଙ୍କୁ ଜାଳି ଦିଆଯାଇଛି। ଏହି ଘଟଣାକୁ ହାଇଦ୍ରାବାଦ ପୋଲିସ ଅତି ଗମ୍ଭୀରତାର ସହ ଗ୍ରହଣ କରିଥିବା କହିଛି ।