ନୂଆଦିଲ୍ଲୀ: ଏକ ରାଷ୍ଟ୍ର ଏକ ନିର୍ବାଚନ ଉପରେ ଆସିଥିବା ୨ଟି ବିଲ୍ର ଯାଞ୍ଚ କରିବାପାଇଁ ଗଠିତ ସଂସଦୀୟ କମିଟି ଆଜି ଏହାର ପ୍ରଥମ ବୈଠକ କରିଛି। ବିରୋଧୀ ଦଳ ସଦସ୍ୟମାନେ ‘ଏକ ରାଷ୍ଟ୍ର ଏକ ନିର୍ବାଚନ’ ଦେଶପାଇଁ ଅନାବଶ୍ୟକ ବୋଲି ମତ ଦେଇ ଏହାର ବିରୋଧ କରିଥିବା ବେଳେ ଶାସକ ମେଣ୍ଟ ସଦସ୍ୟମାନେ ଏହା ସପକ୍ଷରେ ଦୃଢ଼ ଯୁକ୍ତି ରଖିଥିଲେ। ପ୍ରସ୍ତାବିତ ଆଇନର ବ୍ୟବସ୍ଥା ସଂପର୍କରେ ଆଜି ଆଇନ ଏବଂ ନ୍ୟାୟ ମନ୍ତ୍ରାଳୟର ଅଧିକାରୀମାନେ କମିଟି ସଦସ୍ୟମାନଙ୍କୁ ଅବଗତ କରାଇଥିଲେ। ବିଜେପି ସାଂସଦ ପିପି ଚୌଧୁରୀଙ୍କ ନେତୃତ୍ବାଧୀନ ୩୯ ସଦସ୍ୟ ବିଶିଷ୍ଟ ସଂସଦୀୟ ଯୁଗ୍ମ କମିଟିରେ ସବୁ ପ୍ରମୁଖ ଦଳମାନଙ୍କରୁ ସଦସ୍ୟ ରହିଛନ୍ତି। କଂଗ୍ରେସର ପ୍ରିୟଙ୍କା ଗାନ୍ଧୀ,ଜେଡିୟୁର ସଂଜୟ ଝା, ଶିବସେନାର ଶ୍ରୀକାନ୍ତ ସିନ୍ଦେ, ଆପ୍ର ସଂଜୟ ସିଂହ ଏବଂ ଟିଏମ୍ସିର କଲ୍ୟାଣ ବାନାର୍ଜୀ କମିଟି ସଦସ୍ୟ ରହିଛନ୍ତି।
ଏକ ରାଷ୍ଟ୍ର ଏକ ନିର୍ବାଚନ ଉପରେ ଆସିଥିବା ୨ଟି ଚିଠା ବିଲ୍ ଉପରେ ଯାଞ୍ଚ ପ୍ରକ୍ରିୟାର ଏକ ଅଂଶ ହେବାପାଇଁ ଅଧିକ ରାଜନୈତିକ ଦଳ ଆଗ୍ରହ ପ୍ରକାଶ କରିବା ପରେ ସରକାର କମିଟିର ସଦସ୍ୟ ସଂଖ୍ୟା ୩୧ରୁ ୩୯କୁ ବୃଦ୍ଧି କରିବାପାଇଁ ନିଷ୍ପତ୍ତି ନେଇଥିଲେ। ପୂର୍ବତନ କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର, ପି. ରୁପାଲା, ମନୀଷ ତିୱାରୀ ଏବଂ ଅନିଲ ବାଲୁନି, ବାଂସୁରୀ ସ୍ବରାଜ, ସମ୍ବିତ ପାତ୍ରଙ୍କ ସମେତ ଅନ୍ୟ କେତେକ ସାଂସଦ ମଧ୍ୟ କମିଟିରେ ସଦସ୍ୟ ରହିଛନ୍ତି। କମିଟିରେ ୨୭ ଜଣ ଲୋକସଭା ସାଂସଦ ଏବଂ ୧୨ ଜଣ ରାଜ୍ୟସଭା ସାଂସଦ ଅଛନ୍ତି। ଉଲ୍ଲେଖଯୋଗ୍ୟ, ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ନେତୃତ୍ବାଧୀନ କମିଟିର ସୁପାରିସ ଆଧାରରେ କେନ୍ଦ୍ର ସରକାର ‘ଏକ ରାଷ୍ଟ୍ର ଏକ ନିର୍ବାଚନ’ ପାଇଁ ବିଲ୍ ଆଣିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/01/09/xGachVHcw3utO0xM0usO.jpg)