୧୨ ରାଜ୍ୟରେ ଲାଗୁ ହେଲା ‘ଏକ ରାଷ୍ଟ୍ର-ଏକ ରାସନ’ କାର୍ଡ, ଓଡ଼ିଶା ସମେତ ସମଗ୍ର ଦେଶରେ ଜୁନ୍‌ ୧ରୁ ଲାଗୁ

ନୂଆଦିଲ୍ଲୀ : କେନ୍ଦ୍ର ସରକାର ଆଜିଠାରୁ ୧୨ଟି ରାଜ୍ୟରେ ‘ଏକ ରାଷ୍ଟ୍ର-ଏକ ରାସନ କାର୍ଡ’ ଲାଗୁ କରିଛନ୍ତି। ଏହି ରାଜ୍ୟଗୁଡ଼ିକ ହେଲା ଆନ୍ଧ୍ର ପ୍ରଦେଶ, ତେଲେଙ୍ଗାନା, ଗୁଜରାଟ, ମହାରାଷ୍ଟ୍ର, ହରିୟାଣା, ରାଜସ୍ଥାନ, କର୍ଣ୍ଣାଟକ, କେରଳ, ମଧ୍ୟପ୍ରଦେଶ, ଗୋଆ, ଝାଡ଼ଖଣ୍ଡ ଏବଂ ତ୍ରିପୁରା। କେନ୍ଦ୍ର ଖାଉଟି ମନ୍ତ୍ରାଳୟ ଚଳିତ ବର୍ଷ ଜୁନ୍‌ ୧ ତାରିଖ ସୁଦ୍ଧା ସମଗ୍ର ଦେଶରେ ଏକ ଦେଶ ଏକ ରାସନ କାର୍ଡ ଲାଗୁ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି। ପୂରା ଦେଶରେ ଏହା ଲାଗୁ ହେବାପରେ ରାସନ କାର୍ଡଧାରୀ ଗୋଟିଏ କାର୍ଡରେ ହିଁ ଦେଶର ଯେ କୌଣସି ସ୍ଥାନରୁ ରାସନ କ୍ରୟ କରିପାରିବେ। ଆଜି ନୂଆ ବର୍ଷର ପ୍ରଥମ ଦିନରେ ରାସନ କାର୍ଡଧାରୀଙ୍କ ପାଇଁ କେନ୍ଦ୍ର ସରକାର ଏହି ଖୁସି ଖବର ଆଣିଛନ୍ତି। ଏବେ ୧୨ଟି ରାଜ୍ୟରେ ଏହି ଯୋଜନା ଲାଗୁ ହୋଇସାରିଥିବାରୁ ଏବେ ଏହି ରାଜ୍ୟମାନଙ୍କର ରାସନ କାର୍ଡଧାରୀମାନେ ନିଜ ରାଜ୍ୟ କିମ୍ବା ରାଜ୍ୟ ବାହାରର ଯେ କୌଣସି ସ୍ଥାନରୁ ସେମାନଙ୍କ ସରକାରୀ ରାସନ ପାଇବାରେ ଆଉ ପ୍ରତିବନ୍ଧକ ରହିବ ନାହିଁ। ଏହି ଯୋଜନାକୁ ସୁଚାରୁ ରୂପେ ସଂଚାଳନ କରିବା ପାଇଁ ସରକାର ଅନେକ ପଦକ୍ଷେପ ହାତକୁ ନେଇଛନ୍ତି। ଡିଜିଟାଲ ସଂଯୋଗ କ୍ଷେତ୍ରରେ ରହିଥିବା ସମସ୍ୟା ବଡ଼ ଚ୍ୟାଲେଂଜ ଥିବାରୁ ଏହାକୁ ଯୁଦ୍ଧକାଳୀନ ଭିତ୍ତିରେ ଦୂର କରିବା ପାଇଁ ପଦକ୍ଷେପ ନିଆଯାଉଛି।

ସମ୍ବନ୍ଧିତ ଖବର