ଆସନ୍ତା ୩୦ ଜୁନ ୨୦୨୦ ସୁଦ୍ଧା ସାରା ଭାରତରେ କାର୍ଯ୍ୟକାରୀ ହେବାକୁ ଯାଉଛି “ଏକ ରାଷ୍ଟ୍ର-ଏକ ରାସନ କାର୍ଡ” ଯୋଜନା

ଏହି ଯୋଜନାରେ ହିତାଧିକାରୀ ରାଜ୍ୟର ଯେକୌଣସି ସ୍ଥାନରେ ଥିବା ସାଧାରଣ ବଂଟନ ବ୍ୟବସ୍ଥା କେନ୍ଦ୍ରରୁ ଖାଦ୍ୟଶସ୍ୟ ନେଇପାରିବେ

ନୂଆଦିଲ୍ଲୀ : ଆସନ୍ତା ୩୦ ଜୁନ ୨୦୨୦ ସୁଦ୍ଧା ସାରା ଭାରତରେ “ଏକ ରାଷ୍ଟ୍ର-ଏକ ରାସନ କାର୍ଡ” ଯୋଜନା କାର୍ଯ୍ୟକାରୀ କରିବାକୁ ଯାଉଛନ୍ତି କେନ୍ଦ୍ର ସରକାର। ଏ ସମ୍ପର୍କରେ ସୂଚନା ଦେଇଛନ୍ତି କେନ୍ଦ୍ର ଉପଭୋକ୍ତା ବ୍ୟାପାର, ଖାଦ୍ୟ ଏବଂ ସାଧାରଣ ବଂଟନ ମନ୍ତ୍ରୀ ରାମବିଳାସ ପାଶ୍ୱାନ। ପାଶ୍ୱାନ କହିଛନ୍ତି ଯେ ସାରା ଦେଶରେ ସମସ୍ତ ରାସନ କାର୍ଡକୁ ଆଧାର କାର୍ଡ ସହ ଯୋଡ଼ିବା ଏବଂ ପଏଂଟ ଅଫ ସେଲ (ପିଓଏସ) ଜରିଆରେ ସମଗ୍ର ଖାଦ୍ୟ ଶସ୍ୟ ବଂଟନ ବ୍ୟବସ୍ଥାକୁ ସଂଗଠିତ କରିବା କାର୍ଯ୍ୟ ଚୁଡ଼ାନ୍ତ ପର୍ଯ୍ୟାୟରେ ପହଁଚିଛି।

ରାସନ କାର୍ଡ ବର୍ତମାନ ୧୦ଟି ରାଜ୍ୟ ଆନ୍ଧ୍ରପ୍ରଦେଶ, ଗୁଜରାଟ, ହରିଆଣା, ଝାଡ଼ଖଣ୍ଡ, କର୍ଣ୍ଣାଟକ, କେରଳ, ମହାରାଷ୍ଟ୍ର, ରାଜସ୍ଥାନ, ତେଲଙ୍ଗାନା ଓ ତ୍ରିପୁରାରେ ଖାଦ୍ୟଶସ୍ୟ ବଂଟନ ପାଇଁ ଶତପ୍ରତିଶତ ପିଓଏସ ମେସିନ ବ୍ୟବସ୍ଥା କରାଯିବା ସହିତ ଏଠାକାର ସବୁ ପିଡିଏସ ଦୋକାନରେ ଇଂଟରନେଟ ସଂଯୋଗ କାର୍ଯ୍ୟ ଶେଷ ହୋଇଛି। ବର୍ତମାନ ଏହି ରାଜ୍ୟଗୁଡ଼ିକରେ ଜଣେ ହିତାଧିକାରୀ ରାଜ୍ୟର ଯେକୌଣସି ସ୍ଥାନରେ ଥିବା ସାଧାରଣ ବଂଟନ ବ୍ୟବସ୍ଥା କେନ୍ଦ୍ରରୁ ଖାଦ୍ୟ ଶସ୍ୟ ନେଇପାରିବେ।

ରାସନ କାର୍ଡ ଚଳିତ ବର୍ଷ ଅଗଷ୍ଟ ୧୫ ତାରିଖ ସୁଦ୍ଧା ଆନ୍ଧ୍ର ପ୍ରଦେଶ ଓ ତେଲଙ୍ଗାନା, ଗୁଜରାଟ ଓ ମହାରାଷ୍ଟ୍ରର ହିତାଧିକାରୀମାନେ ପରସ୍ପରର ରାଜ୍ୟରେ ଥିବା ଯେକୌଣସି ପିଡିଏସ କେନ୍ଦ୍ରରୁ ଯେପରି ସାମଗ୍ରୀ ପାଇପାରିବେ ସେ ବ୍ୟବସ୍ଥା କରାଯାଉଛି। କେନ୍ଦ୍ର ମନ୍ତ୍ରୀ ଆହୁରି କହିଥିଲେ ଯେ “ଏକ ରାଷ୍ଟ୍ର ଏକ ରାସନ କାର୍ଡ” ଯୋଜନା କାର୍ଯ୍ୟକାରୀ କରିବା ଲାଗି ଯୁଦ୍ଧକାଳୀନ ଭିତିରେ କାମ କରାଯାଉଛି। ଏଥିପାଇଁ ସମସ୍ତ ରାସନ କାର୍ଡ ତଥ୍ୟକୁ ଗୋଟିଏ ସର୍ଭରରେ ସଂରକ୍ଷିତ କରି ରଖାଯିବ। ଫଳରେ ୩୦ ଜୁନ ୨୦୨୦ ସୁଦ୍ଧା ଦେଶର ଯେକୌଣସି ସ୍ଥାନରେ ଥିବା ପିଡିଏସ କେନ୍ଦ୍ରରୁ ଜଣେ ହିତାଧିକାରୀ ନିଜର ଖାଦ୍ୟଶସ୍ୟ ପାଇପାରିବେ।

The Hans India

ରାସନ କାର୍ଡଧାରୀମାନଙ୍କ ପାଇଁ ଏଫସିଆଇ ପକ୍ଷରୁ ୫୬୩ଟି ଭଣ୍ଡାର ଏବଂ ସିଡବ୍ଲସି ପକ୍ଷରୁ ୧୪୪ଟି ଡିପୋରେ ଡିପୋ ଅନଲାଇନ ସିଷ୍ଟମ କାର୍ଯ୍ୟକାରୀ କରାଯାଇଛି। ଏହାଛଡ଼ା, ଏଫସିଆଇ ଦ୍ୱାରା ସଂଗ୍ରହ କରାଯାଉଥିବା ଖାଦ୍ୟଶସ୍ୟର ତଥ୍ୟକୁ ଅନଲାଇନ କରାଯାଇଛି। ଅନ୍ୟପଟେ ଅଧିକାଂଶ ରାଜ୍ୟରେ କ୍ରୟ, ଭଣ୍ଡାରଣ ଏବଂ ବଂଟନ ବ୍ୟବସ୍ଥାକୁ ଅନଲାଇନ କରାଯାଇଛି।

କୁପୋଷଣ ସମସ୍ୟାର ସମାଧାନ ପାଇଁ ପାଇଲଟ ଯୋଜନାକୁ ୨୦୧୯-୨୦ ଆର୍ଥିକ ବର୍ଷ ଠାରୁ ପ୍ରାରମ୍ଭିକ ତିନି ବର୍ଷର ଅବଧି ଲାଗି ୧୪୭.୬୧ କୋଟି ଟଙ୍କାର ମୋଟ ବଜେଟ ବ୍ୟୟବରାଦ ସହିତ ଅନୁମତି ଦିଆଯାଇଛି। ଭାରତ ସରକାରଙ୍କ ଦ୍ୱାରା ଉତର-ପୂର୍ବାଂଚଳ, ପାର୍ବତ୍ୟ ଏବଂ ଦ୍ୱୀପାଂଚଳ ରାଜ୍ୟଗୁଡ଼ିକ ପାଇଁ ୯୦:୧୦ରେ ଏବଂ ଅନ୍ୟ ରାଜ୍ୟଗୁଡ଼ିକ ପାଇଁ ୭୫:୨୫ ଆଧାରରେ ପାଇଲଟ ଯୋଜନା ଲାଗି ଅର୍ଥ ଯୋଗାଣ କରାଯିବ।

ସମ୍ବନ୍ଧିତ ଖବର