ଏକ ରାଷ୍ଟ୍ର ଏକ ରାସନ କାର୍ଡ ଯୋଜନା: ୭୭ କୋଟିରୁ ଅଧିକ ପୋର୍ଟେବଲ୍ କାରବାର ରେକର୍ଡ

ନୂଆଦିଲ୍ଲୀ: ଖାଦ୍ୟ ଓ ସାଧାରଣ ବଂଟନ ବିଭାଗ ‘ୱାନ୍ ନେସନ୍ ୱାନ୍ ରାସନ କାର୍ଡ’ (ଓଏନ୍ଓଆର୍‌ସି) ଯୋଜନାର ସଫଳତାକୁ ପାଳନ କରିବା ନିମନ୍ତେ ସପ୍ତାହବ୍ୟାପୀ କାର୍ଯ୍ୟକ୍ରମ ଆୟୋଜନ କରୁଛି, ଯାହା ୯ ଅଗଷ୍ଟ ୨୦୧୯ରେ ଚାରିଟି ରାଜ୍ୟରେ ଏକ ପାଇଲଟ୍ ପ୍ରକଳ୍ପ ଭାବରେ ଆରମ୍ଭ କରାଯାଇଥିଲା।
ଓଏନ୍ଓଆର୍‌ସି ଏକ ପ୍ରଯୁକ୍ତି-ସଂଚାଳିତ ଯୋଜନା, ଯେଉଁଥିରେ କେନ୍ଦ୍ର ସରକାରଙ୍କ ଦ୍ୱାରା ଜାତୀୟ ଖାଦ୍ୟ ସୁରକ୍ଷା ଅଧିନିୟମ (ଏନ୍ଏଫ୍ଏସ୍ଏ) ଅଧୀନରେ ରାସନ କାର୍ଡକୁ ସାରା ଦେଶରେ ପୋର୍ଟେବିଲିଟି ନିମନ୍ତେ ଲାଗୁ କରାଯାଉଛି। ଏହି ପ୍ରଣାଳୀ ସମସ୍ତ ଏନ୍ଏଫ୍ଏସ୍ଏ ହିତାଧିକାରୀଙ୍କୁ, ବିଶେଷ ରୂପରେ ପ୍ରବାସୀ ହିତାଧିକାରୀଙ୍କୁ, ବାୟୋମେଟ୍ରିକ୍/ଆଧାର-ପ୍ରମାଣୀକରଣ ସହିତ ସେମାନଙ୍କ ନିକଟରେ ରହିଥିବା ପ୍ରଚଳିତ ରାସନ କାର୍ଡ ମାଧ୍ୟମରେ ଦେଶରେ କୌଣସି ଉଚିତ ମୂଲ୍ୟର ଦୋକାନ (ଏଫ୍‌ପିଏସ୍)ରୁ ସେମାନଙ୍କର ହକ୍ ପ୍ରାପ୍ୟ ଖାଦ୍ୟଶସ୍ୟର ସମ୍ପୂର୍ଣ୍ଣ କିମ୍ବା କିଛି ଅଂଶ ପାଇବା ପାଇଁ ଦାବି କରିବା ନିମନ୍ତେ ଅନୁମତି ଦେଇଥାଏ। ଯଦି ଅନ୍ୟ କେହି ସେହି ପରିବାରର ସଦସ୍ୟ ଥାଆନ୍ତି, ଯେତେବେଳେ ସେମାନେ ଘରକୁ ଫେରନ୍ତି, ସେହି ରାସନ କାର୍ଡରେ ଅବଶିଷ୍ଟ ଖାଦ୍ୟଶସ୍ୟ ନିମନ୍ତେ ଦାବି କରିବା ପାଇଁ ଏହା ଅନୁମତି ଦେଇଥାଏ।

୯ ଅଗଷ୍ଟ, ୨୦୧୯ରେ ଆରମ୍ଭ ହେବା ପରେ, ଖୁବ୍ କମ୍ ସମୟ ମଧ୍ୟରେ ଏବେ ଏହା ସାରା ଦେଶରେ ୩୬ଟି ରାଜ୍ୟ/କେନ୍ଦ୍ରଶାସିତ ଅଂଚଳରେ ଲାଗୁ କରାଯାଇଛି। ଏଥିରେ ସାମିଲ ହେବାରେ ଶେଷ ରାଜ୍ୟ ଭାବରେ ଜୁନ୍ ୨୦୨୨ରେ ଆସାମ ଏହି ଯୋଜନାରେ ସାମିଲ ହୋଇଛି। ଖାଦ୍ୟ ସୁରକ୍ଷା ଏବେ ସମଗ୍ର ଦେଶରେ ପୋର୍ଟେବଲ୍। ବର୍ତମାନ ସମୟରେ ଏହି ପ୍ରଣାଳୀ ପ୍ରାୟ ସମସ୍ତ (୮୦ କୋଟି) ଏନ୍ଏଫ୍ଏସ୍ଏ ହିତାଧିକାରୀଙ୍କୁ ପରିସରଭୁକ୍ତ କରିସାରିଛି। ଏହି ଯୋଜନା ଅଧୀନରେ ପ୍ରତି ମାସରେ ପାଖାପାଖି ୩ କୋଟି ପୋର୍ଟେବିଲିଟି କାରବାର ଉଲ୍ଲେଖ କରାଯାଉଛି।

ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ହେଉଛି ଦେଶର ସମସ୍ତ ସ୍ଥାନରେ ନିଜର ଖାଦ୍ୟ ସୁରକ୍ଷା ନିମନ୍ତେ ସମସ୍ତ ଏନ୍ଏଫ୍ଏସ୍ଏ ହିତାଧିକାରୀଙ୍କୁ ଆତ୍ମନିର୍ଭର ହେବା ପାଇଁ ସଶକ୍ତ କରିବା। ଏହି ଯୋଜନା କୋଭିଡ୍-୧୯ ମହାମାରୀ ସମୟରେ, ପ୍ରତ୍ୟେକ ଏନ୍ଏଫ୍ଏସ୍ଏ ହିତାଧିକାରୀଙ୍କ ନିମନ୍ତେ, ବିଶେଷ ରୂପରେ ପ୍ରବାସୀ ହିତାଧିକାରୀଙ୍କ ପାଇଁ ଏକ ଅଭୂତପୂର୍ବ ମୂଲ୍ୟଯୁକ୍ତ ସେବା ଭାବରେ ନିଜକୁ ପ୍ରମାଣିତ କରିଛି। ଏହା ଆମକୁ ଲକ୍‌ଡାଉନ୍ ସମୟରେ କୌଣସି ବି ସ୍ଥାନରେ ରିହାତି ମୂଲ୍ୟରେ ଖାଦ୍ୟଶସ୍ୟର ଲାଭ ଉଠାଇବା ପାଇଁ ସୁବିଧା ପ୍ରଦାନ କରିଛି। ଆରମ୍ଭ ହେବା ଦିନଠାରୁ ଏହା ଅଧୀନରେ ପାଖାପାଖି ୭୭.୮୮ କୋଟି ପୋର୍ଟେବଲ୍ କାରବାର ହୋଇସାରିଛି।

ହିତାଧିକାରୀମାନଙ୍କୁ ଓଏନ୍ଓଆର୍‌ସିର ଲାଭ ସମ୍ପର୍କରେ ଅବଗତ କରାଇବା ନିମନ୍ତେ ହିନ୍ଦୀ ଓ ଆଞ୍ଚଳିକ ଭାଷାଗୁଡିକରେ ଏକ ସୁଦୃଢ଼ ସଚେତନତା ଅଭିଯାନ ମଧ୍ୟ ଚାଲୁ କରାଯାଇଛି। ସମସ୍ତ ଏନ୍ଏଫ୍ଏସ୍ଏ ହିତାଧିକାରୀଙ୍କ ଲାଭ ନିମନ୍ତେ ଓଏନ୍ଓଆର୍‌ସି ‘ମେରା ରାସନ’ ଉପରେ ଏକ ବିଶେଷ ରୂପରେ ଅନୁକୂଳିତ ଆଣ୍ଡ୍ରଏଡ୍ ମୋବାଇଲ୍ ଆପ୍ ମଧ୍ୟ ଆରମ୍ଭ କରାଯାଇଛି। ଏହି ଆପ୍ଲିକେସନ ଏବେ ୧୩ଟି ଭାଷାରେ ଉପଲବ୍ଧ ହେଉଛି। ଏତଦ୍‌ବ୍ୟତୀତ ଓଏନ୍ଓଆର୍‌ସି ଅଧୀନରେ ଅଧିକାଂଶ ରାଜ୍ୟ/କେନ୍ଦ୍ରଶାସିତ ଅଂଚଳରେ ୫ ଅଙ୍କ ବିଶିଷ୍ଟ ‘୧୪୪୪୫’ ଟୋଲ୍ ଫ୍ରି ନମ୍ବର ମଧ୍ୟ ଉପଲବ୍ଧ ଅଛି।

ସମ୍ବନ୍ଧିତ ଖବର