ଜୁନ ପହିଲାରୁ ଲାଗୁ ହେବ ‘ଗୋଟିଏ ଦେଶ ଗୋଟିଏ ରାସନ କାର୍ଡ’ ବ୍ୟବସ୍ଥା : ସାମଗ୍ରୀ ପାଇବାରେ ଏଣିକି ଭୌଗଳିକ ଅବସ୍ଥିତି ବାଧକ ହେବ ନାହିଁ

ନୂଆଦିଲ୍ଲୀ: ଆସନ୍ତା ଜୁନ ପହିଲାରୁ ଗୋଟିଏ ଦେଶ ଗୋଟିଏ ରାସନ କାର୍ଡ ବ୍ୟବସ୍ଥା ଲାଗୁ ହେବାକୁ ଯାଉଛି । ଖାଦ୍ୟ ସୁରକ୍ଷା ଆଇନ୍ ଜରିଆରେ ମିଳୁଥିବା ଖାଦ୍ୟ ସାମଗ୍ରୀ ପାଇବାରେ ଏଣିକି ଭୌଗଳିକ ଅବସ୍ଥିତି ବାଧକ ହେବ ନାହିଁ । ରାସନ କାର୍ଡ ଯେଉଁ ଠିକଣାରେ ଥିଲେ ମଧ୍ୟ ଦେଶର ଯେ କୌଣସି ଠିକଣାରୁ ରିହାତି ଦରରେ ଯୋଗାଇ ଦିଆଉଥିବା ଖାଦ୍ୟ ସାମଗ୍ରୀ ପାଇପାରିବେ । ଆଜି ଏହି ଘୋଷଣା କରିଛନ୍ତି  ଖାଉଟି ବ୍ୟାପାର, ଖାଦ୍ୟ ଓ ସର୍ବସାଧାରଣ ବଣ୍ଟନ ବିଭାଗର ମନ୍ତ୍ରୀ ରାମବିଳାସ ପାସଓ୍ଵାନ୍।

ମୋଦୀ ସରକାରଙ୍କ ଅନ୍ୟତମ ମହତାକାଂକ୍ଷୀ ଯୋଜନା- ଗୋଟିଏ ଦେଶ, ଗୋଟିଏ ରାସନ୍ କାର୍ଡ ବ୍ୟବସ୍ଥା ଲାଗୁ ହେବାକୁ ଯାଉଛି । ଏହି ନୂଆ ବ୍ୟବସ୍ଥା ଅନୁସାରେ ହିତାଧିକାରୀ ଭାରତର ଯେ କୌଣସି ରାଜ୍ୟରୁ ରାସନ୍ ସାମଗ୍ରୀ ଉଠାଇପାରିବେ । ଖାଦ୍ୟ ସୁରକ୍ଷା ଆଇନ୍ ଜରିଆରେ ମିଳୁଥିବା ଖାଦ୍ୟ ସାମଗ୍ରୀ ପାଇବାରେ ଏଣିକି ଭୌଗଳିକ ଅବସ୍ଥିତି ବାଧକ ହେବ ନାହିଁ ।

hindi.swarajyamag.com

ଜାତୀୟ ଖାଦ୍ୟ ସୁରକ୍ଷା ଆଇନ୍ ଜରିଆରେ ବର୍ତମାନ ଦେଶର ୭୫ କୋଟି ହିତାଧିକାରୀ ଉପକୃତ ହେଉଛନ୍ତି । ୧୨ଟି ରାଜ୍ୟରେ ଏହା ଲାଗୁ ହୋଇଛି । ଏହି ରାଜ୍ୟଗୁଡ଼ିକ ମଧ୍ୟରେ ରହିଛି ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ଗୁଜୁରାଟ, ମହାରାଷ୍ଟ୍ର, ହରିଆଣା, ରାଜସ୍ଥାନ, କର୍ଣ୍ଣାଟକ, କେରଳ, ମଧ୍ୟପ୍ରଦେଶ, ଗୋଆ, ଝାଡ଼ଖଣ୍ଡ ଏବଂ ତ୍ରିପୁରା। ଗୋଟିଏ ଦେଶ, ଗୋଟିଏ ରାସନ୍ କାର୍ଡ ବ୍ୟବସ୍ଥା ଦେଶରେ ସଂପୂର୍ଣ୍ଣ ଭାବରେ ଲାଗୁ ହେଲେ, ରାସନ କାର୍ଡ ଯେଉଁ ଠିକଣାରେ ଥିଲେ ମଧ୍ୟ ଦେଶର ଯେ କୌଣସି ଠିକଣାରୁ ରିହାତି ଦରରେ ଯୋଗଇ ଦିଆଉଥିବା ଖାଦ୍ୟ ସାମଗ୍ରୀ ପାଇପାରିବେ କାର୍ଡଧାରୀ । ତେବେ ଏହା ପୂର୍ବରୁ ଗତ ଡିସେମ୍ବର ୩ ତାରିଖରେ ରାମ ବିଳାସ ପାସୱାନ୍  ଜୁନ୍ ଶେଷ ସୁଦ୍ଧା ସାରା ଦେଶରେ ଏହି ନୂଆ ବ୍ୟବସ୍ଥା ଲାଗୁ କରାଯିବ ବୋଲି କହିଥିଲେ।

ମୁଖ୍ୟତଃ, କାମ କରିବା ପାଇଁ ରାଜ୍ୟ ବାହାରକୁ ଯାଉଥିବା ଶ୍ରମିକ ଏବଂ ଦିନ ମଜୁରିଆମାନଙ୍କର ଉପକାର ଲାଗି ଏହି ଯୋଜନା କେନ୍ଦ୍ର ସରକାର ହାତକୁ ନେଇଛନ୍ତି। ଏହି କାର୍ଡ ଜରିଆରେ ସେମାନେ ଜାତୀୟ ଖାଦ୍ୟ ନିରାପତ୍ତା ଆଇନ ଅଧୀନରେ ଯେକୌଣସି ସରକାରୀ ସାମଗ୍ରୀ ବଣ୍ଟନ କରୁଥିବା ଦୋକାନରୁ ( ‘ଫେୟାର୍‌ ପ୍ରାଇସ୍‌ ସପ୍‌’) (ଏଫ୍‌ପିଏସ୍‌) ରିହାତି ଦରରେ ଖାଦ୍ୟଶସ୍ୟ ପାଇ ପାରିବେ। ଏହା ସହ ସେମାନଙ୍କୁ ଅବଶ୍ୟ ‘ଇଲେକ୍ଟ୍ରୋନିକ୍‌ ପଏଣ୍ଟ୍‌ ଅଫ୍‌ ସେଲ୍‌’ରେ (ଇପିଓଏସ୍‌) ଆଧାର ଚିହ୍ନିତ ବାୟୋମେଟ୍ରିକ୍‌ (ଟିପଚିହ୍ନ) ଦେବାକୁ ପଡ଼ିବ।

ସମ୍ବନ୍ଧିତ ଖବର